ସନାତନ ଧର୍ମାର୍ଥ ଗୀତା ବା କୋଇଲି ଶିକ୍ଷା

 

 

 

 

 

ସନାତନ ଧର୍ମାର୍ଥ ଗୀତା
ବା
କୋଇଲି ଶିକ୍ଷା

 

ଶ୍ରୀ ଅଭିରାମ ପରହଂସ ଦେବ

 

ପ୍ରଥମ କୋଇଲି–ଶାନ୍ତି ଭାବ

(ରାଗ-ରାମକେରୀ)

 

କୁଉ କୁଉ ହୋଇ କୋଇଲି ରାବୁଅଛୁ କିପାଇଁ ।

କାହୁଁ ଆସି କାହିଁ ରହିଲୁ ,ତାହା ଜାଣୁ କି ନାହିଁ ।୧।

କାହିଁ ଯାଇ ତୁହି ରହିବୁ ,ଜାଣିଛୁ ଯଦି କହ ।

କୁହୁ ରବ ତୋର ନ ରହେ ,ଏଣୁ ମୋର ସଂଶୟ ।୨।

ବସନ୍ତ ସମୟେ ରାବୁଛୁ ,ଅନ୍ୟ ସମୟେ ନାହିଁ ।

ରବ ତୋ ଚିରସ୍ଥାୟୀ ନୁହେଁ ,ଏଥିରେ ଶାନ୍ତି କାହିଁ ।୩।

ମାତା ତୋର ବଡ ଚତୁର କାଳ ବସାରେ ନେଇ

ଡିମ୍ଵ ପାରି ଦେଇ ଆସିଲା ,କାକ ଜାଣଇ ନାହିଁ ।୪।

କାକ ଗୃହରେ ତୁ ରହିଣ କାଳ ରବ ନ ଦେଲୁ ।

ଗୋତ୍ର ସୁମରି ଉଡି ଆସି ଜନନୀକ ଭେଟିଲୁ ।୫।

ଏଣୁ ତୁ ବଡ ବୁଦ୍ଧିମାନ ଯାଅ ମୋ ଆଜ୍ଞା ନେଇ ।

ଜଗତ ସନ୍ତାନଙ୍କୁ ମୋର କହିବୁ ତୁ ବୁଝାଇ ।୬।

ଦୁର୍ଲ୍ଲଭ ମନୁଷ୍ୟ ଶରୀର ବହି ଅଜ୍ଞାନ ନୁହ ।

ଜୀବ ଅଜ୍ଞାନରେ ଥିବାରୁ ଅଛଇ ସବୁ ଭୟ ।୭।

ଭୟ ପଦାର୍ଥ କୁ ଧରିଲେ ନିଶ୍ଚେ ଭୟ ପାଇବ ।

ଦୁର୍ଲ୍ଲଭ ମନୁଷ୍ୟ ଶରୀର ଆଉ କାହୁଁ ପାଇବ ।୮।

ନିର୍ଭୟ ପରମ ଈଶ୍ଵର ତାଙ୍କର କର୍ମ କର ।

ପ୍ରଭୁ ଛଡା କର୍ମ କରିବା ବୃଥା ଅଟେ ଆମ୍ଭର ।୯।

ପ୍ରଭୁ କାହିଁ ରହି ଅଛନ୍ତି ବୋଲି ବଣା ନ ହୁଅ ।

ଯହିଁରେ ଭାବନା କରିବା ତହିଁ ଭକତ ପ୍ରିୟ ।୧୦।

କାଷ୍ଠ, ପାଷାଣ,ତରୁ ,ତୃଣ ,ଫଳ ପୁଷ୍ପରେ ଦେଖ ।

ଯେ ଯାହାର ଭାବ ଯହିଁକି ତହିଁ ପଙ୍କଜମୁଖ ।୧୧।

କେ ଅବା ସକଳ ଘଟରେ ଈଶ୍ଵର ଭାବୁଥାଇ ।

ଯାହାର ଯହିଁକି ବିଶ୍ଵାସ କାହାକୁ ନିନ୍ଦା ନାହିଁ ।୧୨।

ରାତ୍ରିରେ ତାରକା ଗଗନେ କି ଶୋଭା ପାଉଛନ୍ତି ।

ସୂର୍ଯ୍ୟ ଆଲୋକରେ ତାରକା ଆଉ ଦୃଶ୍ୟ ନୁହନ୍ତି ।୧୩।

ଦୂରବୀକ୍ଷଣ ଯନ୍ତ୍ର ଧରି ଦେଖ ତାରା ଦିଶନ୍ତି ।

ଦୁର ବୀକ୍ଷଣ ଯନ୍ତ୍ର ବିନା ସିନା ଜୀବ ଅଶାନ୍ତି।୧୪।

ତାରକା ପରି ହରି ଦେଖ ଉଦେ ହୋଇ ଅଛନ୍ତି ।

ଅଜ୍ଞାନ ସୂର୍ଯ୍ୟ ପରି ଉଦେ ହେବାରୁ ନ ଦିଶନ୍ତି ।୧୫।

ଦୂରବୀକ୍ଷଣ ଯନ୍ତ୍ର ଗୋଟି ହୋଇଛି ଜ୍ଞାନ ଭାବ ।

ଏହି ଯନ୍ତ୍ରକୁ ସର୍ବେ ଧର ନିଶ୍ଚେ ତାରା ଦିଶିବ ।୧୬।

ଜୀବ ପ୍ରତି କର ଅହିଂସା ବାକ୍ୟରେ ସତ୍ୟ କହ ।

ହିଂସାକୁ ବର୍ଜ୍ଜନ କରିଲେ ସର୍ବ ହୋଇବ ଜୟ ।୧୭।

ଯାହାକୁ ଯାହା ଦତ୍ତ କରି ଅଛନ୍ତି ପଦ୍ମନାଭ

ପରଧନ ପର ସ୍ତିରୀକି ଆଉ ନ କର ଲୋଭ ।୧୮।

ଆପଣାର ପରି ସକଳ ପ୍ରାଣୀଙ୍କୁ ଯେ ଦେଖଇ ।

ତାହାଠାରେ ନାରାୟଣ ବହୁତ ପ୍ରୀତି ଥାଇ ।୧୯।

ଯାର ମନ ସର୍ବ ଠାବରେ ହୋଇଛି ସମାନ ।

ତାହାକୁ ଲାଗି ନ ପାରଇ ସଂସାରର ବନ୍ଧନ ।୨୦।

ବ୍ରହ୍ମ ଯେଣୁ ସର୍ବ ଠାବରେ ସମଦର୍ଶୀ ଜାଣଇ ।

ନାରାୟଣ ,ଆଲ୍ଲା, ଖ୍ରୀଷ୍ଟକୁ ଭିନ୍ନ ନ କର କେହି ।୨୧।

ପାନି ,ପାଣି ,ଜଳ ତିନିକି ନ କର କେହି ଭିନ୍ନ ।

ମରାମରି କିପାଁ ନାମରେ ,ଏଥିକି ପ୍ରୟୋଜନ ।୨୨।

ସ୍ପର୍ଶ ଅସ୍ପର୍ଶ ବୋଲିକରି କଳି ଲାଗେ କିପାଇଁ ।

ହିଂସା ଅସତ୍ୟେ ଯେ ମଜ୍ଜଇ ତାକୁ ଅସ୍ପର୍ଶ କହି ।୨୩।

ଅହିଂସା ସତ୍ୟରେ ଯେ ଥାଇ ତାହାକୁ ବୋଲି ସ୍ପର୍ଶ ।

ଉଡିଯାଇ କଳା-କୋଇଲି ଦିଅ ତୁ ଉପଦେଶ ।୨୪।

ଚାରି ବର୍ଣ୍ଣରେ ସୃଷ୍ଟି ଖେଳ କରି ଅଛଇ ମୁହିଁ ।

ଗୁଣ କର୍ମେ ସିନା ବିଭାଗ, କେ ସାନ ବଡ ନାହିଁ ।୨୫।

ବ୍ରହ୍ମ କୁ ଜାଣିଲେ ବ୍ରାହ୍ମଣ ସିନା ହୋଇ ପାରଇ ।

ନ୍ୟାୟ ଯୁଦ୍ଧ କର୍ମ ଯେ ଜାଣେ ତାକୁ କ୍ଷତ୍ରିୟ କହି ।୨୬।

କୃଷି ବାଣିଜ୍ୟ ଯେ ଜାଣଇ ତାହାକୁ ବୋଲି ବୈଶ୍ୟ ।

ସେବା ଯେହି କରି ପାରଇ ସେହି ଶୂଦ୍ର ଅବଶ୍ୟ ।୨୭।

ଗୁଣ କର୍ମ ଗୋଟି ପାସୋରି କିପାଁ କଲି ଲାଗିଛି ।

ବୃଥା ପରିଶ୍ରମ କରିଲେ ତହିଁ କି ଲାଭ ଅଛି ।୨୮।

ଯାଅ ଉଡି କଳା କୋଇଲି କହ ଭକ୍ତଙ୍କୁ ମୋର ।

ସକଳ ଘଟରେ ରହିଣଛନ୍ତି ପରମେଶ୍ଵର ।୨୯।

ତାହାଙ୍କର ଯଶ କୀରତି ଶ୍ରବଣ ଶୁଣୁଥାଉ ।

ପ୍ରଭୁଙ୍କ ଦେଖିବାକୁ ନେତ୍ର ଯାଇ ଆନନ୍ଦେ ରହୁ ।୩୦।

ଈଶ୍ଵରଙ୍କ ନାମ ନାସାରେ ଭଜନ କରୁଥାଅ ।

ହେତୁ ରଖିକରି ବାସନା ବାସୁଦେବଙ୍କୁ ଦିଅ ।୩୧।

ଜିହ୍ଵା ମଧୁର ରସ ନିଅନ୍ତୁ ଭାବଗ୍ରାହୀ ।

ଜୀବ ଯଦି ସ୍ଵାଦ ବାରିବ ପ୍ରଭୁ ପାଇବେ କାହିଁ ।୩୨।

କର କରଯେ ଡି ତାହାଙ୍କ କର୍ମ କରିବା ପାଇଁ ।

ତେଣୁ ସିନା ଜୀବକୁ ଦୁଇ ହସ୍ତ ଦେଇଛି ମୁହିଁ ।୩୩।

ପାଦ ତାଙ୍କ କର୍ମ କରିବା ପାଇଁ ଗଗନ କରୁ ।

ପ୍ରଭୁଙ୍କ କର୍ମ ଯହିଁ ନାହିଁ, ପାଦ ଗତି ନ କରୁ ।୩୪।

ମନ ମାୟାକୁ ବଳେ ଗଲେ ଜ୍ଞାନ ଅଙ୍କୁଶ ଧରି ।

ପ୍ରଭୁଙ୍କ କାର୍ଯ୍ୟ କରିବାକୁ ତାଙ୍କୁ ଆଣ ଓଟାରି ।୩୫।

ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଙ୍କୁ ଆଣି ସ୍ଵାଧିନେ ରଖି ।

ପ୍ରଭୁଙ୍କ କାର୍ଯ୍ୟ ନ କରିଲେ ଆଉ ଶାନ୍ତି ଅଛି କି ।୩୬।

ଶୁଭ କାର୍ଯ୍ୟ କୁ ବ୍ୟାଗ୍ର କର, ଅଶୁଭେ ନୋହି ପ୍ରିୟ ।

ଯାଅ ଉଡି କଳା କୋଇଲି ମୋର ଭକ୍ତଙ୍କୁ କହ ।୩୭।

କୃଷି କାରୀ କୃଷି କରିଛି ବଛା ବଛି ହୋଇବ ।

ଧାନ କ୍ଷେତରୁଟି ଘାସ ଯେ ବାଳୁଙ୍ଗା ବଛା ହେବ ।୩୮।

ପ୍ରଭୁଠାରେ ବିଶ୍ଵାସ ରଖି ସକଳ କର୍ମ କର ।

କର୍ମର ଫଳକୁ ପ୍ରଭୁଙ୍କ ଅର୍ଥେ ଅର୍ପଣ କର ।୩୯।

ଏହି ଆଜ୍ଞ ତୋତେ ଦେଉଛି ଚଞ୍ଚଲ ଉଡିଯାଅ ।

ବେଳ ଥାଉ ବନ୍ଧ ବାନ୍ଧିଲେ ବଢିକି ନାହିଁ ଭୟ ।୪୦।

ପ୍ରଭୁ ଆଜ୍ଞା ପାଇ କୋଇଲି ଆନନ୍ଦେ ଉଡିଗଲା ।

ଭାଇ ଭଉଣୀଙ୍କି ପ୍ରଭୁ ଙ୍କ ଆଜ୍ଞା ନେଇ କହିଲା ।୪୧।

କେ ଅବା ଆଜ୍ଞା କୁ ମାନିଲା କେ ଅବା ନ ମାନିଲା ।

ଯେ ଅର୍ଜିଲା ସେହି ଭୁଞ୍ଜିଲା କୋଇଲିର କି ଗଲା ।୪୨।

ଯେ ଅବା ନ ମାନେ ତାହାକୁ ଯୋଗ ଦଣ୍ତ ପ୍ରଳୟ ।

ଯେ ଅବା ମାନଇ ତାହାର ଆଉ ନ ଥାଏ ଭୟ ।୪୩।

ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ଅଭିରାମ ଲେଖଇ ।

ଯାହା ଆଜ୍ଞା ଦେଲେ ମଙ୍ଗଳ ତାଙ୍କ ସନ୍ତାନ ପାଇଁ ।୪୪।

•••

 

ଦ୍ଵିତୀୟ କୋଇଲି–ଲକ୍ଷ୍ୟ ଭାବ

 

ନାରାୟଣ ସରି କୋଇଲି ଶୂନ୍ୟରେ ଉଡିଗଲା ।

ଭାଇ ଭଉଣୀଙ୍କି ପ୍ରଭୁଙ୍କ ଆଜ୍ଞା ନେଇ କହିଲା ।୧।

ନିଶି ଶେଷ ଆସି ହେଲାଣି ଜାଗ ହେଳା ନ କରି ।

ଧର୍ମନାବେ ଆସ ବସିବା ଆଉ ନ କରି ଡେରି ।୨।

ଧର୍ମ-ନାବରେ କର୍ଣ୍ଣଧାରା ଗୁରୁ ହୋଇ ଅଛନ୍ତି ।

ଧର୍ମ-ନାବରେ ଯେ ବସଇ ଆଉ ନ ଥାଏ ଭୀତି ।୩।

ଅଧର୍ମ-ନାବରେ କଳି ଯେ ହୋଇଛି କର୍ଣ୍ଣଧାର ।

କାମିନୀ କାଞ୍ଚନ ନାମରେ ନାବ ଦିଶେ ସୁନ୍ଦର ।୪।

ସୁନ୍ଦର ଦେଖାଇ ନାବରେ ବସାଇ ଜୀବ ନେଇ ।

ମଝି ନଦୀରେ ହେଲା ବେଳେ ନାବ ଦେବ ବୁଡାଇ ।୫।

ଏଣୁ ମାୟା-ନାବେ ନ ବସ ,ବସ ଧର୍ମ-ନାବରେ ।

ସର୍ବେ ଏକ ମୁଖ ହୋଇଣ ବସ ପ୍ରଭୁ ଯହିଁରେ ।୬।

ହିଂସା ଅସତ୍ୟରେ ନ ରସ ଅହିଂସା ସତ୍ୟେ ରସ ।

ସକଳ ଘଟେ ବିଦ୍ୟମାନ ହୋଇ ଅଛନ୍ତି କୃଷ୍ଣ ।୭।

ସୂର୍ଯ୍ୟ ଯେଉଁପରି ଗଗନେ ଉଦେ ହୋଇ ଅଛନ୍ତି ।

ବରଷାଚ୍ଛନ୍ନରେ ଅଦୃଶ୍ୟ ହ୍ୱନ୍ତି ଛାୟାଙ୍କ ପତି ।୮।

ହରି ସେହିପରି ସକଳ ଘଟରେ ବିଦ୍ୟମାନ ।

ହିଂସା ମିଥ୍ୟା ଆଦି ଏମାନେ ସିନା ବରଷା ଦିନ ।୯।

ବର୍ଷାକୁ ଉଡାଇ ଦେଖିଲା ସୂର୍ଯ୍ୟ ଅଛନ୍ତି ଉଇଁ ।

ପାଶେ ପାଶେ ରହି ଅଛନ୍ତି ନେତ୍ରେ ଦିଅ ଅନାଇଁ ।୧୦।

ଦର୍ପଣରୁ ପାରା ଛାଡିଲେ ମୁଖ ଦୃଶ୍ୟ ନୁହଇ ।

ବୁଦ୍ଦି ବିବେକ ଜ୍ଞାନ ପାରା ଦିଅ ଭାବରେ ନେଇ ।୧୧।

ଆତ୍ମା ,ବୃଦ୍ଧି, ଜ୍ଞାନ ବିଷୟା ସବୁ ଗ୍ଲାନି କରିଲା ।

ତେଣୁ ଏ ଦୁର୍ଲ୍ଲଭ ଜନମ ସିନା ବିଅର୍ଥେ ଗଲା ।୧୨।

ପଙ୍କିଳ ଯେପରି ପଙ୍କର ଭିତରେ ରହିଥାଇ ।

ପଙ୍କରୁ ବାହାର ହୋଇଲେ ତାହା ଦେହେ ମଳି ନାହିଁ ।୧୩।

ନୀର କ୍ଷୀର ମିଶ୍ରିତ ହୋଲେ ଯେପରି ନାହିଁ ଭିନ୍ନ ।

ବିଷୟାରେ ସେହି ପରାୟେ ରହିଛି ଯାଇ ମନ ।୧୪।

ନୀର କ୍ଷୀରକୁ ମିଶାଇଲେ ହଂସ ବାଛି ପାରଇ ।

ବିଷୟାରୁ ମନ ଆସିବ ଜ୍ଞାନ କୁ ହଂସ କହି ।୧୫।

ଦେହଟି ହୋଇଛି ବିଶୟା ଇନ୍ଦ୍ରୟମାନେ ଛନ୍ତି ।

ପ୍ରଭୁ କାର୍ଯ୍ୟ ନ କରିବାରୁ ବିଷୟାରେ ଭୁଲନ୍ତି ।୧୬।

ତାହାଙ୍କର ଯଶ କୀରତି କର୍ଣ୍ଣ କୁ ନେଇ ଦିଅ ।

ଈଶ୍ଵରଙ୍କ ରୂପ ଦର୍ଶନ ନେତ୍ରରେ ରହୁ ସେହି ।୧୭।

ନାସା ନାରାୟମ ନାମକୁ ଭଜନ କରୁଥାଉ ।

ବାସନାଟି ବାସୁଦେବଙ୍କୁ ଶ୍ରଦ୍ଧାଭାବରେ ଦେଉ ।୧୮।

 

ଜିହ୍ଵାର ମଧୁର ରସନାକୁ ନାରାୟଣଙ୍କୁ ଦିଅ ।

ଚର୍ମର ଯାହା ଅଭିଳାଷ ଜୀବର ନୋହୁ ପ୍ରିୟ ।୧୯।

କୋମଳ ବିନୟ ବଚନ କହି ପ୍ରାଣିଙ୍କୁ ତୋଷ ।

ସକଳ ପ୍ରାଣିଙ୍କ ହୃଦରେ ଅଛନ୍ତି ହୃଷିକେଶ ।୨୦।

କର କରଯୋଡି ପ୍ରଭୁଙ୍କ କର୍ମରେ ରହିଥାଉ ।

ପ୍ରଭୁଙ୍କ କର୍ମ ଯହିଁ ନାହିଁ, କର ଅଚଳ ହେଉ ।୨୧।

ପାଦ ଆନନ୍ଦେ ଗତି କରୁ ପ୍ରଭୁଙ୍କ ପ୍ରୀତ୍ୟର୍ଥରେ ।

ସକଳ ଇନ୍ଦ୍ରିକି ଓଟାରି ନେଇ ରଖ ମନରେ ।୨୨।

ମନକୁ ଦତ୍ତ କର ନେଇ ନାରାୟଣ ସ୍ଵାମୀଙ୍କି ।

ମନ ଯେ ପ୍ରଭୁଙ୍କୁ ଦିଅଇ ଆଉ ଭୟ ଅଛି କି ।୨୩।

ବିଷୟରେ ରହିଲେ ମଧ୍ୟ ବିଷଇ ନ ଲାଗଇ ।

ମନ ପ୍ରାଣ ଯେଣୁ ଅପମ ମଳି ଲାଗିବ କାହିଁ ।୨୪।

ସର୍ବ କାର୍ଯ୍ୟ ସମ୍ଭାଳି କର ଗୋବିନ୍ଦଙ୍କୁ ନଭୁଲି ।

ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ଏହି ଶିକ୍ଷା ମୁଁ ଦେଲି ।୨୫।

ଚୁଡା କୁଟିବାର ବେଳରେ କେଉଟୁଣୀକି ଦେଖ ।

ସ୍ତନ ପାନ ଦେଉ ଅଛଇ କୋଳେ ଧରି ବାଳକ ।୨୬।

ଏଣେ ଚୁଡାକୁ ପାଛୁଡିଣ ଗ୍ରାହକକୁ ଦିଅଇ ।

ଚୁଲି ଜାଳି ଚୁଡା ଖରଡ଼ି ପାଗକୁ ଦେଖୁଥାଇ ।୨୭।

ଏଣେ ଢିଙ୍କି ପାହାରକୁ ଯେ ହୁଅଇ ସାବଧାନ ।

ଏତେ କାର୍ଯ୍ୟ କରଇ ଜଣେ, ଏଣେ ଶ୍ରୀହରି ଧ୍ୟାନ ।୨୮।

ବିଷୟାରେ ରହିଲେ ମଧ୍ୟ ନ ଭୁଲ ଈଶ୍ଵରଙ୍କୁ ।

ଯେତେକ କର୍ମ କରୁଅଛ ଫଳ ଦିଅ ପ୍ରଭୁଙ୍କୁ ।୨୯।

ଅନ୍ୟାୟ କର୍ମ କୁ ନ ଯାଇ ରହି ନ୍ୟାୟ କର୍ମରେ ।

ଯେ ଯାହା କର୍ମ କର ବସି ପ୍ରଭୁଙ୍କୁ ପ୍ରୀତ୍ୟର୍ଥରେ ।୩୦।

ବ୍ରାହ୍ମଣ, କ୍ଷତ୍ରି, ବୈଶ୍ୟ, ଶୁଦ୍ର ଚାରି ବର୍ଣ୍ଣ ଟି ଯେହି ।

ଗୁଣ କର୍ମକୁ ସତ୍ୟ ଜାଣ, ଅନ୍ୟ ମିଥ୍ୟା ବୋଲାଇ ।୩୧।

ଅସ୍ପର୍ଶତାରେ ନାହିଁ ଜାତି ଏ ବିଚାରି ଧର ।

ବିଚାରି କାର୍ଯ୍ୟ କରୁଥିଲେ କିମ୍ପା ହେବ ସମର ।୩୨।

ହିଂସା ଅସତ୍ୟରେ ଯେ କର୍ମ ତାକୁ ଅସ୍ପର୍ଶ କୁହ ।

ଅହିଂସା ସତ୍ୟ ସୁତ୍ରେ ଯେତେ ତାହାକୁ ସ୍ପର୍ଶ କହି ।୩୩।

ଆଲ୍ଲା ,ଖ୍ରୀଷ୍ଟ , କୃଷ୍ଣଙ୍କୁ ବୁଝି ଅଦ୍ଵୈତେ କର ସାର ।

ଯେହି ଆଲ୍ଲା ସେହିଟି ଖ୍ରୀଷ୍ଟ ସେହି ସାରଙ୍ଗଧର ।୩୪।

ଯେ ଯାହାର ମାତୃଭାଷାରେ ନାମ ହୋଇଛି ଭିନ୍ନ ।

ପାନି,ପାଣି ,ଜଳ କହିଲେ ଏ ତିନି ସମାନ ।୩୫।

ସମସ୍ତେ ଏକମୁଖ ହୋଇ ଡାକିବା ନାରାୟଣ ।

ତାହାଙ୍କୁ ଅର୍ପଣ କରିବା ଆମ୍ଭର ମନ ପ୍ରାଣ ।୩୬।

ଯେଉଁ ପରମ ଈଶ୍ଵରଙ୍କ ରୂପରେଖ ନ ଥାଇ ।

ଆଲ୍ଲା, ଖ୍ରୀଷ୍ଟ, କୃଷ୍ଣ ବୋଇଣ ସିନା ତାହାଙ୍କୁ କହି ।୩୭।

ଭକତ ଭାବରେ ଅରୁପାନନ୍ଦ ରୂପ ହୁଅନ୍ତି ।

ଅର୍ଧମ ବିଧ୍ଵଂସନ କରି ଧର୍ମଶିକ୍ଷା ଦିଅନ୍ତି ।୩୮।

ଭକତଙ୍କ ସଙ୍ଗେ ଖେଳିଣ ଯାଆନ୍ତି ନିଜ ପୁର ।

ଯୁଗକୁ ଯୁଗ ଏହି ଖେଳ ଖେଳନ୍ତି ଚକ୍ରଧର ।୩୯।

ଯାହାର ଯେ ସ୍ଥାନେ ବିଶ୍ଵାସ ତହିଁ ହରି ଅଛନ୍ତି ।

କାଷ୍ଠ, ପାଷାଣ, ତରୁ, ତୃଣେ ଅଛନ୍ତି ଦାଶରଥି ।୪୦।

ଯାହାର ଯେ ସ୍ଥାନେ ବିଶ୍ଵାସ କାହାକୁ ନିନ୍ଦ ନାହିଁ ।

ଅଶିକ୍ଷିତଙ୍କୁ ଶିକ୍ଷାଦିଅ, ଆନନ୍ଦ ଜନ୍ମୁ ଏହି ।୪୧।

ପ୍ରଭୁଙ୍କ ଆଜ୍ଞାକୁ ଅବଜ୍ଞା କରିବି ଅବା କେହି ।

ଯାହା ଆଜ୍ଞା ଦେଇ ଅଛନ୍ତି ତାହା କହିଲି ମୁହିଁ ।୪୨।

ସଂସାରେ ସାର ଏକ ଧର୍ମ ବହୁତ ଧର୍ମ ନାହିଁ ।

ସର୍ବ ଧର୍ମକୁ ମନୁ ତେଜି ଏକଇ ଭାବଗ୍ରାହୀ ।୪୩।

ଯାହାକୁ ଧରିବ ତାହାକୁ ସିନା କହିଛି ଧର୍ମ ।

ବିଶିଷ୍ଟାଦ୍ଵଇତ ବାଦରେ ପ୍ରାଣୀ ହୋଇଲେ ଭ୍ରମ ।୪୪।

ପରମ ଈଶ୍ଵର ପ୍ରାଣିଙ୍କ ସକଳ ଧର୍ମ ସେହି ।

ସକଳ ଦେହେ ଏକ ଧର୍ମ ଦେଖ ପୁରି ଅଛଇ ।୪୫।

ଆକାଶରୁ ଘନ ବରଷି ନଦୀରେ ପୁରି ଥାଇ ।

ସମୟ ଘେନି ନଦୀ ଜଳ ସମୁଦ୍ରରେ ମିଶାଇ ।୪୬।

ନଦୀ ଜଳ ଯାଇ ସମୁଦ୍ରେ ଯଦି ନ ମିଶୁ ଥାନ୍ତା ।

ତେବେ ବହୁତ ଧର୍ମ ବୋଲି ସଂସାରେ ରହିଥାନ୍ତା ।୪୭।

ସର୍ବ ଦେବଙ୍କୁ ନମସ୍କାର ଯଦି କରିବ ଭାଇ ।

ହରି ଛଡା ସେ ନମସ୍କାର କିଏ ପାରିବ ନେଇ ।୪୮।

ନଦୀ, ସାଗର ନ୍ୟାୟ ଦେଇ ବୁଝାଇଲି ତୁମ୍ଭଙ୍କୁ ।

ବେଳକୁ ନ ଥିବଟି କଳି ଧର ନାରାୟଣଙ୍କୁ ।୪୯।

ଦୁର୍ଜ୍ଜୟ ଶୂନ୍ୟ ଦେହ ଯାର ଭକତ ଭାବେ ଛନ୍ତି ।

ତେଣୁ ସେ ଭକତ –ସମ୍ପତ୍ତି ସିନାଗାଈ ବୋଲାନ୍ତି ।୫୦।

ଗାଈର ପଛରେ ଯେପରି ବାଛୁରୀ ରହିଥାଇ ।

ଶ୍ରୀହରି ହୋଇଛନ୍ତି ବତ୍ସା ଭକତ ସିନା ଗାଈ ।୫୧।

ବତ୍ସା ସିନା କ୍ଷୀର ଆଶାରେ ରହେ ଗାଈ ପଛର ।

ଭକତ ପଛରେ କିପାଇଁ ରହନ୍ତି ଚକ୍ରଧର ।୫୨।

କେବଳ ଭକତର ଭାବ କ୍ଷୀର ହୋଇଛି ମାତ୍ର ।

ତେଣୁ ଭାବଗ୍ରାହୀ ନାମକୁ ବହିଛନ୍ତି ଅଚ୍ୟୁତ ।୫୩।

ଶୁଣ ସର୍ବ ଭାଇ ଭାଉଣୀ ଆଉ କହିବି କିସ ।

ତ୍ରି ଯାମା ବିନାଶ ହୋଇଲେ ଉଦେ ହେବେ ଦିନେଶ ।୫୪।

ବେଳ ଥାଉଁ ବନ୍ଧ ବାନ୍ଧବ କହି ଯାଉଛି ମୁହିଁ ।

ଧନ ହଜାଇଣ ଖୋଜିଲେ ଆଉ ମିଳିବ ନାହିଁ ।୫୫।

ସନାତନ ଧର୍ମଟି ଏହି ଏଥି ହେଳା ନ କର ।

ଏକ ଜୀବ ଏକ ପରମ ଏହି ସଂସସାରେ ସାର ।୫୬।

ନାରାୟଣ ଆଜ୍ଞା ପ୍ରମାଣେ ଅଭିରାମ କହଇ ।

ପ୍ରଭୁ ଯାହା କଲେ ମଙ୍ଗଳ ତାଙ୍କ ସନ୍ତାନ ପାଇଁ ।୫୭।

•••

 

ତୃତୀୟ କୋଇଲି–ସ୍ପର୍ଶ ଅସ୍ପର୍ଶ ମୀମାଂସା

 

ନାରାୟଣ ସ୍ମରି କୋଇଲି ଆନନ୍ଦେ ଉଡିଗଲା ।

ବିଷ୍ଣୁ-ବୃକ୍ଷ ତ୍ରୋଡରେ ରହି ଇଷ୍ଟଦେବ ଚିନ୍ତିଲା ।୧।

ଏହି ସମୟରେ ଶୁଣିଲା ମର୍ତ୍ତ୍ୟପୁର ଶବଦ ।

ଅସ୍ପର୍ଶ ସ୍ପର୍ଶର କାହାଣୀ ଶୁଣି ହେଲା ସ୍ତବଧ ।୨।

ଧର୍ମଜ୍ଞାନ ଶୂନ୍ୟ ହେବାରୁ ନ ରହେ ନିତ୍ୟ ଜ୍ଞାନ ।

ଭୁଲି ଯାଇଛନ୍ତି ବେଦର ବିହିତ କର୍ମମାନ ।୩।

ଅସ୍ପର୍ଶ କାହାକୁ ବୋଲନ୍ତି ଦିନେ ଜାଣନ୍ତି ନାହିଁ ।

ଅକଥାରେ କଥା କହନ୍ତି ମିଛେ କଳି ଲଗାଇ ।୪।

ଛତିଶ ବର୍ଣ୍ଣରେ ଲାଗିଛି ମହା ତୁମୂଳ ଯୁଦ୍ଧ ।

ଅର୍ଥକୁ ଅନର୍ଥ କରନ୍ତି ବଲି ବହୁତ ବୃଦ୍ଧ ।୫।

ବଡ ହେବା ପାଇଁ ମୋଡନ୍ତି ନିଶ ବହୁତ ଲୋକ ।

ଗୁଡିଏ ସାନ ସୃଷ୍ଟି କରି ହୋଇଛନ୍ତି ଦାମ୍ଭିକ ।୬।

ସର୍ବଭୂତେ ହରି ଅଛନ୍ତି ବୋଲି ଜାଣନ୍ତି ନାହିଁ ।

ଧାରାକୁ ସରା ମନେ କରି ହେଉଥାନ୍ତି ଫୁଲାଇ ।୭।

ବିଷ୍ଣୁ ବୃକ୍ଷ ତ୍ରୋଡରେ ରହି କୋଇଲି ଦେଖୁଥିଲା ।

ସତ୍ୟ ନାରାୟଣ ସୁମରି ପକ୍ଷୀ ଉଡି ଆସିଲା ।୮।

 

 

ମଧୁର ସ୍ଵରରେ ଭାଷଇ ଶୁଣ ସକଳ ଭାଇ ।

ଏକ ଘରେ ରହି କଳହ କରୁଅଛ କିପାଇଁ ।୯।

ଉତ୍ପତ୍ତି, ସ୍ଥିତି, ସଂହାରକ ବୋଲାନ୍ତି ଚକ୍ରପାଣି ।

ସେ ବିଶ୍ଵବ୍ରହ୍ମାଣ୍ତ ଜନକ ଶୁଣ ଭାଇ ଭଉଣୀ ।୧୦।

ଯେତେବେଳେ ଧାତା ଜନମ କଲେ ମାନବ ସୃଷ୍ଟି ।

ସେତେବେଳେ ନ ଥିଲା ଏହି ଛୁଆଁ ଛୁଇଁ ଅରଷ୍ଟି ।୧୧।

ଋଷିଙ୍କି ଜନମ କରିଲେ ଧାତା ସୃଷ୍ଟି ସୃଜନେ ।

ମରୀଚି ଅଙ୍ଗି ରାଦି ମୁନି ମହା ଆନନ୍ଦେ ମନେ ।୧୨।

ବ୍ରହ୍ମାଙ୍କ ଆଜ୍ଞାରେ ଋଷିଏ ଋଷି କନ୍ୟାଙ୍କୁ ଧରି ।

ମାନବ ସୃଷ୍ଟି ଗଢିଛନ୍ତି ବଡ ଯତନ କରି ।୧୩।

ଏଣୁ ଋଷି ପୁତ୍ର ବୋଲାନ୍ତି ସକଳ ପ୍ରାଣିମାନେ ।

ଅଦ୍ୟାବଧି ଋଷି ଗୋଟିଏ ଶୁଣୁଅଛ ତ କର୍ଣ୍ଣେ ।୧୪।

ଭରହାଜ ବଶିଷ୍ଟ ଆଦି ବହୁତ ଗୋତ୍ର ଅଛି ।

ପୁର୍ବ ପୁରୁଷଙ୍କ ଜନମ ଋଷି ଠାରୁ ଆସିଛି ।୧୫।

ଏଣୁ ଋଷି ପୁତ୍ର ପୃତ୍ରୀଟି ସର୍ବ ଭାଇ ଭଉଣୀ।

ଦିନେ ବଛାବଛି ହୋଇବ ଶୁଣ, ଭକତଶ୍ରେଣୀ ।୧୬।

ଭଗବାନଙ୍କର ଛତିଶ ନିଯୋଗ ସେବା ପାଇଁ ।

ଛତିଶ ବର୍ଣ୍ଣ ହୋଇଛନ୍ତି ଯେଝା ଆୟୁଧ ନେଇ ।୧୭।

ରଜକ ନିଅଇ ବସନ ସଫା କରି ଦିଅଇ ।

କାହା ଯୋଗେ ହେଲା ଅସ୍ପର୍ଶ ଦେଖି କହିଲ ଭାଇ ।୧୮।

ମାତା ଯେଉଁପରି ପୁତ୍ରର ମଳ ମୁନ୍ତ୍ର ପୋଛଇ ।

ମେହେନ୍ତର ସେହି ପରାୟେ, ଶୁଣ ସକଳ ଭାଇ ।୧୯।

ଏଥିପାଇଁ ମେହେନ୍ତରଟି ଯଦି ଅଛୁଆଁ ହେବ ।

ମାତାଠାରେ ଅଛୁଆଁ ଦୋଷ କିମ୍ପା ନ ପ୍ରବର୍ତ୍ତିବ ।୨୦।

ବେଦ ନ କହେ ଯାହା ମୁଖେ, ପ୍ରାଣୀ ବଡିମା ପାଇଁ ।

ଜାତି ବିଭାଗ ଭ୍ୟାଇଛନ୍ତି ଏକ ବାଡ ପକାଇ ।୨୧।

ହରି ସର୍ବଭୁତେ ଅଛନ୍ତି ସର୍ବେ ହରିଙ୍କ ପୁତ୍ର ।

କାଟି କରି ଯଦି ଦେଖିବ ସବୁ ଏକ ରକତ ।୨୨।

ଛୁଆଁ ଦୋଷ ଗୋଟି ନ ଥିଲା ଅଛି ରହିବ ନାହିଁ ।

ସୂର୍ଯ୍ୟ ଉଦୟକୁ ନିଶାନ୍ତ ଆସି ଗଲାଣି ହୋଇ ।୨୩।

କୋଇଲି ମଧୁରେ ଭାଷଇ ଏ ସବୁ ଛୁଆଁ ନୁହେଁ ।

ସ୍ପର୍ଶ ଅସ୍ପର୍ଶ ର ମୀମାଂସା ସୁମ, ଯାହା ମୁଁ କହେ ।୨୪।

କାମ, କ୍ରୋଧ, ଲୋଭ, ମୋହ କେ ମଦ, ମତ୍ସର୍ଯ୍ୟ ଆଦି ।

ଯଥାସ୍ଥାନେ କର୍ମ ନ କରି ପ୍ରାଣୀ ହୁଅନ୍ତି ଧନ୍ଦି ।୨୫।

ନୃଶଂସ କାର୍ଯ୍ୟ ଯେ କରଇ ସେ କି ଅସ୍ପର୍ଶ ନୁହେଁ ।

ପରର ସୌଭାଗ୍ୟ ଦେଖିଣ ଯେ ଈର୍ଷାନ୍ଵିତ ହୁଏ ।୨୬।

ଘୃଣ୍ୟ କର୍ମ ଯେହି କରନ୍ତି ,ତାଙ୍କୁ ଅସ୍ପର୍ଶ କହି ।

ମନୁଷ୍ୟ କିଏ ଅସ୍ପରଶ, ଦେଖିନାହିଁ ମୁଁ କାହିଁ ।୨୭।

ଜଗତରେ ଯାହା ଦେଖୁଛ ସବୁ ଗୋଟିଏ ଧର୍ମ ।

ଆହାର, ନିଦ୍ରା, ମଇଥୁ ନ ସବୁ ଗୋଟିଏ କର୍ମ ।୨୮।

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟ ବୁଝିଲେ ସବୁ ଏକ ।

ଏକଧର୍ମାବଲମ୍ବୀ ସବୁ, ସର୍ବେ ଈଶ୍ଵରାମ୍ଭିକ ।୨୯।

ପରସ୍ପରେ ଭ୍ରାତୃଭାବଟି ବଡ ସୁଯୋଗ ବାଟ ।

ଭ୍ରାତୃଭାବ ତେଜି ଚଳିଲେ ପଛେ ବଡ ସଙ୍କଟ ।୩୦।

ଭାଇଙ୍କି ଭାଇ ଭାବେ ଦେଖ, ତେଜ ଅସ୍ପର୍ଶ ନୀତି ।

ମନ୍ଦ କର୍ମକୁ ହୃଦୁ ତେଜ, ସ୍ଵାମୀ କହି ଅଛନ୍ତି ।୩୧।

ଯେଉଁ ନୀତି କଲେ ସମାଜ ଶୃଙ୍ଖଳାରେ ରହଇ ।

ସେହିଟି ହେଲା ମୂଳ ଧର୍ମ, ସ୍ଵାମୀ ଅଛନ୍ତି କହି ।୩୨।

ଭ୍ରାତୃଭାବ ଯଦି ଭୁଲିବ, ହେବ ତୁମୁଳ ଯୁଦ୍ଧ ।

ଧର ଧର ମାର ମାରରେ କର୍ଣ୍ଣ ହେବ ସ୍ତବଧ ।୩୩।

ହୋଇବ ଭାରତ ଯୁଦ୍ଧଟି ହିଂସା କରିବ ଯେବେ ।

ନିରପେକ୍ଷ ହୋଇ କିଏ ସେ ଜଣେହିଁ ନ ରହିବେ ।୩୪।

କୋଇଲି ଚେତାଇ ଦେଉଛି ବେଳେହୁଁ ଶାନ୍ତି ବାଟ ।

ହାର ଉନ୍ମୁକ୍ତ ରହିଅଛି ,କିଛି ନାହିଁ ସଙ୍କଟ ।୩୫।

ଯଦି ମୋର କଥା ନ ମାନି କଳି କରିବ ବସି ।

ତିନି ଭାଗ ଉଇ ଖାଇବେ ,କୋଇଲି କହେ ହସି ।୩୬।

ପ୍ରକୃତିଙ୍କି ନିଜ ଆୟତ୍ତେ ରଖି ସ୍ଵାଧିନ ହୁଅ ।

ପରାଧୀନେ ଯଦି ରହିବ ଅଚି ବହୁତ ଭୟ ।୩୭।

 

 

ରାମରାଜ୍ୟ ହେବ ହୃଦୟ, କୋଇଲି କହିଗଲା ।

ଅଭିରାମ ବାଇ ଭାଷଇ ଆସି ନିଶାନ୍ତ ହେଲା ।୩୮।

•••

 

ଚତୁର୍ଥ କୋଇଲି–ସନାତନ ଧର୍ମ

 

ନାରାୟଣ ସ୍ମରି କୋଇଲି ଆନନ୍ଦେ ଉଡିଗଲା ।

ଧର୍ମ ସମ୍ବଦ୍ଧରେ କଳହ ବ୍ୟାପୀଅଛି ଦେଖିଲା ।୧।

ଭାରତ ଭୂମିରେ ଦେଖଇ ଧର୍ମର ସଂଖ୍ୟା ନାହିଁ ।

ନଅଶ ଛପନ ପ୍ରକାର ଧର୍ମ ବୁଲଇ ଦେଖଇ ।୨।

ମୁସଲମାନ, ଖ୍ରୀଷ୍ଟିୟାନ ହିନ୍ଦୁଧର୍ମ ଆବର ।

ବୌଦ୍ଧ, ଜୌନ, ଗାଣପତ୍ୟ ଯେ ଶାକ୍ତ, ଶୌବ, ସଉର ।୩।

ବ୍ରହ୍ମା ଯେ ବୈଷ୍ଣବ ଇତ୍ୟାଦି ନବଶତ ଛପନ ।

ବୀର ଧର୍ମ, ନାରୀଧର୍ମ ଯେ ସନ୍ନ୍ୟାସ, ରାଜଧର୍ମ ।୪।

ପୁଣ୍ୟ ଧର୍ମ, ଆଚାର ଧର୍ମ ପ୍ରତିବ୍ରତାର ଧର୍ମ ।

ମନୁଷ୍ୟ ଧର୍ମ, ଜୀବ ଧର୍ମ, ପୁରୁଷ ମନ ଧର୍ମ ।୫।

ଗୃହସ୍ଥ ଧର୍ମ, ଜାତି ଧର୍ମ, କୁଳ ଧର୍ମାଦି ଯେତେ ।

ଦେଖି ଦେଖି ଥକା ହୋଇଲା ଆଉ ଗଣିବ କେତେ ।୬।

କେଉଁ ଧର୍ମର ଧାଡି ନାହିଁ, ଶାନ୍ତି ଆସିବ କାହିଁ ।

ତେଣୁ କଳି ରାଜା ଧରମ ଦାଣ୍ତେ ବସି ଅଛଇ ।୭।

ଧର୍ମରେ କଳହ ଲାଗନ୍ତେ କୋଇଲି ଦେଖୁଥିଲା ।

ସତ୍ୟନାରାୟଣ ସୁମରି ପକ୍ଷୀ ଉଡି ଆସିଲା ।୮।

 

 

ମଧୁର ସ୍ଵରରେ କହଇ ଶୁଣ ସକଳ ଭାଇ ।

ସକଳ ଦେବେ ଏକ ଧର୍ମ ଦେଖ ପୁରି ଅଛଇ ।୯।

ଧର୍ମ ଦାଣ୍ତେ କଳି ବସନ୍ତେ ଧର୍ମ ହୁଅଇ ଗ୍ଲାନି ।

ତେଣୁ ଯୋଗେଶ୍ଵର ଜନ୍ମନ୍ତି ବେଳକାଳକୁ ଜାଣି ।୧୦।

ଧର୍ମ ସଙ୍ଗେ ଖେଳି ଅର୍ଧମ ଦୁଷ୍କୃତଙ୍କୁ ନାଶନ୍ତି ।

ଏଣୁ ସନାତନ ଧର୍ମ ବିଧିମତେ ସ୍ଥାପନ୍ତି ।୧୧।

ତ୍ରିଗୁଣାତୀତ ସନାତନ ଜୀବଧର୍ମ ତା ଅର୍ଥ ।

ସନାତନ ଶବ୍ଦ ଯାହା କି ତା ନାମ ତତ୍‌ସତ ।୧୨।

ଧୃ ଧାତୁରୁ ମନ୍ ପ୍ରତ୍ୟୟ ହାରା ଏହା ନିଷ୍ପନ୍ନ ।

ଧୃ ଧାତୁର ଅର୍ଥ ଧାରଣ କରିବାର ଏ ଧର୍ମ ।୧୩।

ସଂସାରକୁ ଯିଏ ଧରିଛି ମୂଳ ଧର୍ମଟି ସେହି ।

ହରିଛଡା ବିଶ୍ଵ ଧାରଣେ କେହି ସମର୍ଥ ନାହିଁ ।୧୪।

ଏଣୁଟି ପରମ ଈଶ୍ଵର ପ୍ରାଣିଙ୍କ ନିତ୍ୟ ଧର୍ମ ।

ଏ ଅର୍ଥ ଗୋଟି ନ ବୁଝିଲେ ନ ତୁଟିପାରେ ଭ୍ରମ ।୧୫।

ଆଦି ପୁରୁଷ ସୃଷ୍ଟି କର୍ତ୍ତା ମୂଳ ଧର୍ମଟି ସେହି ।

ତାହାଙ୍କୁ ଧରି ଏସଂସାର ଦେଖ ରହି ଅଛଇ ।୧୬।

ତାଙ୍କ ନୀତିରୁ ଏ ସମାଜ ବହିର୍ଭୁତ ନୁହଇ ।

ଯେଉଁ ନୀତିରେ ସର୍ବ ପ୍ରାଣିଙ୍କର ମଙ୍ଗଳ ହୋଇ ।୧୭।

ଜନ ସମୂହ ଧାରା ହୋଇଥାନ୍ତି ଯେଉଁ ନୀତିରେ ।

ସେହି ଧରମର ଏ ନୀତି ସାଧକ ବୁଝ ଧୀରେ ।୧୮।

ଧର୍ମ ସଙ୍ଗେ ନୀତି ଶିକ୍ଷାର ଘନିଷ୍ଠ ଭାବ ଅଛି ।

ପ୍ରଥମେ ଧର୍ମଶିକ୍ଷା କର, ସାର ବାଛି ଭାବୁଛି ।୧୯।

ମୁସଲମାନ ,ଖ୍ରୀଷ୍ଟିୟାନ ,ହିନ୍ଦୁ ଧର୍ମାଦି ଯାକୁ ।

ଧରମ ନୁହେଁ ସେ ସମ୍ପ୍ରଦା ସିନା ବୋଲି ତାହାକୁ ।୨୦।

ଧରମ ବୋଇଲେ ପୃଥିବୀ ବ୍ୟାପୀ ଗୋଟିଏ ଧର୍ମ ।

ସବୁ ବର୍ଣ୍ଣର ଅଧିକାର, ନାହିଁ କେ ବଡ ସାନ ।୨୧।

ଏକ ଧର୍ମ ବୋଲି ସଂସାରେ ଯଦି ଜାଣି ଥାଆନ୍ତେ ।

ଭାଇରେ ଭାଇରେ କିପାଇଁ ହଣା ହଣି ହୁଅନ୍ତେ ।୨୨।

ଏକଧର୍ମ ବୋଲି ସଂସାରେ ଯଦି ପାରନ୍ତେ ଜାଣି ।

ପରସ୍ପରେ ହିଂସା କିପାଇଁ କରୁ ଥାଆନ୍ତେ ପ୍ରାଣୀ ।୨୩।

ସର୍ବେ ସୁଖୀ ହ୍ୱନ୍ତୁ, ସମସ୍ତେ ନୀରୋଗ ହୋଇଥାନ୍ତୁ ।

ସମସ୍ତେ ମଙ୍ଗଳେ ରହନ୍ତୁ, କେ ଦୁଃଖେ ନ ପଡନ୍ତୁ ।୨୪।

ଏବାଞ୍ଛା ଯାହାର ତାହାକୁ କହି ଧର୍ମ ପୁରୁଷ ।

ସକଳ ପ୍ରାଣିଙ୍କ ହୃଦରେ ଯଣୁ ଅଛନ୍ତି କୃଷ୍ଣ ।୨୫।

ପବିତ୍ର ଈଶ୍ଵର ମନ୍ଦିର ଅଟେ ଏହି ଶରୀର ।

ରାଧାକୃଷ୍ଣ ଖେଳୁ ଅଛନ୍ତି ଭକତଙ୍କୁ ଗୋଚର ।୨୬।

ଏକବିଂଶ ସସ୍ର ଷଟଶ ସୂତ୍ରେ ଲାଗିଛି ଖେଳ ।

ଏକାକ୍ଷରେ ଖେଳ ଲାଗିଛି,ଏହି ଧରମ ମୂଳ ।୨୭।

ଜୀବକୁ ଭୁଞାଇ ଭୁଞନ୍ତି ସର୍ବ ହୃଦରେ ରହି ।

ଯାର ଭକ୍ତିରେ ମଳି ଥାଏ, ତାକୁ ଦ୍ୟନ୍ତି ଭୁଲାଇ ।୨୮।

ଭକତ ଜିହ୍ଵାରେ ଭୁଞନ୍ତି ଭକତଙ୍କ ବାନ୍ଧବ ।

ଭକ୍ତର କର୍ମ ଫଳ ସବୁ ଭୁଞ୍ଜନ୍ତି ବାସୁଦେବ ।୨୯।

ଭକ୍ତ ନ ଦେଲେ ନ ପାଆନ୍ତି ଯେଣୁ ନିର୍ଲିପ୍ତେ ଥାନ୍ତି ।

ଭକ୍ତ ଭଗବାନ ସମ୍ବନ୍ଧ ଅନୁଭବୀ ଜାଣନ୍ତି ।୩୦।

କୋଇଲି କହଇ ଭକତ ଭଗବାନଙ୍କ ମେଳ ।

ନିକଟ ଆସି ହେଲାଣିଟି ପ୍ରଭୁ କରିବେ ଖେଳ ।୩୧।

ଭକତ ଗୃହ କୁ ଆସିବେ ଭାବ ଭୁଞ୍ଜିବା ପାଇଁ ।

ଯାହାର ଗୃହ ନିରିମଳ ପ୍ରଭୁ ବସିବେ ତହିଁ ।୩୨।

ଭକ୍ତ ଦତ୍ତ ଦ୍ରବ୍ୟ ଭୁଞ୍ଜିଣ ସ୍ଵାମୀ ଆନନ୍ଦ ହେବେ ।

ଶ୍ରୀପଦ୍ମକରେ ଭକତଙ୍କୁ କୋଳାଗ୍ରତ କରିବେ ।୩୩।

ପର୍ଭୁ ଆଜ୍ଞା ଇତି କହିଣ କୋଇଲି ଉଡିଗଲା ।

ଅବିରାମ ବାଇ କହଇ ଆସି ରାତି ପାହିଲା ।୩୪।

•••

 

ପଞ୍ଚମ କୋଇଲି–ଚାରି ସମ୍ପଦା ମୀମାଂସା

 

ନାରାୟଣଙ୍କୁ ସୁମରିଣ କୋଇଲି ଉଡିଗଲା ।

ଚାରି ସମ୍ପ୍ରଦାରେ କଳହ ଲାଗିଅଛି ଦେଖିଲା ।୧।

ଯେଉଁପରିକି ଚାରି ବର୍ଣ୍ଣ ଉଚ୍ଚ ନାଚ ବାଛନ୍ତି ।

ଜାତି ଶ୍ରେଷ୍ଠକୁ ବିଚାରିଣ କଳହ କରୁଥାନ୍ତି ।୨।

ସେପରି ଚାରି ସମ୍ପ୍ରଦାରେ କଳି ଲାଗି ଅଛଇ ।

ଶ୍ରୀ ସମ୍ପ୍ରଦା କହୁ ଅଛନ୍ତି ଆମ୍ଭର ଶ୍ରେଷ୍ଠ ହୋଇ ।୩।

ପରମ ଶୂନ୍ୟ ଆମ୍ଭ ଧାମ, କ୍ଷେତ୍ର ମଦାଗ୍ନି କହି ।

ରଘୁନାଥ ଆମ୍ଭ ଦେବତା ସଂସାରେ ବଡ ସେହି ।୪।

ମାଧବାଚାର୍ଯ୍ୟ କହୁଛନ୍ତି ବଦ୍ରିକା ଆମ୍ଭ ଧାମ ।

ଶ୍ରେଷ୍ଠ କ୍ଷେତ୍ର ଗୋଟି ଆମ୍ଭର ହୋଇଛି ପୃଷୋତ୍ତମ ।୫।

ଦେବତା ଆମ୍ଭର ନୃସିଂହ ଶ୍ରେଷ୍ଠ ଆମ୍ଭେ ବୋଲାଉ ।

ନୃସିଂହ ଛଡା ଆମ୍ଭେ ଅନ୍ୟ କାହାକୁ ଜାଣିନାହୁଁ ।୬।

ନିମାନନ୍ଦ କହନ୍ତି ଆମ୍ଭ ସମ୍ପ୍ରଦା ଧନ୍ୟ ଧନ୍ୟ ।

କ୍ଷେତ୍ର ଆମ୍ଭର ଯେ ଗୋକୁଳ, ଧାମଟି ବୃନ୍ଦାବନ ।୭।

ରାଧାବଲ୍ଲଭ ଆମ୍ଭ ପ୍ରଭୁ ପୁର୍ଣ୍ଣବ୍ରହ୍ମ ବୋଲାନ୍ତି ।

ଏଣୁ ନିମାନନ୍ଦ ସମ୍ପ୍ରଦା ଭକ୍ତ ଉଚ୍ଚରେ ଛନ୍ତି ।୮।

 

 

ବିଷ୍ଣୁ ସ୍ଵାମୀ ସମ୍ପଦା କହନ୍ତି ସେ ସବୁ ଅଧିକ ।

ଧାମ ଆମ୍ଭର କ୍ଷୀରଶାୟୀ, କ୍ଷେତ୍ର ଅଟେ ଗୋଲକ ।୯।

ଶ୍ରୀବସ୍ର ପ୍ରଭୁଙ୍କୁ ସେବଇ ଯେହି ସଂସାର ସାର ।

ଏଣୁ ବିଷ୍ଣୁ ସ୍ଵାମୀ ସମ୍ପ୍ରଦା ଶ୍ରେଷ୍ଠ ହେଲା ଆମ୍ଭର ।୧୦।

ଚାରି ସମ୍ପ୍ରଦାରେ କଳହ ଦେଖି କୋଇଲି କହେ ।

ତୁମ୍ଭମାନଙ୍କର କଳହ ଦେଖି ମୋର ସଂଶୟେ ।୧୧।

ଗୁଡରେ ଗୋଟିଏ ପ୍ରତିମା ତିଆରି କରିଦେବ ।

କେ କର୍ଣ୍ଣ କୁ ଖାଇ, କେ ଅବା ନେତ୍ର କୁ ଖାଇଯିବ ।୧୨।

କେ ଅବା ମୁଖକୁ ଭକ୍ଷଇ କେହି ଭୁଞ୍ଜଇ ନାସା ।

ସର୍ବଠାରେ ମିଠା ସମାନ କେହି ନୁହଇ କଷା ।୧୩।

ହରେ ରାମ କୃଷ୍ଣ ଶ୍ରବତ୍ସ ଏଥି ଭିନ୍ନ ଅଛି କି ।

ଏକ ବ୍ରହ୍ମରୁ ଦୁଇ ନାହିଁ କଳି ଲାଗେ କାହିକିଁ ।୧୪।

କେହି ବା ଭଜୁ ଥାଇ ଶଙ୍ଖ କେହି ଚକ୍ର ଭଜଇ ।

କେ ଅବା ଗଦାକୁ ଭଜଇ କେହି ପଦ୍ମ ଧରଇ ।୧୫।

ବୁଝିଲେ ଏ ସବୁ ଅୟୁଧ ନାରାୟଣଙ୍କ ଭୁଜ ।

ବଡ ସାନ ଏଥିରେ ନାହିଁ ଏକ ବୋଲିଟି ବୁଝ ।୧୬।

ନୀଳାଚଳରେ ଯେ ବସିଣ ଅଛନ୍ତି ଜଗନ୍ନଥ ।

ସେ ପ୍ରଭୁଙ୍କ ଦରଶନକୁ ରହିଛି ଚାରି ପଥ ।୧୭।

କେ ଅବା ପୂର୍ବ ହାରେ ଯାଏ, କେହି ପଶ୍ଚିମ ଦ୍ଵାର ।

ଦକ୍ଷିଣ ଦ୍ଵାରକେ ଯାଅଇ,କେହି ଉତ୍ତର ଦ୍ଵାର ।୧୮।

ଯେ ଯେଉଁ ଦ୍ଵାରେ ଗଲେ ମଧ୍ୟ ସବୁରି ଜଗନ୍ନାଥ ।

ବଡ ସାନ କିମ୍ପା ବାଛିବା ? ଶୁଣ ପ୍ରଭୁଙ୍କ ଭକ୍ତ ।୧୯।

ପରସ୍ପରେ ହିଂସା କରିବା ନୁହେଁ ଭକ୍ତ ଭୂଷଣ ।

ପ୍ରଭୁଙ୍କ ଆଜ୍ଞାରୁ କହୁଛି ସର୍ବ ଭକତେ ଶୁଣ ।୨୦।

କେ ବା ଶିବ ଶକ୍ତି ଭାବଇ କେ ଅବା ଗଣପତି ।

କେ ଅବା ଭାସ୍କରଙ୍କୁ ଭଜେ କେ ଅବା ଲକ୍ଷ୍ମୀପତି ।୨୧।

ଯିଏ ଯାହାକୁ ଭଜୁଅଛି ଭଜ ଆନନ୍ଦ ହୋଇ ।

ଏକଇ ପରମ ଈଶ୍ଵର ସର୍ବ ସ୍ଥାନରେ ସେହି ।୨୨।

ଯେପରିକି ଆକାଶୁ ଜଳ ବରଷା ହେଉଥାଇ ।

ନଦୀ ପୁଷ୍କରିଣୀରେ ପୁରି ସାଗରରେ ମିଶଇ ।୨୩।

ନଦୀ ଜଳ ଯଦି ସାଗରେ ଯାଇ ନ ମିଶୁଥାନ୍ତା ।

ତେବେ ଦେବାଦେବୀ ବୋଲିଣ ଭିନ୍ନ ହୋଇ ଥାଆନ୍ତା ।୨୪।

ଏଣୁ ବହୁ ରୂପ ହୋଇଣ ଅଛନ୍ତି ପୃଷୋତ୍ତମ ।

ଏକ ବୋଲି ଜ୍ଞାନ ନ କଲେ ନାଶ ନ ହେବ ଭ୍ରମ ।୨୫।

ଧାତା ରୂପ ଧରି ଶ୍ରୀହରି ଉତପତ୍ତି କରନ୍ତି ।

ବିଷ୍ଣୁରୂପ ଧରିଣ ପ୍ରଭୁ ପାଳନ କରୁଥାନ୍ତି ।୨୬।

ହର ରୁପ ଧରି ସଂହାର କରନ୍ତି ହୃଷିକେଶ ।

ଶୀତଳ କିରଣ ଦିଅନ୍ତି ହୋଇଣ ରୋହିଣୀଶ ।୨୭।

ଚନ୍ଦ୍ର ସୂର୍ଯ୍ୟ ରୂପରେ ସେହି ଦିନ ରାତି କରନ୍ତି ।

ଗାୟତ୍ରୀ, ପାର୍ବତୀ, କମଳା ସେହି ଟି ସରସ୍ଵତୀ ।୨୮।

ତେତିଶ କୋଟି ଦେବାଦେବୀ ସକଳ ରୁପ ହରି ।

ଭିନ୍ନ କଲେ ବୃଥା କଥାଟି ହୋଇଯିବ ଆମ୍ଭରି ।୨୯।

ଶ୍ରୀହରି ଛଡା ସଂକୀର୍ତ୍ତନ ଆଉ ସଂସାରେ ନାହିଁ ।

ଏକ ବିଭୁ ବୋଲି ସେବିବା ସନ୍ଦିଗ୍‌ଧମନା ନୋହି ।୩୦।

ଅଦ୍ଵଇତ କର୍ମ ଯେ ଅଟେ ସେହି ସଂସାରେ ସାର ।

ବିଶିଷ୍ଟାଦ୍ୱଇତବାଦରେ ରହିଅଛି ଅନ୍ଧାର ।୩୧।

ଯାହା ଆଜ୍ଞା ଦେଇ ଅଛନ୍ତି ତାହା କହିଲି ମୁହିଁ ।

ହରି ଦୂତ ହୋଇ ଆସିଛି ଧର୍ମ ଶିକ୍ଷା ଦିଅଇ ।୩୨।

ଭକତଙ୍କୁ ଅବା କି ଧର୍ମ ଶିକ୍ଷା ଦେବଇଁ ମୁହିଁ ।

ବୁଝିଲେ ପ୍ରଭୁଙ୍କ ସେବକ ସର୍ବଦା ଚେତାଦେହୀ ।୩୩।

କଳି ଯେଣୁ ହୋଇଛି ରାଜା ସତ୍ୟର ବଳ ନାହିଁ ।

କାମିନୀ, କାଞ୍ଚନ, କାମରେ ଦେଇଅଛି ଭୁଲାଇ ।୩୪।

ଯତିଙ୍କି ଅସତୀ କରିଛି ଆଉ କେ ବା ସମର୍ଥ ।

ଏଣୁ ପ୍ରଭୁ ପଠାଇଛନ୍ତି ମୋତେ କରିଣ ଦୂତ ।୩୫।

ଯେ ଭକ୍ତ ଚେତାରେ ଅଛନ୍ତି ତାଙ୍କୁ କରେ ଦର୍ଶନ ।

ଯେହି ଅଚେତାରେ ଅଛନ୍ତି ତାଙ୍କୁ ଦେଉଛି ଜ୍ଞାନ ।୩୬।

ସାଧୁମାନଙ୍କର ମତରେ ସର୍ବ ଅଟେ ସମାନ ।

ଏକ ବୋଲି ଜ୍ଞାନ ଯେ କରେ ତାର ନାହିଁ ବନ୍ଧନ ।୩୭।

ସକଳ ଘଟେ ନାରାୟଣ ବିଦ୍ୟମାନ ଅଛନ୍ତି ।

ଅଭାବେ ନମିଳେ, ଭାବିବା ଜନଙ୍କୁ ଦୃଶ୍ୟ ହୋନ୍ତି ।୩୮।

ଡୋର କଣ୍ଠି କଉପୀନରେ କିସ ବା କାର୍ଯ୍ୟ ଅଛି ।

ଭେକରେ ମନ ଟେକ ହୋଇ ଭକତି ବିନାଶୁଛି ।୩୯।

ଭେକ କେବଳ ବହିଥିବ ଯଦି ନ ଥିବ କର୍ମ ।

କର୍ମ ଯଦି ନାହିଁ ସେ ଭେକ ଗୋଟି ବହିବା ଭ୍ରମ ।୪୦।

ଭେକ ଥିଲେ ଭିଖ ମିଳଇ ଏ ଶାସ୍ତ୍ରେ କାର୍ଯ୍ୟ ନାହିଁ ।

କର୍ମ ଯଦି ଆମ୍ଭର ଥିବ ଭିଖ ମିଳି ପାରଇ ।୪୧।

ଭେକ ଥାଇ କର୍ମ ଯେ କରେ ସଂସାରେ ସେହି ଧନ୍ୟ ।

କର୍ମ ମୂଳବୀଜ ପ୍ରଭୁଙ୍କ ଏହି ନିଷ୍ଠା ବଚନ ।୪୨।

ଯେପରିକି ଭେକ ଗ୍ରହଣ ପ୍ରଭୁ କହି ଅଛନ୍ତି ।

ଯେହି ଜିତେନ୍ଦ୍ରିୟ ସେ ସିନା କଉପୀନ ମାରନ୍ତି ।୪୩।

ପ୍ରେମ ନାମ ହୋଇଛି ଡୋର ଏଥି ସନ୍ଦେହ ନାହିଁ ।

ଆଧାର ଚକ୍ରରୁ କଣ୍ଠକୁ ଯେହି ଆଣି ପାରଇ ।୪୪।

ନିହ୍ଵା ଲେଉଟାଇ କଣ୍ଠର ଯେହି ପାରଇ ବାନ୍ଧ ।

କଣ୍ଠି ବନ୍ଧା ସୂତ୍ରଟି ଏହି ଆଉ ହେବା ଧନ୍ଦି ।୪୫।

ଚିତା କାଟିବା ଅର୍ଥ ଯେହି ଚିନ୍ତାକୁ କାଟିଦେବା ।

ଅଚିନ୍ତା ହୋଇଣ ପ୍ରଭୁଙ୍କ କର୍ମରେ ରତ ହେବା ।୪୬।

ମନ ଦଣ୍ତ କମଣ୍ତଳୁଟି ହୋଇଅଛି ପବନ ।

ଏ ସୂତ୍ରେ ଯେ ଭେକ ଧରଇ ସଂସାରେ ସେହି ଧନ୍ୟ ।୪୭।

କାମ୍ୟ କର୍ମ ନ୍ୟାସ ଯେ କରେ ତାକୁ ସନ୍ୟାସ କହି ।

ଏହି ଭେକ ସୂତ୍ରେ ରସିବା ଏଥି ସନ୍ଦେହ ନାହିଁ ।୪୮।

ଖଣ୍ତ ଖଣ୍ତ ବୋଲିଣ ତୁଣ୍ତ ଯଦି ନିତ୍ୟ କହିବ ।

ମଧୁର ଲାଗୁଛି ବୋଇଲେ କେ ପ୍ରଶଂସା କରିବ ।୪୯।

କହିବା କଥାକୁ ଚାଖିଲେ ସିନା ମିଠା ଲଗାଇ ।

ପ୍ରଭୁ ପଭ୍ରୁ ବୋଳି କହିଲେ ପ୍ରଭୁଙ୍କୁ କେ ଦେଖଇ ।୫୦।

ସାଧନ ନ କଲେ ସିଦ୍ଧିଟି କାହିଁ ମିଳିପାରେ କି ।

କହି ବୋଲି କରି ସଂସାରେ ପ୍ରଭୁ କେ ପାଇଛି କି ।୫୧।

ମଳୟ ଯଦି ନ ବାଜିବ ଚନ୍ଦନ କାହୁଁ ହେବ ।

କର୍ଣ୍ଣିକାତେ ମଳୟ ଗିରି ଭକତେ କର ଠାବ ।୫୨।

ସେ ମଳୟଗିରି ଲଭିବା ପାଇଁ ମୂଳ ଭକତି ।

ସେହି ସ୍ଥାନକୁ ଯିବା ପାଇଁ ଜଗିଆ ହୈମବତୀ ।୫୩।

ସେ ଦ୍ଵାରକୁ ମାଡି ବସିଛି ଭକତିରେ ଛାଡଇ ।

ଯେପରିକି ଭକ୍ତି ଳକ୍ଷଣ କହୁଅଛି ବୁଝାଇ ।୫୪।

ବିଷୟାସକ୍ତି ଶୂନ୍ୟ କରି କ୍ରୋଧ କର ବର୍ଜନ ।

ଅଜିତ ଇନ୍ଦ୍ରିୟ ଯାହାର ତାହା ଜୀବନ ଅଧନ୍ୟ ।୫୫।

ସର୍ବ ଜନଙ୍କୁ ପ୍ରିୟ ମଣି ଦୟା କ୍ଷମାକୁ ଧର ।

ଲୋଭକୁ ବର୍ଜନ କରିଣ ସୁପାତ୍ରେ ଦାନ କର ।

ଭୟ ଶୋକ ବିନାଶ କରି ନେତ୍ରକୁ ଥୟ କର ।

ଅଚଳ ନେତ୍ରରେ ଅପର୍ଣ୍ଣା ଫିଟାଇଦେବେ ଦ୍ଵାର ।୫୬।

ଦ୍ଵାର ଫିଟି ଗଲେ ଦେବତା ରହିଛନ୍ତି ଗହରେ ।

ଜୀବର ଜୀବନ ବିଜୟ ହାତେ ଚଉକେ ଘରେ ।୫୮।

ନିର୍ମଳ ଭକତି କରିଲେ ପ୍ରଭୁ ଦୂରେ ନାହାନ୍ତି ।

ଯାର ଭକ୍ତିରେ ମଳି ଥାଇ ତାକୁ ଭୁଲାଇ ଦ୍ୟନ୍ତି ।୫୯।

ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଯେ ପ୍ରଭୁଙ୍କୁ ସେବାକାରୀ ।

ଜୀବ ପରମକୁ ଲଭିବ ଏହି ଗହଣ ଧରି ।୬୦।

ତାହାଙ୍କର ଯଶ କୀରତି ଶ୍ରବଣେ ଶୁଣୁଥାଉ ।

ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୟନ ରହୁ ।୬୧।

ନାସା ପ୍ରଭୁ ନାମ ଭଜିଇ କେବଳ ହେତୁ ଥୁଅ ।

ବାସନାଟି ବାସୁଦେବଙ୍କୁ ଶ୍ରଦ୍ଧାଭାବରେ ଦିଅ ।୬୨।

ଚର୍ମ ଅଭିଳାଷେ ଜୀବର କିଛି ପ୍ରିୟ ନ ରହୁ ।

ମଧୁର ରସ ଜିହ୍ଵା ନେଇ ପ୍ରଭୁଙ୍କୁ ଦେଉଥାଉ ।୬୩।

ବାକ ପାଦ ପାଣି ପାୟୁ ଯେ ଉପସ୍ଥ ପାଞ୍ଚ ଯେହି ।

ଏମାନେ ପ୍ରଭୁଙ୍କ କର୍ମରେ ହେଳା କରିବେ ନାହିଁ ।୬୪।

ପ୍ରଭୁ ପ୍ରୀତ୍ୟର୍ଥେ ଥିଲେ ମନ, ଇନ୍ଦ୍ର କାହୁଁ ଚଳିବେ ।

ଇନ୍ଦ୍ର ଯଦି ହୁଏ ଅଚଳ,ପ୍ରକୃତି ନ ଟାଣିବେ ।୬୫।

ପାଞ୍ଚ ପଚିଶ ଏକାଦଶ ଷଟ ରଥୀ ସମସ୍ତେ ।

ଏମାନେ ଯଦି ଲାଗିଥିବେ ପ୍ରଭୁଙ୍କ ପ୍ରୀତି ଅର୍ଥେ ।୬୬।

ରୂପ ରେଖ ନାହିଁ ଯାହାର ନିଶ୍ଚେ ରୂପ ହୋଇବେ ।

ଚିର ଶାନ୍ତିର ଯେ କାରଣ ଭକ୍ତକୁ ଦେଉଥିବେ ।୬୭।

ଚାତକ ପକ୍ଷୀ ଯେଉଁପରି ଘନକୁ ଚାହିଁଥାଇ ।

ଭୂମି ଜଳେ ଯେଣୁ ନିରାଶା ତେଣୁ ଘନ ବର୍ଷଇ ।୬୮।

ଚାତକର ଭୂମି ଜଳକୁ ଯଦି ଆସକ୍ତି ଥାନ୍ତା ।

ଚାତକକୁ ଘନ କିପାଇଁ ଜଳ ଦେଉ ଥାଆନ୍ତା ।୬୯।

କାମନା ବିନାଶ ନ କଲେ ପ୍ରଭୁ ବହୁତ ଦୂରେ ।

ନିଷ୍କାମରେ ଯେହି ଭାବନ୍ତି ପ୍ରଭୁ ପାଶ ପାଶରେ ।୭୦।

ଅଭକ୍ତ ପାଶରେ ଥାଆନ୍ତି ଅଭକ୍ତ ନ ଜାଣଇଁ ।

ଜୀବ ପାଶେ ପାଶେ ପରମ ଭକତ ଜାଣୁଥାଇ ।୭୧।

ଭାବ ଭୁଞ୍ଜିବାକୁ ଭକତ ପାଶେ ରହିଣ ଥାନ୍ତି ।

ତେଣୁ ସେ ଭକତବାନ୍ଧବ ଭାବଗ୍ରାହୀ ବୋଲାନ୍ତି ।୭୨।

ଜୀବକୁ ଭୁଞ୍ଜାଇ ଭୁଞ୍ଜନ୍ତି ଜୀବ ଜାଣି ନ ପାରେ ।

ଜୀବ ଖାଉଥିଲେ ପରମ ଥାନ୍ତି ଉପବାସରେ ।୭୩।

ତେଣୁ ଜୀବ କିରାତ ଜାଲେ ସିନା ପଡ ଅଛଇ ।

ଜୀବ ନୀରାହାରୀ ହୋଇଲେ ଜାଲ ଛାଡି ଯାଅଇ ।୭୪।

ତରକା ମାଛ ଯେ ହୋଇବ ଜାଲରୁ ଡେଇଁ ଯିବ ।

ଜାଲରୁ ସେହି ଡେଇଁଯାଏ ନିଶ୍ଚେ ପ୍ରଭୁ ଦେଖିବ ।୭୫।

ଭକତକୁ କିସ କହିବ ଭକ୍ତ ସବୁ ଜାଣନ୍ତି ।

କେବଳ କହୁଛି କଳିର ଯେଣୁ ଅଟେ ରାଜୁତି ।୭୬।

କେ କହନ୍ତି କଳଙ୍କ ରାମ ମୁହିଁ ଜନ୍ମିଛି ଆସି ।

କେହି କହେ ମୁହିଁଟି ବ୍ରହ୍ମା, କେ କହେ କାଶୀବାସୀ ।୭୭।

କେ କହୁଅଛି ମୁଁ ଅନନ୍ତ, କେ ହେ ଯଶୋବନ୍ତ ।

କେ କହୁଛି ମୁଁ ବଳରାମ, କେ କହେ ମୁଁ ଅଚ୍ୟୁତ ।୭୮।

କେ କହୁଛି ମୁଁ ଜଗନ୍ନାଥ ଦାସ ଜନ୍ମ ହୋଇଛି ।

ପଞ୍ଚ-ସଖା ଜନ୍ମ ହେବାରୁ ସଂଶୟ ନାହିଁ କିଛି ।୭୯।

କେତେ ଅବା ମୁହିଁ କହିବି,ଏହିପରି ବହୁତ ।

ତେଣୁ ନାରାୟମ ପେଷିଣ ଛନ୍ତି କୋଇଲି ଦୂତ ।୮୦।

ପ୍ରକୃତ ଯେହି ହୋଇଥିବ ସେ କିପାଇଁ କହିବ ।

ଗୁଣ କର୍ମ ଯଦି ନ ଥିବ, କିଏ ପ୍ରତେ କରିବ ।୮୧।

ସୂର୍ଯ୍ୟ ଯଦି ଉଦେ ହୋଇବେ କିଏ ରାତ୍ରି କହେ କି ।

ଚୁମ୍ବକ ଯହିଁ ରହିଥିବ ଲୁହା ନ ଜାଣିବ କି ।୮୨।

ଏଣୁ ମୁହିଁ କହି ଯାଉଛି ଏହା ନ କହ କେହି ।

କଳି ରାଜୁତିରେ ତରକି ରହ ପ୍ରଭୁଙ୍କୁ ଧ୍ୟାୟି ।୮୩।

ସେ ଯେଉଁ ଭକ୍ତ ହୋଇଥିବ ପ୍ରଭୁ ଚିହ୍ନାଇ ଦେବେ ।

ଭକତି –ବାନ୍ଧବ ଭକତ ସଙ୍ଗେ ଆସି ଖେଳିବେ ।୮୪।

ମୁଲ ନ ଲାଗିଲେ ମଜୁରି କିଏ ଦେଇ ପାରେ କି ।

କର୍ମ ଯେହି ନ କରିଥିବ କାହିଁ ଫଳ ଫଳେ କି ।୮୫।

ସୁକର୍ମରେ ଯେ ରହିଥାନ୍ତି ପ୍ରଭୁ ତାଙ୍କ ସଙ୍ଗରେ ।

କୁକର୍ମରେ ଯେ ରହିଥାନ୍ତି ପ୍ରଭୁ ବହୁତ ଦୂରେ ।୮୬।

ଏଣୁ କୁକର୍ମକୁ ବର୍ଜନ ନକରି ସୁକର୍ମ କର ।

ଯେତେ କହିଲି ଏ ସୁକର୍ମ ଏ ସୂତ୍ରେ ପ୍ରଭୁ ଧର ।୮୭।

ଈଶ୍ଵର ପ୍ରୀତ୍ୟର୍ଥେ ଯେ କର୍ମ ତାକୁ ସୁକର୍ମ କହି ।

ସୁକର୍ମରେ କଳି ରାଜତ୍ଵ କେଭେ ନ ପାରେ ହୋଇ ।୮୮।

ଈଶ୍ଵରଙ୍କ ଛଡା ଯେ କର୍ମ ତାଙ୍କୁ କୁକର୍ମ କହି ।

ଏହି କର୍ମରେ କଳି ଯୁଗ ବିଶ୍ଵାସ ହୋଇଥାଇ ।୮୯।

ଥାଅ ଶ୍ରୀହରିଙ୍କ ଭକତେ କହି ଯାଉଛି ମୁହିଁ ।

ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ବୁଲି ବୁଲି କହଇ ।୯୦।

ସ୍ନେହ ରଖିଥିବ କୋଇଲି ନୁହେଁ କାହାରି ଗୁରୁ ।

ତୁମ୍ଭର ମୋହର ଗୁରୁ ଯେ ସେ ବାଞ୍ଛା କଳ୍ପତରୁ ।୯୧।

ହରି-ଦୂତ ବୋଲି କେ ଅବା ମାନ୍ୟ କରୁ ଅଛଇ ।

ପକ୍ଷୀ ଛାର ବୋଲି କେ ଅବା ଅମାନ୍ୟ କରୁଥାଇ ।୯୨।

ମାନ ଅପମାନର ମୋର ମନ ନ ଯାଉଅଛି ।

ପ୍ରଭୁଙ୍କର ଆଜ୍ଞାକୁ ଧରି ଭକତଙ୍କୁ କହୁଛି ।୯୩।

ସତ ଶିକ୍ଷା ଦେଇ କୋଇଲି ଶୂନ୍ୟରେ ଉଡିଗଲା ।

ସ୍ଥାନେ ସ୍ଥାନେ କୋଇଲି ବାଣୀ ସଭାରେ ଖୋଜା ହେଲା ।୯୪।

ଭକତ ଗୋଷ୍ଠୀରେ କୋଇଲି ଶିକ୍ଷା ହୁଏ ଗାୟନ ।

ଯେ ଯାହାର ଯନ୍ତ୍ର ବଜାନ୍ତି ହୋଇ ଆନନ୍ଦ ମନ ।୯୫।

ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ଅଭିରାମ କହଇ ।

ଯାହା ଆଜ୍ଞା ଦେଲେ ମଙ୍ଗଳ ତାଙ୍କ ସନ୍ତାନ ପାଇଁ ।୯୬।

•••

 

ସନାତନ ଧର୍ମାର୍ଥ ଗୀତା ବା କୋଇଲି ଶିକ୍ଷା

ଷଷ୍ଠ କୋଇଲି–ଗୁରୁଶିଷ୍ୟ ଭାବ

 

ନାରାୟଣଙ୍କୁ ସୁମରିଣ କୋଇଲି ଉଡିଗଲା ।

ଗୁରୁ ଶିଷ୍ୟଙ୍କର କଳହ ଲାଗିଅଛି ଦେଖିଲା ।୧।

ବିଷ୍ଣୁ ବୃକ୍ଷ ତ୍ରୋଟରେ ରହି କଳି ଖେଳ ଦେଖଇ

ଶିଷ୍ୟ ହୋଇବାକୁ ସଂସାରେ କେହି ଜଣେ ନ ଥାଇ ।୨।

ଏକ ଗୁରୁ ଦିନ ବାନ୍ଧବ ଏଥିରେ ମନ ନାହିଁ ।

ଧନ ଲୋଭେ ଗୁରୁ ହୁଅନ୍ତି ଅନୁଭବୀ ନ ହୋଇ ।୩।

ଧନ ଯାହା ପାଶେ ନ ଥାଏ ତାକୁ ନାମ ନ ଦ୍ୟନ୍ତି ।

ଟଙ୍କା ସୁନା ଯେହି ଦେଖାଏ ସେହି ନାମ ନିଅନ୍ତି ।୪।

ଅଭକ୍ତ ଯଦି ଧନ ଦେବ ସେ ନାମ ନେଉଅଛି ।

ଭକ୍ତ ହୋଇ ଧନ ନ ଦେଲେ ସେ ନାମ ନ ନେଉଛି ।୫।

ଗୁରୁରେ ଗୁରୁରେ କଳହ ଶିଷ୍ୟ ପାଇଁ ଲାଗଇ ।

କେ କହେ ମୁ ଅଳ୍ପ ଧନରେ ନାମ ଦେଇ ପାରଇ ।୬।

ଶିଷ୍ୟ କରିବାକୁ ବୁଲନ୍ତି ଗୁରୁ ପଣକୁ ପଣ ।

ଶିଷ୍ୟ ଅନୁଭବୀ ନୋହିଣ ପାଉଛି ଗୁରୁପଣ ।୭।

ପଥର ନଉକା କରିଣ ଗୁରୁ ବସି ଅଛନ୍ତି ।

ଶିଷ୍ୟକୁ ସେଥିରେ ବସାଇ ବୁଡାବୁଡି ହୁଅନ୍ତି ।୮।

 

 

ଧନ କଷ୍ଟେ ଶିଷ୍ୟ ଗୁରୁଙ୍କୁ ଦେଖି ଲୁଚଇ ଯାଇଁ ।

ଧନ ନ ହେବାରୁ ଶିଷ୍ୟକୁ ଗୁରୁ ଶାପ ଦିଅଇ ।୯।

ବାର୍ଷିକ ଆଦାୟ କରିବା ପାଇଁ ଗୁରୁ କହନ୍ତି ।

ମନରେ ଗୁରୁ ଗର୍ବ ଆଣି ଶିଷ୍ୟ ଗୃହେ ମିଳନ୍ତି ।୧୦।

ଅମୂଲ୍ୟ ପଦାର୍ଥ ଶିଷ୍ୟକୁ ଗୁରୁ କରିଣ ଦତ୍ତ ।

ଶିଷ୍ୟ ଗୃହେ ଯଦି ମିଳନ୍ତି ନ ବୁଝନ୍ତି ତଦନ୍ତ ।୧୧।

ଧୋଇ ମରୁଡିରେ ଭୂମିରେ ବିହନ ବୁଣି ଦ୍ୟନ୍ତି ।

ଶିଷ୍ୟକୁ କୃଷି ନ ଶିଖାଇ ବାର୍ଷିକ ଘେନିଯାନ୍ତି ।୧୨।

ଆଉ ବାରେ ଶିଖ ନ କହି ନିଅନ୍ତି ବାରଷିକ ।

ସେ ନାମ ପାଇବା ଶିଷ୍ୟର କିପରି ଥାଏ ସୁଖ ।୧୩।

ନିର୍ଦ୍ଧନ ଶିଷ୍ୟର ଗୃହକୁ ଗୁରୁ ନ ଯାଉଥାନ୍ତି ।

କିଏ ଅବା ନାହିଁ କରିବ କଳି ଯୁଗର ନୀତି ।୧୪।

ବିଷ୍ଣୁ ବୃକ୍ଷ ତ୍ରୋଟରେ ଥାଇ କୋଇଲି ଦେଖୁଥାଇ ।

ସତ୍ୟନାରାୟଣ ସୁମରି ପକ୍ଷୀ ଉଡି ଆସଇ ।୧୫।

ମଧୁର ବଚନେ କହଇ ଏସବୁ କଳି କର୍ମ ।

ଗୁରୁ ଶିଷ୍ୟ ଭାବ ନୁହେଁ କେବଳ ମାୟା ଭ୍ରମ ।୧୬।

ଗୁରୁ ଶିଷ୍ୟଙ୍କର ଭାବ ଯେ ନୀର କ୍ଷୀରରୁ ବଳି ।

ଏପରି ଏକତା ସ୍ଥାନରେ କିପାଁ ଲାଗଇ କଳି ।୧୭।

ଅମୂଲ୍ୟ ଧନରେ କିପରି ମୂଲ ମିଶ୍ରିତ କଲା ।

ମୂଲ୍ୟ ଅମୂଲ୍ୟକୁ ଧରିଣ ସକଳ ନଷ୍ଟ ହେଲା ।୧୮।

ଗୁରୁ ରୂପେ ଜ୍ଞାନ ଦିଅନ୍ତି ସିନା ଲକ୍ଷ୍ମୀ ବଲ୍ଲଭ ।

ପ୍ରଭୁ କିପାଁ ଟଙ୍କା ସୁନାରେ କରିବେ ଲୋଭ ।୧୯।

ଜ୍ଞାନୀକି ସେବଇ ଅଜ୍ଞାନ ସୁଜ୍ଞାନୀ ହେବା ପାଇଁ ।

ଅଜ୍ଞାନୀ ଅଜ୍ଞାନିଙ୍କି ଭାବେ ଏଥି କି ଲଭେ ଥାଇ ।୨୦।

ଏକା ଥରକେ ସ୍ନାନ କର ବାର ବାର ନ କର ।

ଯେହି ଗୁରୁ ହୋଇ ଅଛନ୍ତି କହୁଛି ହେତୁ କର ।୨୧।

‘ଗୃ’ କାର ଗୁଣରୁ ଅତୀତ ର ଯେ ରୂପବର୍ଜିତ ।

ଏହିପରି ଗୁରୁ ଖୋଜିଲେ ସଂସାରେ ଏକମାତ୍ର ।୨୨।

ଏକଇ ଗୁରୁ ନାରାୟଣ ଆଉ ଦୁଇ ନ ଥାଇ ।

ଭାଇରେ ଭାଇରେ କିପାଇଁ କଳି ଲାଗି ଅଛଇ ।୨୩।

ଦୁଷ୍କୃତକୁ ଦଳନ କରି ଧର୍ମକୁ ଯେ ସ୍ଥାପନ୍ତି ।

ସାଧୁଙ୍କ ପରିତ୍ରାଣ ଅର୍ଥେ ଯେ ଅବତାର ହ୍ଵନ୍ତି ।୨୪।

ଭକତଙ୍କ ସଙ୍ଗେ ଖେଳିଣ ଯାଆନ୍ତି ନିଜ ପୁରୀ ।

ଜଗତ ଗୁରୁ ମାତ୍ରେ ସେହି ଅଛନ୍ତି ଭାବେ ପୁରୀ ।୨୫।

ବୁଝିଲେ ସେ ଗୁରୁ ସମସ୍ତ ସ୍ଥାନେ ଅଛନ୍ତି ରହି ।

ଜାଣିକରି ଗୁରୁ କରିଲେ ଆଉ ଭ୍ରମ ନ ଥାଇ ।୨୬।

କାମିନୀ କାଞ୍ଚନ କାମରେ ଆସକ୍ତି ଯେ କରଇ ।

ସେହି ସ୍ଥାନେ ଗୁରୁ କରିବା କେବଳ ଭ୍ରମ ଥାଇ ।୨୭।

ବିଶିଷ୍ଟାଦ୍ଵଇତବାଦରେ ରହିଥାଇ ଅନ୍ଧାର ।

ସେହିମାନେ ଗୁରୁ କରିଲେ ନ ତୁଟଇ ଅନ୍ଧାର ।୨୮।

ଯେ ଅନୁଭବୀ ହୋଇଥିବ ରାସ୍ତା ସେହି ଦେଖିଛି ।

ସେହି ସ୍ଥାନେ ଗୁରୁ କରିଲେ ଭୟ ନ ଥିବ କିଛି ।୨୯।

ତାହାକୁ ସେହି ଜାଣିଥାଇ ତାର ମାୟ ନ ଥାଇ ।

ମାଟି, ସୁନା ପଥରକୁ ସେ ସମାନ କରିଥାଇ ।୩୦।

କାମିନୀ କଞ୍ଚନ କାମରେ ତାଙ୍କ ନ ଥାଇ ମନ ।

ତାହାଙ୍କୁ ସେବିଲେ କରିବେ ଜୀବର ନିସ୍ତାରଣ ।୩୧।

ଦୁଇ ନେତ୍ର ଯାହାର ଥାଇ ସେଥିରେ ନାହିଁ ଶାନ୍ତି ।

ତିନି ନେତ୍ର ଯାହାଙ୍କ ଥାଇ ସେହି ଗୁରୁ ବୋଲାନ୍ତି ।୩୨।

ସେ ଗୁରୁଙ୍କୁ ଯଦି ସେବିବ ସେହି କହିବେ ଜ୍ଞାନ ।

ତେବେ ଏ ଅଜ୍ଞାନ ତିମିର ହୋଇବ ବିଧ୍ଵଂସନ ।୩୩।

ଗୁରୁ ଶିଷ୍ୟ ଭାବ ଯେପରି କହୁଅଛି ବୁଝାଇ ।

ପ୍ରଭୁଙ୍କ ଆଜ୍ଞାରୁ ତୁମ୍ଭଙ୍କୁ କହୁ ଅଛଇ ମୁହିଁ ।୩୪।

ଏକ୍ରାମ କାନନ ନୋହିଲେ ଜ୍ଞାନ କହି ନୁହଇ ।

ଯେ ଜ୍ଞାନ ଶୁଣି ମୃତ ଶୁକ ପଲ୍ଲବିଣ ଉଠଇ ।୩୫।

ସେ ସୂତ୍ର ଶ୍ରବଣ କରିବା ପାଇଁ ଚତୁର କର୍ଣ୍ଣ ।

ଅସୀମ କର୍ଣ୍ଣରେ କହୁଛି ପ୍ରଭୁଙ୍କର ବଚନ ।୩୬।

ପରମ ଈଶ୍ଵରଙ୍କ ନାମ ନାସାରେ ଅଛି ରହି ।

ଏକବିଂଶ ସସ୍ର ଷଟଶ ଜୀବ ଭଜୁ ଅଛଇ ।୩୭।

ଶୁକ ଶାରୀ ଦୁହେଁ ଶରୀର ପିଞ୍ଜରୀରେ ଖେଳନ୍ତି ।

ବାହାର ଭିତରେ ଉଲଟି ପାଲଟି ରହିଥାନ୍ତି ।୩୮।

‘ସ’ କାର କମଳା ‘ହ’ କାର ସିନା ପରମେଶ୍ଵର ।

ସୋହଂ ସୂତ୍ରେ ଜ୍ଞାନ ବୁଝାଅ ତୁଟିଯାଉ ଅନ୍ଧାର ।୩୯।

ବହୁ ଥର ନାମ ଭଜିବା ନୁହେଁ, ଭଜିବା ଥରେ ।

ଥରେ ନାମ ଭଜି ହେତୁକୁ ରଖ ଭାବ ସୂତ୍ରରେ ।୪୦।

ଗୃହୀ ଅବା ତ୍ୟାଗୀ ଉଭୟ ନାମ ଗ୍ରହଣ ଏହି ।

କେବଳ ଏ ନାମ ବିଶ୍ଵାସ ଅରୁପାନନ୍ଦ ସେହି ।୪୧।

ନିରାକାର ଭକ୍ତ ଭାବରେ ସାକାର ହେଉଛନ୍ତି ।

ଚିର ଶାନ୍ତିର ଯେ କାରଣ ଭକ୍ତ କୁ ଦେଉଥାନ୍ତି ।୪୨।

ଦୃଷ୍ଟି ଅଗ୍ରେ ରହି ଅଛନ୍ତି ଶ୍ରଦ୍ଧା ଭାବରେ ଧର ।

ସମ୍ଭାଳି ନ ପାରି ଦର୍ଶନ ଦେବେ ସାରଙ୍ଗଧର ।୪୩।

ଶିଷ୍ୟ ଗୁରୁ ଭକ୍ତି କରିଣ ଶିଖିବେ ଏହି ସୂତ୍ର ।

ପର୍ବତ ପରାୟେ ରହିଣ ଆଉ ନୟନ ଯନ୍ତ୍ର ।୪୪।

ଚାରି ଚଉଦର ପଣକୁ ପ୍ରଥମରେ ଥୋଇବ ।

ଅଗ୍ନୀ, ପୃଥ୍ଵୀ, ଜଲ, ପବନ, ଆକାଶ ମଧ୍ୟ ଥିବ ।୪୫।

ବେନି ନେତ୍ର ମଧ୍ୟ ଭ୍ରୁଲତା ପରେ ଯେ ରେଖ ମନ ।

ନାରାୟଣଙ୍କୁ ସେ ଦେଖଇ ତ୍ରି ଭୁବନ ତା ଶୂନ୍ୟ ।୪୬।

ଗୃହୀଙ୍କ ପକ୍ଷେ ଏ ବିହିତ, ତ୍ୟାଗୀ ପକ୍ଷେ ବିହିତ ।

ଶିଷ୍ୟ ଯଦି ଗୁରୁଙ୍କ ଠାରୁ ଖାଇବ ଏହି ନାତ ।୪୭।

ଅଜ୍ଞାନ ତିମିର ପରାୟେ ଜୀବାଙ୍ଗେ ବ୍ୟାପିଥାଇ ।

ଏହି ସୂତ୍ରେ ବିଭାବରୀରେ ବିଭାକର ରାଜଇ ।୪୮।

ଭାବୁକୁ ନିକଟ, ଅଭାବେ ସିନା ବହୁତ ଦୂର ।

ସଂସାର ଅଶାନ୍ତି ନ ଧରି ଶାନ୍ତି ସୂତ୍ରକୁ ଧର ।୪୯।

ପିଣ୍ତରେ ଚିହ୍ନିଲେ ବ୍ରହ୍ମାଣ୍ତେ ସିନା ଚିହ୍ନି ପାରଇ ।

ପିଣ୍ତେ ନାହିଁ ଯଦି ବ୍ରହ୍ମାଣ୍ତେ ଖୋଜିଲେ କି ମିଳଇ ।୫୦।

ପିଣ୍ତରେ ଯେପରି ଅଛନ୍ତି ବ୍ରହ୍ମାଣ୍ତେ ସେହିପରି ।

ତେବେ ସମଜ୍ଞାନ ଆସିବ କହିଲି ସତ୍ୟ କରି ।୫୧।

ଏଠାରେ ନ ଥିଲେ ସେଠାରେ କିଏ ଦେଖି ପାରେ କି ।

ଏଠା କଥାକୁ ଠାବକର ଆଉ ବେଳ ଅଛି କି ।୫୨।

ପ୍ରେମମୟୀ ଚିତ୍ତ ଅନ୍ତର ବାହ୍ୟରେ ଦେଖୁଥାଇ ।

ପ୍ରେମମୟୀ ପ୍ରତିମା ଆସି ନୟନରେ ନାଚଇ ।୫୩।

ପାଶରେ ଅଛନ୍ତି ସେ ଜାଣେ ସଂସାରେ ଧନ୍ୟ ସେହି ।

ନିର୍ବିକାର ସେହି ବିକାର ତାକୁ ନ ପାରେ ଛୁଇଁ ।୫୪।

ହିଂସା ଅସତ୍ୟାଦି ତାହାର ପାଶୁ ଅନ୍ତର ହେବ ।

ଜଣେ ଜୀବ ପରମ ସଦା ତାର ଏ ଭାବ ।୫୫।

ଏହି ଶିକ୍ଷା ଦିଅ ଶିଷ୍ୟକୁ କହିଲି ମୁଁ ବୁଝାଇ ।

ଦୁର୍ଲ୍ଲଭ ମନୁଷ୍ୟ ଶରୀର ବୃଥା ଯାଉଛି ହୋଇ ।୫୬।

ଏ ସୂତ୍ର ନ ବୁଝି ସମର କିପାଁ ପ୍ରିୟ ଲାଗଇ ।

ଅମର ସଙ୍ଗରେ ସମର କନେ କି ଲାଭ ଥାଇ ।୫୭।

ଯେଉଁମାନେ ମରୁଅଛନ୍ତି ସେମାନଙ୍କୁ ସଂହାର ।

ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଯେ ଥାନ୍ତୁ ପ୍ରଭୁ କର୍ମର ।୫୮।

ମନ, ବୁଦ୍ଧି, ଚଇତନକୁ ବିକ୍ରି କର ହରିଙ୍କି ।

କରିବା ବୋଲି ହେଳା କଲେ ଆଉ ଶାନ୍ତି ଅଛି କି ।୫୯।

ଶୁଭ କାର୍ଯ୍ୟ ହେଳା ନ କର କହି ଯାଉଛି ମୁହିଁ ।

ଏ ଧନ ହଜାଇ ଖୋଜିଲେ ଆଉ ମିଳିବ ନାହିଁ ।୬୦।

ଜୀବ ପାଶେ ପାଶେ ପରମ ଈଶ୍ଵର ରହିଛନ୍ତି ।

ଜୀବକୁ ଭୁଞ୍ଜାଇ ଜୀବର ଅଙ୍ଗେ ଭୁଞ୍ଜୁ ଅଛନ୍ତି ।୬୧।

ଜୀବ ଅଙ୍ଗେ ପ୍ରଭୁ ଭୁଞ୍ଜନ୍ତି ଜୀବ ଯଦି ଅଜାଣ ।

ସେପରି ଭୁଞ୍ଜୁଥିଲେ ପ୍ରଭୁ, ଜୀବର କି କାରଣ ।୬୨।

ଜୀବ ପରମକୁ ନ ଦେଲେ ଭାବ୍ୟ ଭାବ ଥାଇ ।

ଏଣୁ ଜୀବ ଦେଲେ ପାଆନ୍ତି ନ ଦେଲେ ନାହିଁ ।୬୩।

ପରମ ଈଶ୍ଵର ଅଜୀବ, ସଜୀବ ସିନା ଜୀବ ।

ସଜୀବ ଯଦି ନ ପୁଜଇ ଅପୁଜାଟି ଅଜୀବ ।୬୪।

ଜୀବ ଅଙ୍ଗେ ଶ୍ରଦ୍ଧା ନହେଲେ ପ୍ରଭୁ ଛୁଇଁବେ ନାହିଁ ।

ଭାବକୁ ଭୁଞ୍ଜିବାରୁ ସିନା ବୋଲାନ୍ତି ଭାବଗ୍ରାହୀ ।୬୫।

ଉପ୍ପତ୍ତି, ସ୍ଥିତି, ପ୍ରଳୟରେ ପ୍ରଭୁ ଅଛନ୍ତି ରହି ।

ଜୀବ ଯହିଁ ଥାଏ, ପରମେଶ୍ଵର ଛାଡନ୍ତି ନାହିଁ ।୬୬।

ଜୀବ ଯଦି କର୍ମ ଫଳକୁ ପ୍ରଭୁଙ୍କୁ ନେଇ ଦେବ ।

ଜୀବ ନିରାହାରୀ ହୋଇଲେ ଭୁଞ୍ଜିବେ ବାସୁଦେବ ।୬୭।

ତେବେ ଜୀବ ଅଙ୍ଗେ କଳଙ୍କ ଆଉ ଲାଗିବ ନାହିଁ ।

ଏହିଟି ନିର୍ମଲ ଭକତି କହିଯାଉଛି ମୁହିଁ ।୬୮।

ଷୋଳ ସସ୍ର ଗୋପୀ ଏ ସୁତ୍ରେ ବାନ୍ଧିଥିଲେ ହରିଙ୍କି ।

ଏହି ଭକ୍ତ ବଛା ହୋଇବେ ଆଉ ବେଳ ଅଛି କି ।୬୯।

ଏହି ଶିକ୍ଷା ଦିଅ ଶିଷ୍ୟ କୁ କହି ଯାଉଛି ମୁହିଁ ।

ପ୍ରଭୁଙ୍କ ଆଜ୍ଞାରୁ କହୁଛି ମୁହିଁ ଗୁରୁ ନୁହଁଇ ।୭୦।

ଯେ ତୁମ୍ଭ ଗୁରୁ, ମୋର ଗୁରୁ ତା ନାମ ନରାୟଣ ।

ଯିଏ ଗୁରୁ ପଣ ପାଇଛି ମୁହିଁ କହୁଛି ଶୁଣ ।୭୧।

ଆକାଶରୁ ଜଳ ବରଷି ନଦୀରେ ପୁରି ଥାଇ ।

ସମୟେ ଘେନି କରି ନଦୀ ସମୁଦ୍ରରେ ମିଶଇ ।୭୨।

ସର୍ବ ଦେବଙ୍କୁ ନମସ୍କାର ଅବା କରିବ ଯେହି ।

ଦେବାଦେବୀ କାହୁଁ ପାଇବେ, କେଶବ ଯାନ୍ତି ନେଇ ।୭୩।

ମାତା ପିତାଙ୍କୁ ନମସ୍କାର ଯଦି କରେ ନନ୍ଦନ ।

ସେହି ନମସ୍କାର ନିଅନ୍ତି ସିନା ମଧୁସୂଦନ ।୭୪।

ଗୁରୁ ବୋଲିଣ ନମସ୍କାର ଯଦି ଶିଷ୍ୟ କରଇ ।

ଅଷ୍ଟାଦଶ ଚିହ୍ନ ଯା’ ପାଦେ ସେ ସିନା ନେଉଥାଇ ।୭୫।

ନଦୀ ସାଗର ଲକ୍ଷ୍ୟ ଦେଇ ବୁଝାଇଲି ତୁମ୍ଭକୁ ।

ଏହି ସୂତ୍ରେ ଥାଅ, ଭୟ ଟି ନ ରହିବ ବେଳକୁ ।୭୬।

ଶିଷ୍ୟ ନମସ୍କାର ମୁଁ –କାରେ ଗୁରୁଟି ଯଦି ନେବ ।

ମଝି ସମୁଦ୍ରରେ ବୁଡିଲେ ଆଉ ସ୍ଥଳ କି ଥିବ ।୭୭।

ଏଣୁ କିଏ କାହା ପ୍ରଣାମ ନେଇ ପାରନ୍ତି ନାହିଁ ।

ଏ ସୂତ୍ରେ ଗୁରୁ ଶିଷ୍ୟ ଭାବେ ଏକାଙ୍ଗେ ଥାଉ ରହି ।୭୮।

ଏ ଭାବେ ପରମ ଈଶ୍ଵର ଆନନ୍ଦ ହେଉଥାନ୍ତି ।

ଉଭୟ ମଧ୍ୟରେ ରହିଣ ଆନନ୍ଦେ ଖେଳୁଥାନ୍ତି ।୭୯।

ଶୁଭ କଥାକୁ ବ୍ୟଗ୍ର କରେ, ଅଶୁଭେ ହେଳା ହେଉ ।

ସ୍ନେହ ରଖିଥିବ ଯାଉଛି ବେଳ ନାହିଁ ଆଉ ।୮୦।

କଳିର ରାଜନୀତି ଯେଣୁ ବିନାଶୁଛି ଭକତି ।

ଅସତ କର୍ମରେ ମଜ୍ଜିଣ ରହିଅଛନ୍ତି ଯତି ।୮୧।

ତେଣୁ ଦୂତ କରି ପଠାଇ ଅଛନ୍ତି ବାସୁଦେବ ।

ସତ୍ୟ କରି କହି ଦେଉଛି ପ୍ରଭୁଙ୍କୁ କର ଠାବ ।୮୨।

ଯେଉଁ ଶିକ୍ଷା ଦେଲି ଏ ସୂତ୍ରେ ଯାର କର୍ମ ନ ଥିବ ।

ନିଶ୍ଚୟ ସଂସାରେ ଉଲକାପାତ ହୋଇ ଉଠିବ ।୮୩।

ଏବେ ଏ ବାକ୍ୟ ନ ପାଳିଲେ ହେବ ଖଣ୍ତ ପ୍ରଳୟ ।

ପ୍ରତ୍ୟେକ ଘରେ ଏହି ଶିକ୍ଷା ହୋଇଯିବ ନିଶ୍ଚୟ ।୮୪।

ଭୟ ନ ହୋଇଲେ ପ୍ରଭୁଙ୍କୁ କିଏ ଭଜି ପାରେ କି ।

ବେଳ ଥାଉଁ ବନ୍ଧ ବାନ୍ଧିଲେ, ଆଉ ଭୟ ଥିବ କି ।୮୫।

ଯେଉଁ ପ୍ରାଣିକି ସୁଦର୍ଶନ ଚକ୍ର ଜଗିଣ ଥିବ ।

କାଳଚକ୍ରକୁ ସେ ଦେଖିଲେ ତାର ଭୟ କି ଥିବ ।୮୬।

ଯାହାକୁ ରଖିବେ ଅନନ୍ତ କି କରେ ବଳମାନ ।

ପାଣ୍ତବଙ୍କୁ ସେହି ରଖିଲେ କି କଲା ଦୁର୍ଯ୍ୟୋଧନ ।୮୭।

ଗଜକୁ ରଖିଲେ ଜଳରେ କି କରିଲା କୁମ୍ଭୀର ।

ମୃଗକୁ ରଖିଲେ ବନରେ କି କଲା ବ୍ୟାଧ ଛାର ।୮୮।

ଇନ୍ଦ୍ର ଛଳେ ଗୋବରଧନ ଗିରି ଧରିଲେ ହରି ।

ଗୋପୀଗୋପାଳଙ୍କୁ ରଖିଲେ କି କଲା ବଜ୍ରଧାରୀ ।୮୯।

ବିଭୀଷଣକୁ ସେ ରଖିଲେ କି କରିଲା ରାବଣ ।

ପ୍ରହଲାଦକୁ ସେ ରଖିଲେ କି କରିଲା ହିରଣ୍ୟ ।୯୦।

ସନାତନ ଧର୍ମ ଆଦେଶ ବେଦସାର କହିଲି ।

ଏକାକାର ଜ୍ଞାନ ଆସୁଛି କହୁଅଛି କୋଇଲି ।୯୧।

କୃଷିକାର କୃଷି କରିଛି ବଛାବଛି ହୋଇବ ।

ଧାନ କ୍ଷେତୁରୁଟି ଘାସ ଯେ ବାଳୁଙ୍ଗା ବଛାଯିବ ।୯୨।

କହିବା ବୋଲିବା ଚାତୁରୀ କିଛି ରହିବ ନାହିଁ ।

ଗୁଣ କର୍ମ ବଛା ହୋଇବ ବିହନ ହେବେ ସେହି ।୯୩।

ତରକ ପାଷଣ୍ତ ଶାସ୍ତ୍ର ଯେ ଜଳରେ ଭାଲିଯିବ ।

କେବଳ ମଉଳିକ ଶାସ୍ତ୍ର ନ୍ୟାୟସାର ହୋଇବ ।୯୪।

ଏତେକ କହିମ କୋଇଲି ଶୂନ୍ୟରେ ଉଡିଗଲା ।

ଅଭିରାମ ବାଇ କହଇ ପ୍ରଭୁ କୃପା ଆସିଲା ।୯୫।

•••

 

ସପ୍ତମ କୋଇଲି–ନାମ ସଂକୀର୍ତ୍ତନର ଭାବ

 

ନାରାୟଣଙ୍କୁ ସୁମରିମ କୋଇଲି ଉଡିଗଲା ।

ନାମ ସଂକୀର୍ତ୍ତନ ମଧ୍ୟରେ ଯାଇ ପ୍ରବେଶ ହେଲା ।୧।

ହିଂସାରେ କୀର୍ତ୍ତନ କରନ୍ତି ତାଳ ମୃଦଙ୍ଗ ଧରି ।

ମଧୁର କୀର୍ତ୍ତନ ଯାହାକି ଦେଇଛନ୍ତି ପାସୋରି ।୨।

ଗାୟକ ବାୟକ ଉଭୟ ମଧ୍ୟେ ତର୍କ ଲାଗିଛି ।

ତାଳରେ କଳି ନରପତି ଯଇ ବସି ରହିଛି ।୩।

ଯଷ୍ଟି ପୃଷ୍ଠଭାଗେ ରଖିଣ କରନ୍ତି ସଂକୀର୍ତ୍ତନ ।

କର୍ଣ୍ଣ ହେଇଅଛି ଚାତକ କଳଟି ନବଘନ ।୪।

ଏପରି ସ୍ଥାନରୁ ଶ୍ରୀହରି ହୁଅନ୍ତି ଅନ୍ତର୍ଦ୍ଧାନ ।

ଭାବଗ୍ରାହୀ ସିନା ଭାବରେ ହୋଇଛନ୍ତି ବନ୍ଧନ ।୫।

ପ୍ରେମାନନ୍ଦ ସିନା ଭକତ ପ୍ରେମକୁ ହ୍ଵନ୍ତି ବାଇ ।

ହିଂସା ତର୍କ ବାଦଥିବାରୁ ଅନ୍ତର ଥାନ୍ତି ହୋଇ ।୬।

ବିଷ୍ଣୁବୃକ୍ଷ ତ୍ରୋଡରେ ରହି କୋଇଲି ଦେଖୁଥିଲା ।

ସତ୍ୟନାରାୟଣ ସୁମରି ପକ୍ଷୀ ଉଡି ଆସିଲା ।୭।

ମଧୁର ବଚନେ କହଇ ଶୁଣ ସକଳ ଭାଇ ।

କଳି ସଂକୀର୍ତ୍ତନ ମଧ୍ୟରେ କିପରି ଅଛି ରହି ।୮।

 

 

ଚଇତନ ଚନ୍ଦ୍ର ଯେପରି କରିଥିଲେ ପ୍ରଚାର ।

ସେହି ସଂକୀର୍ତ୍ତନ କି ପାଇଁ ହୁଏ ଅନ୍ୟ ପ୍ରକାର ।୯।

କଳି ଯହିଁ ରହେ କାଳିଆ ତହିଁ ରହଇ ନାହିଁ ।

କାଳିଆ ଯହିଁରେ ନ ଥାନ୍ତି ସେଥି କି ଲାଭ ଥାଇ ।୧୦।

ସେହି ସଂକୀର୍ତ୍ତନ ମୁଁ ଏବେ କହୁଅଛି ତୁମ୍ଭଙ୍କୁ ।

ଏକ ମନେ ଏକ ଜ୍ଞାନେ ଯେ ଧର ଏକ ଧର୍ମକୁ ।୧୧।

ରାଧାନାଥ ସର୍ବ ଘଟରେ ଅଛନ୍ତି ବିଦ୍ୟମାନ ।

ସାନ ବଡ କେହୁ ନାହାନ୍ତି ସର୍ବେ ଏକ ସମାନ ।୧୨।

ଜାତିଶ୍ରେଷ୍ଠ ଗୋଟି ମଣ୍ତଳେ ବିଚାରିବା ନୁହଇ ।

ଯାହାର ପ୍ରେମ ହେଉଅଛି ଯେ ନୃତ୍ୟକରୁ ଯାଇ ।୧୩।

ହରେ ରାମ କୃଷ୍ଣ ନାମରେ ସବୁ ଧର୍ମ ରହିଛି ।

‘ହ’ କଷ୍ଣ ‘ରେ’ ଯେ ରାଧିକା ମୁହିଁ କହୁଛି ବାଛି ।୧୪।

‘ରା’ ରାଧା ‘ମ’ ଟି କାଳିଆ ଶୁଣ ସକଳ ଭାଇ ।

‘ଷ୍ଣ’ ରସବତୀ ‘କୃ’-କାର ବୋଲାନ୍ତି ଭାବଗ୍ରାହୀ ।୧୫।

ପ୍ରକୃତି ପୁରୁଷ ମଧ୍ୟରେ ଆସି ଖେଳ ଲାଗିଛି ।

ନିର୍ଗୁଣରୁ ଗୁଣ ହେବାରୁ ତିନି ନାମ ହୋଇଛି ।୧୬।

ହଂସ ପରି ନାମ ଉଡୁଛି ତାକୁ ଭାବରେ ଧର ।

ଯେହି ନାମ ସେହିଟି କୃଷ୍ଣ ଅଛନ୍ତି ବିଶ୍ଵାସର ।୧୭।

ଏକବିଂଶ ସସ୍ର ଷଟଶେ ଆସି ନାମ ରହିଛି ।

ଅଷ୍ଟ କାଳରେ ଏହି ନାମ ଭଜନ ହେଉଅଛି ।୧୮।

ମୃଦୁ ଅଙ୍ଗ ସିନା ମୃଦଙ୍ଗ ଶୁଣ ସକଳ ଭାର ।

ବୁଝିଲେ ଦେହ ମୃଦଙ୍ଗର କିଛି ଭିନ୍ନ ନ ଥାଇ ।୧୯।

ଦଶ ତାଳ ବୋଲି ସେ ସିନା ଦେହର ଦଶଦ୍ଵାର ।

ଏ ତାଳ ମୃଦଙ୍ଗକୁ ଧରି ନାମ କୀର୍ତ୍ତନ କର ।୨୦।

ଚଇତନ ନିତ୍ୟାନନ୍ଦ ଯେ ଆବର ଅହଇତ ।

ନାମ ସଂକୀର୍ତ୍ତନକୁ ସିନା ଏପରି ତିନି ସୂତ୍ର ।୨୧।

ଚଇତନ ସିନା ଏ ସୂତ୍ରେ ନିତ୍ୟ ଚେତା ରଖିବ ।

ନିତ୍ୟାନନ୍ଦ ଏହି ଭାବରେ ନିତ୍ୟ ଆନନ୍ଦ ହେବ ।୨୨।

ଅଦ୍ଵଇତ ବୋଲି ଦ୍ଵଇତ ଜ୍ଞାନ କରିବା ନାହିଁ ।

ସକଳ ଦେହେ ଏକ ଯେଣୁ ଅଦ୍ଵୈତ ସୂତ୍ର ଏହି ।୨୩।

ଏ ସୂତ୍ର ଜାଣି ସଂକୀର୍ତ୍ତନ କର ସକଳ ଭାଇ ।

ଏହି ସୂତ୍ରକୁ ନ ଜାଣିଲେ ପ୍ରେମ ଆସିବ କାହିଁ ।୨୪।

ଏହି ଭାବ ଜାଣି ବାହ୍ୟରେ ତାଳ ମୃଦଙ୍ଗ ଧର ।

ଦେହ-ମୃଦଙ୍ଗ ଯେ ଜାଣଇ କଳି ନ ଥାଇ ତାର ।୨୫।

ମଧୁର ରସ ଗୋଟି ଯେଣୁ ହୋଇଲା ବିପରୀତ ।

ତେଣୁ ପ୍ରଭୁ ପେଷି ଅଛନ୍ତି ସିନା କୋଇଲି ଦୂତ ।୨୬।

ପିଣ୍ତରେ ଚିହ୍ନିଲେ ବ୍ରହ୍ମାଣ୍ତେ ସିନା ଚିହ୍ନି ପାରଇ ।

ଏଠାରେ ନ ଥିଲେ ସେଠାରେ କେହି ପାଆନ୍ତି ନାହିଁ ।୨୭।

ପ୍ରେମ ସଂକୀର୍ତ୍ତନ ମଣ୍ତଳେ ଦେଖ ପ୍ରେମାନନ୍ଦଙ୍କୁ ।

ନୃତ୍ୟ କରୁଥାନ୍ତି କେବଳ ଆସି ଭକ୍ତ-ଭାବକୁ ।୨୮।

ଦେହ ସଂସାରକୁ ଭୁଲିଣ ସଂକୀର୍ତ୍ତନରେ ରସ ।

ମାଧୁର୍ଯ୍ୟ ମୁରତି ଚରଣେ-ପଦ୍ମେ କରି ବିଶ୍ଵାସ ।୨୯।

ଧ୍ଵଜ, ବଜ୍ର, ପଦ୍ମ, ଅଙ୍କୁଶ, ଯବ, ସ୍ପଟିକ ଘେନି ।

ଊର୍ଦ୍ଧ୍ଵ ରେଖା, ଅଷ୍ଟ କୋଣ ଚକ୍ର ଚିହ୍ନି ରଖ ଜାଣି ।୩୦।

ଦକ୍ଷିଣ ଚରଣେ ଯାହାର ଏ ନବ ଚିହ୍ନ ଥାଇ ।

ସେ ରଙ୍ଗାଚରଣ ଶୋଭନ ଆଉ ସଂସାରେ ନାହିଁ ।୩୧।

ମସ୍ର୍ୟ, କୁମ୍ଭ, ଅମ୍ବର, ଅର୍ଦ୍ଧଚନ୍ଦ୍ର, ଇନ୍ଦ୍ର ଚାପରେ ।

ଶଙ୍ଖ, ଗୋଷ୍ପଦ, ବିନ୍ଦୁ ଘେନି ସୁନ୍ଦର ତ୍ରିକୋଣରେ ।୩୨।

ଏ ଅଷ୍ଟାଦଶ ଚିହ୍ନ ଯାର ଚରଣେ ଅଛି ରହି ।

ଅଭୟଚରଣ ସେ ସିନା କିଛି ଭୟ ନ ଥାଇ ।୩୩।

ପଦ୍ମ ପଶିଅଛି ଶରଣ ସିସିରେ ନାହିଁ ଭୟ ।

ସେ ପାଦେ ଶରଣ ଯେ ପଶେ ସେହି ସଦା ଅଭୟ ।୩୪।

ନୀଳ ଜୀମୁତର ଆକୃତି ଶରୀର ଦିଶୁଥାଇ ।

କଟିରେ ଯେ ପୀତ ବସନ ମନ ମୁଗଧ୍ କରଇ ।୩୫।

କନ୍ଧରେ ଯେ ସ୍ଵର୍ଣ୍ଣ ପଇତା ହୃଦେ ଶ୍ରୀବସ୍ର ଚିହ୍ନ ।

ବୈଜୟନ୍ତୀମାଳା କୌସ୍ତୁଭ ହାର କି ଶୋଭାବନ ।୩୬।

ଶଙ୍ଖ ଚକ୍ର ଗଦା କମଳ ଚତୁର୍ଭୁଜେ ଶୋଭଇ ।

ସେ ଚାରି କରରେ କଙ୍କଣ ଲକ୍ଷ୍ୟ ନ ପାରେ ଦେଇ ।୩୭।

ଏହି ଚାରି ଭୁଜେ ସଂସାର ଖେଳ କରନ୍ତି ହରି ।

ଶଙ୍ଖ ବଜାଇଲେ ଜଗତ ଜୀବ ଛନ୍ନରେ ପୁରି ।୩୮।

ପଦ୍ମ କର ଯଦି ବଢାନ୍ତି ଭକ୍ତ ବାଛି ହୁଅନ୍ତି ।

ତେଣୁ ପଦ୍ମ ନାମ ହରଷ, ଏହା ଭକ୍ତେ ଜାଣନ୍ତି ।୩୯।

ହରଷ ହୋଇଲେ ଗର୍ବ ଯେ ଆସି ଉଦେ ହୁଅଇ ।

ଭକ୍ତର ଗରବ ହୋଇଲେ ଗଦା ଗଞ୍ଜି ଦିଅଇ ।୪୦।

ଗର୍ବ ଗଞ୍ଜିବାରୁ ଉଦୟ ଆସି ହୁଅଇ ବୁଦ୍ଧି ।

ତେଣୁ ଚକ୍ରବସ୍ତ ଗୋଟିକ ସିନା କହିଛି ବୁଦ୍ଧି ।୪୧।

ଏହି ସୂତ୍ରେ ଶଙ୍ଖ, କମଳ, ଗଦା, ପଦ୍ମ ଧରିଣ ।

ଭକତଙ୍କ ସଙ୍ଗେ ଆନନ୍ଦେ ଖେଳନ୍ତି ନାରାୟଣ ୪୨।

ରଙ୍ଗା ଅଧର ମନୋହର ଦିଶେ କେଡେ ଶୋଭନ ।

ଶ୍ଵେତ ପଦ୍ମ ପୁଷ୍ପ ପରାୟେ ଦିଶୁଥାଇ ନୟନ ।୪୩।

କାମ କମାଣକୁ ଭ୍ରୁଲତା ସିନା ନିନ୍ଦା କରଇ ।

କର୍ଣ୍ଣର କୁଣ୍ତଳ ଚନ୍ଦ୍ରମା ଅର୍କ ତେଜ ନିନ୍ଦଇ ।୪୪।

କୁଞ୍ଚିତ କେଶରେ କୁଣ୍ତଳ ଦିଶେ ଅଛିଦ୍ର ପ୍ରଭା ।

ଶିରେ ମଣିମୟ ମୁକୁଟ ଦେଖି ଭକତେ ଲୋଭା ।୪୫।

ଅରୂପାନନ୍ଦ ସିନା ଏହି ଭକତଙ୍କ ସମ୍ପତ୍ତି ।

ଭକତ ଭାବରେ ଅରୂପାନନ୍ଦ ରୂପ ହୁଅନ୍ତି ।୪୬।

ଅଲକ୍ଷ୍ୟ ମୁର୍ତ୍ତିକି କି ଲକ୍ଷ୍ୟ ମୁହିଁ ଦେଇ ପାରଇ ।

ସେହି ପ୍ରଭୁଙ୍କ ଦୂତ ହୋଇକରି ଆସିଛି ମୁହିଁ ।୪୭।

ପ୍ରହଲ୍ଲାଦ ଛଳେ ସ୍ତମ୍ଭରୁ ଯେହି ହେଲେ ଉଦିତ ।

ଭକତଙଅକର ଯେ ସମ୍ପତ୍ତି ଯେହି ପ୍ରଭୁଙ୍କ ଦୂତ ।୪୮।

ଧର୍ମ ଯେଣୁ ଗ୍ଲାନି ହୋଇଲା ତେଣୁ ପଠାଇଛନ୍ତି ।

ମୁଁ ତୁମ୍ଭର ଗୁରୁ ନୁହଇ, ଗୁରୁ ସେହୁ ବୋଲାନ୍ତି ।୪୯।

ଯାହା କହିଗଲି ଏ ସୂତ୍ରେ ସଂକୀର୍ତ୍ତନରେ ରସ ।

ରୂପ ନିଶ୍ଚେ ଲଭି ପାରିବ, ନାମେ କର ବିଶ୍ଵାସ ।୫୦।

ପାଶେ ପାଶେ ରହିଅଛନ୍ତି ନେତ୍ରେ ଦିଶନ୍ତି ନାହିଁ ।

ଦର୍ପଣରୁ ପାରା ଛାଡିଲେ ମୁଖ ଦିଶିବ କାହିଁ ।୫୧।

ଥାଅ ସକଳ ଭାଇମାନେ, କହି ଯାଉଛି ମୁହିଁ ।

ଏକ ସ୍ଥାନରେ ରହିବାକୁ ସୋତେ ସମୟ ନାହିଁ ।୫୨।

ମନୁଷ୍ୟ ଜନ୍ମ କର୍ମ କର ତେଜି ହିଂସା ଅସତ୍ୟ ।

ସକଳ ଭୂତରେ ଉଦୟ ଦେଖ କମଳାକାନ୍ତ ।୫୩।

ସତଶିଷା ଦେଇ କୋଇଲି ଶୂନ୍ୟରେ ଉଡିଗଲା ।

ଧନ୍ୟ ସେ କୋଇଲି ପ୍ରଭୁଙ୍କ ଦୂତ ହୋଇ ଆସିଲା ।୫୪।

ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ଅଭିରାମ ଲେଖଇ ।

ଯାହା ଆଜ୍ଞା ଦେଲେ ମଙ୍ଗଳ ତାଙ୍କ ସନ୍ତାନ ପାଇଁ ।୫୫।

•••

 

ଅଷ୍ଟମ କୋଇଲି–କଳି ଓ ସତ୍ୟର ଭାବ

 

ପାଶକୁ ହକାରି ଶ୍ରୀହରି କୋଇଲିକି କହନ୍ତି ।

ଯାହା ଆଜ୍ଞା ଦେଲି କହିବୁ ଭକ୍ତେ ଯହିଁ ଅଛନ୍ତି ।୧।

କଳି ରାଜୁତିରେ ତରକ ଥିବେ ପ୍ରଭୁଙ୍କୁ ଧ୍ୟାୟି ।

କାମିନୀ, କାଞ୍ଚନ, କାମରେ ରହି ଭୁଲିବେ ନାହିଁ ।୨।

ବହୁ କଷ୍ଟମାନ ହେଲାଣି ଭକତଙ୍କୁ ମୋହର ।

ଦେବତାମାନଙ୍କ ମହତ୍ତ୍ଵ ନେଲେଣି ନିଶାଚର ।୩।

ମନୁଷ୍ୟ ଦେହରେ ପଶିଛ ଅସତ୍ୟ ବଳ ଘେନି ।

ତେଣୁ ସତ୍ୟ ଧର୍ମ ମୋହର ହୋଇଅଛଇ ଗ୍ଲାନି ।୪।

ଯୁଗେ ଯୁଗେ ଧର୍ମ ସ୍ଥାନେ ହୁଅଇ ଅବତାର ।

ଧର୍ମର ଜୟ ଜୟ କହି ହୁଅଇ ମୁଁ କାହାର ।୫।

ବୁଝିଲେ ମୋର ମିତ୍ର ଐରି କେହି ସଂସାରେ ନାହିଁ ।

ସତ୍ୟ ମିଥ୍ୟା ଉଭୟ ବଳେ ମୁହିଁ ରହି ଅଛଇ ।୬।

ସତ୍ୟକୁ କହିଲି କଳିର ପାଶକୁ ତୁ ନ ଯିବୁ ।

ମୋତେ ତୁ ନ ଭୁଲି କର୍ତ୍ତବ୍ୟ କର୍ମ ନିଶ୍ଚେ କରିବୁ ।୭।

କଳିକି କହିଲି ସତ୍ୟର ସଙ୍ଗେ ଲାଗିବୁ ନାହିଁ ।

ସତ୍ୟ ସଙ୍ଗେ ଯଦି ଲାଗିବୁ ତୋର ଯଶ ନ ଥାଇ ।୮।

 

 

ସତ୍ୟ କଳି ସଙ୍ଗେ ଲାଗିଲେ ତାକୁ କରିବି ନାଶ ।

କଳି ସତ୍ୟ ସଙ୍ଗେ ଲାଗିଲେ ବୁଡାଇବି ତା ବଂଶ ।୯।

ଯାଅ ମୋର ପୁତ୍ରେ ସଂସାରେ ଆନନ୍ଦେ ଖେଳ ଯାଇ ।

କଳି ସତ୍ୟକୁ ମୁଁ ପଠାଇ ହୋଇଲି ଶେଷଶାୟୀ ।୧୦।

ଶେଷଷାୟୀ ହୋଇ ଦେଖଇ କଳି ସତ୍ୟର ଖେଳ ।

କଳି ମନ୍ଦମତି ସତ୍ୟକୁ ଦେଲା ବହୁ ଜଞ୍ଜାଳ ।୧୧।

ସତ୍ୟ ମୋର ଆଜ୍ଞା ପାଳିଲା ତେଣୁ ତା ଜୟ କଲି ।

ମ୍ଳେଚ୍ଛ ସଂହାରଣ ଶକତି ଧରି ଉଠି ଆସିଲି ।୧୨।

ଶୁଣ ତୁ କୋଇଲି କଳିର କର୍ମ ତୋତେ କହଇ ।

ତୋତେ ଯାହା କି ମୁଁ କହିଲି ସଂସାରେ କହ ଯାଇ ।୧୩।

ଭକତଙ୍କୁ ଚିହ୍ନି କହିବୁ ହୁଅନ୍ତୁ ସର୍ବସହ ।

ତୋତେ କୃପା ରୂପେ ପେଷିଲି ଏବେ ଚଞ୍ଚଳ ଯାଅ ।୧୪।

ଧର୍ମ ସଙ୍କୁଚିତ ହେଲାଣି, ସତ୍ୟ ହୋଇଛି ଦୂର ।

ତେଣୁ ନାରୀବଶ ହୋଇଣ ଅଛନ୍ତି ବହୁ ନର ।୧୫।

ବୀର୍ଯ୍ୟହାନି ହେଲା ପୃଥିବୀ, ଭୁପାଳ ଧର୍ମ ହୀନ ।

କୁ-ମାର୍ଗକୁ ବିପ୍ରେ କେବଳ କରୁଛନ୍ତି ଗମନ ।୧୬।

ଯତିଙ୍କି ଅସତୀ କଲାଣି ଟଙ୍କା ସୁନା ଦେଖାଇ ।

ଜୀବ ଅହଂକାରୀ ହେବାରୁ ଶାନ୍ତି ମିଳଇ ନାହିଁ ।୧୭।

ଧର୍ମ ପଥକୁ ଯେ ଯାଇଛି ତାକୁ କହଇ କଳି ।

ତାଳି ମାରି ହସି କହୁଛି ଏମାନେ ସିଦ୍ଧ ବଳି ।୧୮।

ଅଙ୍ଗ ସିଦ୍ଧ କରି ଅଛନ୍ତି ୟାକୁ କାଳେ ଦେଖିବ ।

ଶୁଣିଥାଅ ସକଳ ଭାଇ ଏ ପଥେ ନ ଭୁଲିବ ।୧୯।

ଧର୍ମପଥେ ଯେହି ଚାଲିବ ସେହି ପାଇବ ବ୍ୟାଥା ।

ଶୁଣ ତୁ କୋଇଲି ଏପରି କଳି କହେ ସର୍ବଥା ।୨୦।

ସିଦ୍ଧ ଅଙ୍ଗ ଯାର ହୁଅଇ ସେ ସିନା ବଳବାନ ।

ଅର୍ଥ ନ କହି ବୁଝାଉଥାଏ ଦୀର୍ଘ ବଚନ ।୨୧।

ଯେଉଁମାନେ ମୋତେ ଭଜନ୍ତି ତାଙ୍କୁ ଭୟ ଥାଏ କି ।

ସୁଦର୍ଶନ ଯହିଁ ଜଗିଆ କଳି ଜାଣି ପାରେ କି ।୨୨।

ଭକ୍ତ ମୋହର ଜାତ ମାତ, ଭକ୍ତ ମୋହର ବନ୍ଧୁ ।

ଭକ୍ତି ନିମନ୍ତେ ମୋର ନାମ ହୋଇଛି କୃପାସିନ୍ଧୁ ।୨୩।

ମୋର ଭକତ ମୋର ମିତ୍ର, କଳି ଜାଣିବ କାହିଁ ।

ନିଜେ କି ଅବସ୍ଥା ପାଇବ ତାର ବିଚାର ନାହିଁ ।୨୪।

କଳି ବାକ୍ୟ ମୋର ଭକତ କର୍ଣ୍ଣ କୁ ନ ଶୁଭିବ ।

କାମନା ଭକତି ଯାହାର କଳି ଛଡାଇ ନେବେ ।୨୫।

ଶୁଣ ଲୋ କୋଇଲି କେତେ ବା ତୋତେ କହିବି ମୁହିଁ ।

ମୋ ଆଜ୍ଞା ଘେନିକରି ଯାଅ ନିଜେ ଦେଖିବୁ ତୁହି ।୨୬।

ଦେଖାଇଣ ଜଡ ବିଜ୍ଞାନ ତୋତେ ଭୁଲାଉଥିବେ ।

ଚିନ୍ମୟ ବିଜ୍ଞାନ କହିଲେ ତାଳି ମାରି ହସିବେ ।୨୭।

ତୋତେ ଭୁଲାଇବା ଶକତି ତାର ହୋଇବ ନାହିଁ ।

ମୁଁ ଯାକୁ ରଖିବି ତାହାକୁ କିଏ ପାରେ ଭୁଲାଇ ।୨୮।

ଚାତକକୁ କଳି କହଇ କିପାଁ ଚାହୁଁ ଘନକୁ ।

ଘନକୁ ବିଶ୍ଵାସ ନ କରି ପିଅ ଭୂମି ଜଳକୁ ।୨୯।

ଘନ ଜଳ ଯଦି ନ ବର୍ଷେ ନିଶ୍ଚେ ହୋଇବୁ ନାଶ ।

ଶୁଣ ତୁ କୋଇଲି କଳିର ଏପରି ଉପଦେଶ ।୩୦।

ଚାତକ କିପାଇଁ ଭୁଲିବ, ଅନ୍ୟ ପକ୍ଷୀ ଭୁଲନ୍ତି ।

ଏଣୁ ମୋ ଭକତେ କଳିର ରାଜୁତିରେ ନାହାନ୍ତି ।୩୧।

ସର୍ବ ସଙ୍ଗେ ରହି କାହାର ସଙ୍ଗରେ ନ ମିଶନ୍ତି ।

ଶୁଣ ତୁ କୋଇଲି ପଙ୍କିଳ ପରି ମୋ ଭକ୍ତ ରୀତି ।୩୨।

ଭକ୍ତ ମାନେ ଗୃପ୍ତେ ଥାଆନ୍ତି, ଅଭକ୍ତ କଥା ଶୁଣ ।

କେ କହେ ମୁହିଁ ହର ବ୍ରହ୍ମା, କେ କହେ ନାରାୟଣ ।୩୩।

ବଳରାମ ଯେ ଜଗନ୍ନାଥ କେ କହେ ମୁଁ ଅଚ୍ୟୁତ ।

କେ କହୁଛି ମୁହିଁ ଅନନ୍ତ, କେ କହେ ଯଶୋବନ୍ତ ।୩୪।

ଏ ସବୁ ପରୀକ୍ଷା ହୋଇବେ ବେଳ ନିକଟ ହେଲା ।

ବାଳୁଙ୍ଗା ଗଛ ଘାସ ଗଛ ଧାନ ସଙ୍ଗେ ଉଠିଲା ।୩୫।

ବଛାବଛି ବେଳ ହେବାରୁ ଉଠଇ କୃଷିକାରୀ ।

ପାଞ୍ଚ ମୂଲିଆଙ୍କୁ ଲଗାଇ ବାଛିବ ଯତ୍ନ କରି ।୩୬।

ତୁ ମୋର ଏକ ଆଜ୍ଞାକାରୀ ଏଣୁ କହୁଛି ତତେ ।

ମୋ ଆଜ୍ଞାକୁ ଘେନି ଉଠି ଯା ନିମିତ୍ତ –ମାତ୍ର ସୂତ୍ରେ ।୩୭।

ମୀନ-ଶନି ହେଲେ ବକତେ ମୋତେ କରିବେ ଠାବ ।

ଲୀଳା ବେଳକୁ ନୀଳବର୍ଣ୍ଣ ମୋର ରୂପ ହୋଇବ ।୩୮।

ଅନ୍ତରୀକ୍ଷ ବାଣୀ ଶୁଣିଣ କୋଇଲି ଉଡିଗଲା ।

ଯନ୍ତ୍ରୀ ଯେଣେ କଳ ମୋଡିଲେ ଯନ୍ତ୍ର ତେଣେ ଚଳିଲା ।୩୯।

ପତିତପାବନ ପତିତ ପ୍ରତି ସୁଦମା କଲେ ।

କୋଇଲିକି କୃପାସାଗର କୃପା ରୂପେ ପେଷିଲେ ।୪୦।

କୃପାବାରି ଯଦି ବର୍ଷିବ, କୃଷି ଆନନ୍ଦେ ହେବେ ।

ଶୁଣ ସକଳ ପ୍ରଭୁଦାସ, କୋଇଲି କହେ ଧ୍ରୁବ ।୪୧।

ଅନାସକ୍ତ ଭାବରେ କର୍ମକର କାଳିଆ ପାଇଁ ।

ଭକତ ଗୃହକୁ ଆସିବେ ଭାବ ଭୁଞ୍ଜିବା ପାଇଁ ।୪୨।

ଅଭିରାମ ବାଇ କହି ଅଛନ୍ତି ପାଶ ପାଶ ।

ଦିବ୍ୟ ନେତ୍ର ଯାହାର ଥାଏ ତାକୁ ହୁଅନ୍ତି ଦୃଶ୍ୟ ।୪୩।

•••

 

ନବମ କୋଇଲି–ସାକାର ନିରାକାର ପୂଜା

 

ହରି ଆଜ୍ଞା ଶିରେ ଧରିଣ କୋଇଲି ଉଡିଗଲା ।

ପ୍ରତିମା ପୂଜାରେ କଳହ ଲାଗିଅଛି ଦେଖିଲା ।୧।

ନିରାକାରବାଦୀ କହନ୍ତି ପ୍ରତିମା ପୁଜା ନାହିଁ ।

ଅରୂପାନନ୍ଦ ବାସୁଦେବ ରୂପ ରଚନା କାହିଁ ।୨।

ପ୍ରତିମା ପିତୁଳୀ ପୁଜିଣ କିପାଁ ଗର୍ବ କରୁଛ ।

ଜାଣି ଶୁଣି ନେତ୍ର ଥାଇଣ ଅନ୍ଧ ହୋଇ ବସିଛ ।୩।

ପୁଜା କଲା ଦେବତା କାହିଁ ବଚନ କହିପାରେ ।

ଅନ୍ଧ ପୁଟୁଳି ବାନ୍ଧିଛନ୍ତି ପ୍ରଭୁ ତୁମ୍ଭ ନେତ୍ରରେ ।୪।

ସାକାରବାଦୀ କହୁଥାନ୍ତି ଯା ରୂପରେଖ ଶୂନ୍ୟ ।

ସେଠାରେ କିଛି ସୁଖ ନାହିଁ କେବଳ ଶୁଷ୍କ ଜ୍ଞାନ ।୫।

ରୂପବନ୍ତ ଆମ୍ଭର ପ୍ରଭୁ ତା ସଙ୍ଗେ ଖେଳୁଥାଉଁ ।

ରୂପକୁ ରୂପ ନ ହୋଇଲେ ପ୍ରେମ ଆସିବ କାହୁଁ ।୬।

ଚଟୁ ଅନ୍ନ ତରକାରୀର ସ୍ଵାଦ ଜାଣି ପାରେ କି ।

ଗୁଡ ଗୁଡ ବୋଲି କହିଲେ ଜିହ୍ଵା ମିଠା ହୁଏ କି ।୭।

ଏଣୁ ନିରାକାର ଭକତେ ଚଟୁ ପରାୟେ ହୋଇ ।

ଘାଣ୍ଟୁ ଥାନ୍ତି ମାତ୍ର, ସାକାର ଭକ୍ତ ବସି ଚାଖଇ ।୮।

 

 

ବିଷ୍ଣୁ ବୃକ୍ଷ ତ୍ରୋଟରେ ରହି କୋଇଲି ଦେଖୁଥିଲା ।

ସତ୍ୟନାରାୟଣ ସୁମରି ପକ୍ଷୀ ଉଡି ଆସିଲା ।୯।

ମଧୁର ବଚନେ କହଇ କିପାଁ କଳି ଲଗାଅ ।

ଅଦ୍ଵିତୀୟ ଭାବ ନ ଜାଣି କିପାଁ ମଣ ଦ୍ଵିତୀୟ ।୧୦।

ଯେହି ନିରାକାର ସେ ସିନା ସାକାର ହେଉଥାନ୍ତି ।

ସାକାରରେ ଧର୍ମ ସ୍ଥାପିଣ ନିରାକାର ହୁଅନ୍ତି ।୧୧।

ଯେତେ ଅବତାର ମର୍ତ୍ତ୍ୟରେ ହୁଅନ୍ତି ଦୟାମୟ ।

ବୁଝିଲେ ସବୁ ନିରାକାର, କିଛି ନାହିଁ ସଂଶୟ ।୧୨।

ବ୍ରହ୍ମାଣ୍ତେ ଯେହି ଅବତାର ପିଣ୍ତରେ ସେହିପରି ।

ସେହି ନିରାକାର ସକଳ ଘଟେ ଅଛନ୍ତି ପୁରି ।୧୩।

ହୃଦୟ ଦେବତା ଅରୂପ ଯେଣୁ ରୂପ ନୁହନ୍ତି ।

କଳ୍ପିତ ମନରେ ଭକତେ ଏକ ରୂପ ସ୍ଥାପନ୍ତି ।୧୪।

ପ୍ରଥମେ ଅସ୍ଥିର ଚିତ୍ତକୁ ରୂପ କରନ୍ତି ସ୍ଥିର ।

ଏଣୁ ରୂପ ଏକ ସ୍ଥାପିଣ ଚିତ୍ତ ଏକାଗ୍ର କର ।୧୫।

ସେ ରୂପ କୁ ପାଶେ ଥୋଇଣ ଆକାଶେ ଦୃଷ୍ଟି ଦିଅ ।

ତେବେ ସହଜରେ ପାଇବା ଏଥି ନାହିଁ ସନ୍ଦେହ ।୧୬।

ସାକାର ନ ପୁଜି ଏକାଗ୍ର ଚିତ୍ତ ଯାର ଶୂନ୍ୟରେ ।

ହେ ସାକାରବାଦୀ ଭକତେ ଦେଖ ସମଜ୍ଞାନରେ ।୧୭।

ଶୁଣ ନିରାକାର ଭକତେ କର ଅରୂପେ ଧ୍ୟାନ ।

ଅରୂପାନନ୍ଦ ରୂପ ହେବେ ଏହି ନିଷ୍ଠା ବଚନ ।୧୮।

ତେବେ ତ ସାକାର ପୁଜିବ ଏଥି ସନ୍ଦହ ନାହିଁ ।

ସାକାର ସଙ୍ଗେ ନ ଖେଳିଲେ ପ୍ରେମ ଆସିବ କାହିଁ ।୧୯।

ସାକାରବାଦୀ ଭକତଙ୍କୁ ଏଣୁ ନିଶ୍ଚେ ମାନିବ ।

ସାକାର ନିରାକାର ଭକ୍ତେ ଅଦ୍ଵିତୀୟରେ ଥିବ ।୨୦।

ସାକାର ପୁଜିବା ଭକ୍ତଙ୍କୁ କୋଇଲି କହୁଥାଇ ।

ଶ୍ଵାନ ଯେପରି ଶୁଷ୍କ ଅସ୍ଥିଧରି ନିର୍ଜନେ ଯାଇ ।୨୧।

ହାଡକୁ ଚର୍ବଣ କରଇ ସେଥି ନ ପାଇ ମାଂସ ।

ଦନ୍ତୁ ଯେ ରୁଧିର ବାହାରେ ତାକୁ କରଇ ଗ୍ରାସ ।୨୨।

ଦନ୍ତରୁ ବାହାରୁଛି ବୋଲି ଶ୍ଵାନ ଜାଣିବ କାହିଁ ।

ତାହାର ବିଶ୍ଵାସ କେବଳ ଅସ୍ଥିରୁ ବାହାରି ।୨୩।

ତଥାପି ଅସ୍ଥିକି ଚୋବାଏ ଦନ୍ତମୂଳ ନ ଜାଣି ।

ଅସ୍ତିରେ ଶାନ୍ତି ଲାଭ କରେ ଶୁଣ ଭକତ ଶ୍ରେଣୀ ।୨୪।

ସେହି ପରାୟେ ନାରାୟଣ ସକଳ ଭୂତେ ଛନ୍ତି ।

ପ୍ରତିମା ପୁଜନ କରିଲେ ତହିଁ ପ୍ରକାଶ ହ୍ଵନ୍ତି ।୨୫।

ଏଠାରୁ ଯାଇଣ ସେଠାରେ ଅସ୍ତୁ ଅସ୍ତୁ କରନ୍ତି ।

ଏ ଅର୍ଥକୁ ହରି ଭକତେ କେବଳ ଜାଣିଥାନ୍ତି ।୨୬।

ଆତ୍ମାକୁ ଆତ୍ମା ଭାବେ ଧ୍ୟାୟି ଯେହି ପାଇଛି ଶାନ୍ତି ।

ସାକାର ପୂଜିବା ଭକତେ ଏଥି ନ କରୁ ଭ୍ରାନ୍ତି ।୨୭।

ଭାବ ନ ବୁଝିଲେ କଳହ କେବେ ନୁହେଁ ମୀମାଂସା ।

ଯିଏ ଯେଉଁ ପଥେ ଚଳି ଯା ଦେଇ ଆସା ଭରସା ।୨୮।

ଦେହରୁ ଅନ୍ତର ହେବାରୁ ବୋଲାନ୍ତି ଶୂନ୍ୟଦେହି ।

ଭକ୍ତଙ୍କ ନିମନ୍ତେ ସାକାର ଶୁଣ ସକଳ ଭାଇ ।୨୯।

ସର୍ବଦା ଅଚ୍ୟୁତ ସାକାର, ସର୍ବଦା ନିରାକାର ।

ଅରୂପାନନ୍ଦ ଅର୍ଥ ବୁଝିକଳି ମୀମାଂସା କର ।୩୦।

ସନ୍ଦିଗ୍‌ଧ ମନକୁ ନ କରି ଆନନ୍ଦେ ଭଜ ହରି ।

ଶୁଭ କର୍ଯ୍ୟକୁ ବ୍ୟଗ୍ରେ କର, ଅଶୁଭ କୁ ପାସୋରି ।୩୧।

କୋଇଲି କହି କଳହ କଲେ ନୁହଇ ଜୟ ।

ସାକାର ନିରାକାର ଭକ୍ତେ ଉଭୟେ ଅଦ୍ଵିତୀୟ ।୩୨।

ଏହି ଶିକ୍ଷା ଦେଇ କୋଇଲି ଶୂନ୍ୟରେ ଉଡିଗଲା ।

ଅଭିରାମ ବାଇ କହଇ କଳି ଭୟ ପାଇଲା ।୩୩।

ସତ୍ୟର ରାଜଧାନୀ ଛାଡି ନିଶ୍ଚେ ପଳାଇ ଯିବ ।

ସୁଦର୍ଶନ ଚକ୍ର ପାଖରେ କାଳଚକ୍ର କି ଥିବ ।୩୪।

ଅଭିରାମ ବାଇ କହଇ ମାତ୍ର ସଂସାର ଶାନ୍ତି ।

ସକଳ କାର୍ଯ୍ୟରେ ମଙ୍ଗଳ ଯାହା ସ୍ଵାମୀ କରାନ୍ତି ।୩୫।

•••

 

ଦଶମ କୋଇଲି–ଭକ୍ତ ଭଗବାନ ଭାବ

 

ନାରାୟଣଙ୍କୁ ସୁମରିଣ କୋଇଲି ଉଡିଗଲା ।

ଭକତ ଗୋଷ୍ଠୀରେ ପ୍ରଭୁଙ୍କ ଆଜ୍ଞା ନେଇ କହିଲା ।୧।

ଶୁଣ ସର୍ବ ହରିଙ୍କ ଦାସ ହରିଙ୍କର ଆଜ୍ଞାକୁ ।

ଯାହା ସ୍ଵାମୀ କହି ଅଛନ୍ତି ଆମ୍ଭର ମଙ୍ଗଳକୁ ।୨।

ଧର୍ମ ନାମେ ଏକ ନଉକା ଗଢି ଅଛନ୍ତି ଧାତା ।

ଏହି ନାବେ ଯେହି ବସଇ ତାର ନ ଥାଏ ଚିନ୍ତା ।୩।

ସଂସାର-ଜଳଧିରୁ ପାର ହୋଇବା ପାଇଁ ବସ ।

ଗୁରୁ ରୂପରେ କର୍ଣ୍ଣଧାର ହୋଇ ଅଛନ୍ତି କୃଷ୍ଣ ।୪।

ଧର୍ମନାବେ ଯେହି ବସଇ ତାର ସକଳ ଜୟ ।

ଆଉ ଯେତେ ସୁଖ ସଂସାରେ ଦେଢ ଦିନ ବିଷୟ ।୫।

ଏଥିପାଇଁ ପରସ୍ପରେ କିପାଁ ହିଂସା ଲାଗିଛି ।

ଅସତ୍ୟ କହିବା କେବଳ ବୃଥା କର୍ମ ହେଉଛି ।୬।

ସ୍ଵପନ ଜାଗ୍ରତ ହୋଇଲେ ଯେହ୍ନେ ନ ଥାଏ ସତ୍ୟ ।

ସ୍ଵପନ ପରାୟେ ସେପରି ଏ ସଂସାର ଅନିତ୍ୟ ।୭।

କୁମତି ଜନର ବେଭାର ସ୍ଵପ୍ନକୁ ମଣେ ସତ୍ୟ ।

ଇଷ୍ଟ ଧର୍ମକୁ ଭୁଲିଯାଏ ସ୍ଵପ୍ନେ ହୋଇ ମୋହିତ ।୮।

 

 

ସୁମତି କେବଳ ସ୍ଵପ୍ନରେ ଜାଗ୍ରତ ହୋଇଥାଇ ।

ମନକୁ ନେଇଣ ଶାନ୍ତିର ଗୃହରେ ରଖେ ନେଇ ।୯।

ସ୍ଵପ୍ନରେ ଜାଗ୍ରତ ହୋଇଣ ଲଭିବା ନାରାୟଣ ।

ପ୍ରଭୁଙ୍କୁ ଅର୍ପଣ କରିବା ଆମ୍ଭର ମନପ୍ରାଣ ।୧୦।

କର୍ମର ଫଳକୁ ପ୍ରଭୁଙ୍କ ଅର୍ଥେ ଅର୍ପଣ କର ।

କର୍ମର ଫଳକୁ ଭୁଞ୍ଜିଲେ ବାନ୍ଧି ନେବ ଶବର ।୧୧।

ବହୁ ଦୂରେ ପ୍ରଭୁ ନାହାନ୍ତି ଦୃଷ୍ଟି ଅଗ୍ରରେ ଛନ୍ତି ।

ନିର୍ମଳ ଭକତି ହୋଇଲେ ପାଶେ ପାଶେ ଅଛନ୍ତି ।୧୨।

ଦର୍ପଣରେ ପାରା ଦେଇଣ ଦେଖ କେଡେ ସୁନ୍ଦର ।

ଭକତ ଦୃଷ୍ଟିରେ ଅଗ୍ରରେ କରୁଛନ୍ତି ହୁନ୍ଦର ।୧୩।

ଦ୍ଵାଦଶ ବୃନ୍ଦାବନେ କୃଷ୍ଣ କରୁଛନ୍ତି ରାହାସ ।

ନେତ୍ର ଲେଉଟାଇ ଦେଖିଲ ଦିଶେ ଗମ୍ଭୀର ହାସ ।୧୪।

ଅଭିରାମ ବାଇ ବସିଛି ହସ୍ତେ ଧରିବା ପାଇଁ ।

ଢଳି ଢଳି ବଂଶୀ ବଜାଇ ଆସୁ ଅଛନ୍ତି ଧାଇଁ ।୧୫।

ଧର୍ମ ଯେଣୁ ଗ୍ଲାନି ହୋଇଲା ତେଣୁ ଆସୁଛନ୍ତି କି ।

ସତ୍ୟକୁ ସ୍ଥାପନ କରିଣ ମୋହ ବିନାଶିବେ କି ।୧୬।

ମୂର୍ଚ୍ଛାକୁ ସଂହାର କରିଣ ଦେବେ ସମାନ ଜ୍ଞାନ ।

ଭକ୍ତଙ୍କ ସଙ୍ଗରେ ଖେଳିବେ ଆସି ଜୀବର ଧନ ।୧୭।

ବହୁ କଷ୍ଟ ସହି ଭକତେ ରହି ଅଛନ୍ତି ଚାହିଁ ।

କିପରି ପତିତପାବନ, ତାଙ୍କୁ ଦେଖିବା ପାଇଁ ।୧୮।

ରସହୀନ ହୋଇ ଅଛନ୍ତି ଆହେ ରସିକରାଜ ।

ପ୍ରେମଧନ ପ୍ରାପ୍ତ ହୋଇବ ଦେଖି ପାଦ-ପଙ୍କଜ ।୧୯।

ପଦ୍ମକଢ ପରି ଭକତେ ନ ଫୁଟିଛନ୍ତି ରହି ।

ଦିନମଣି ଉଦେ ହୋଇଲେ ଆଉ କଢ କି ଥାଇ ।୨୦।

ପୁଷ୍କରିଣୀ ଶୁଷ୍କ ହୋଇଛି ଯେଣୁ ନ ବର୍ଷେ ଘନ ।

ଘନ ଘନ ବୃଷ୍ଟି କରିଲେ ନଦୀ ହୋଇବ ପୁର୍ଣ୍ଣ ।୨୧।

ଅଗ୍ନି ଜଳୁଥିଲା ତା ପରେ ପାଉଁଶ ଥିଲା ଢାଙ୍କି ।

ତୁମ୍ଭେ କୃପାବାୟୁ ପେଷିଲେ ପାଉଁଶ ନ ଉଡେ କି ।୨୨।

ବକ ଯେହ୍ନେ ଇନ୍ଦ୍ର ନିରୋଧି ମୀନକୁ ଥାଏ ଟାକି ।

ମୀନ ଯଦି ଆସି ପଡଇ ଆନନ୍ଦେ ନୁହଇ କି ।୨୩।

କୃଷିକାରୀ କୃଷି କରିଛି, ହେଲେ ମରୁଡି ଧୋଇ ।

କୃଷିକାରୀ କି ଆନନ୍ଦ ଆଉ ମିଳିବ କାହିଁ ।୨୪।

ନୀର ସଙ୍ଗେ କ୍ଷୀର ମିଶିଛି କ୍ଷୀର ସଙ୍ଗରେ ନୀର ।

ପାତ୍ରେ ଭରି ଅଗ୍ନି ଜାଳିଲେ ଶୁଷ୍କ ହୁଅଇ ନୀର ।୨୫।

କ୍ଷୀର ଉତୁରିଣ ପଡଇ ନୀରକୁ ନ ଦେଖିଣ ।

ନୀରକୁ ପାଇଲେ କ୍ଷୀରର ହୁଏ ଆନନ୍ଦ ମନ ।୨୬।

ତେବେ ନୀରର ମହାଭାଗ୍ୟ କିପାଇଁ ନୋହିବ କି ।

ଅନ୍ତର୍ଯ୍ୟାମୀଙ୍କି କେଉଁ କଥା ଅଗୋଚର ଅଛି କି ।୨୭।

ତୁମ୍ଭେ ଅବତାର ମର୍ତ୍ତ୍ୟରେ ହେଲେ କି ଦୁଃଖ ଗଲା ।

ଭକତମାନଙ୍କୁ ତୁମ୍ଭର ଯଦି ଚାଳିଶା ହେଲା ।୨୮।

ଲୀଳା ବେଳ ଆସି ହୋଇଲା ହୁଅ ନୀଲ ମୁରତି ।

ସତ୍ୟକୁ ସ୍ଥାପନ କରିଣ ନାଶ କଳି ରାଜୁତି ।୨୯।

ଛାତ୍ରଙ୍କର କଳି ମୀମାଂସା ଆସି କର ଶିକ୍ଷକ ।

ଉଠ ଉଠ ଭକତ ପ୍ରିୟ ଦିଶୁଅଛ ତକ୍ଷକ ।୩୦।

ଦ୍ଵାଦଶ ବନରୁ ବାହାର ଆହେ ପ୍ରାଣ ଈଶ୍ଵର ।

କହଇ ଅଭିରାମ ଦୋଷ ନ ଧରିବ ବାସର ।୩୧।

ଶିକ୍ଷା ସ୍ଥାନରେ ଏହିପରି କୋଇଲି କଲା ସ୍ତୁତି ।

ଶୁଣ ସକଳ ଭାଇମାନେ କଳିର ରାଜନୀତି ।୩୨।

କଳି ଯେଉଁ ସ୍ଥାନେ ରହି କାଳିଆ ତହିଁ କାଠ ।

ସତ୍ୟର ସ୍ଥାନକୁ ଯିବାକୁ ଆଉ ନ କର ମଠ ।୩୩।

ସତ୍ୟ ଆଶ୍ରମକୁ ଚଳିଲେ କାଷ୍ଠ ପାଷାଣ ନାହିଁ ।

କଳା ଗୋରା ଦୁଇ ମଧୁର ମିଳନ ଛନ୍ତି ହୋଇ ।୩୪।

ଆସ ରୂପହୀନ-ସିନ୍ଧୁରୁ ପାର ହୋଇଣ ଯିବା ।

ପ୍ରେମ ସମୁଦ୍ର ଉଛୁଳିଛି ଆସ ସ୍ନାନ କରିବା ।୩୫।

ତର୍କ ପଥେ ଯଦି ଚଳିବା ପୁରି ଅଛଇ ନର୍କ ।

ବ୍ୟାଧିଗ୍ରସ୍ତ ଯଦି ହୋଇବା ତେବେ ଖୋଜିବା ସର୍କ ।୩୬।

ଏଣୁଟି ନିରୋଗ ପଥରେ ଆସ ହେବା ପଥୁକୀ ।

ନିଜ ନାମକୁ ଲୋଭିବାକୁ ସ୍ଥିର କର ମତିକି ।୩୭।

ନିଜ ନାମ ଧରି ଡାକିଲେ ପ୍ରଭୁ ଆସିବେ ଧାଇଁ ।

ଦୃଷ୍ଟିରେ ଅଗ୍ରରେ ଅଛନ୍ତି ବହୁଦୂରରେ ନାହିଁ ।୩୮।

ଭକ୍ତ ଜାଣଇ ଭଗବାନ ଆଉ କେ ଜାଜିବ କି ।

କହିବା ବୋଲିବା ଚାତୁରୀ ଦ୍ଵାରା କେ ପାଇଛି କି ।୩୯।

ଅଭିରାମ ବାଇ କହି ପାଦ ପଙ୍କଜ ଧ୍ୟାୟି ।

ଲୀଳା କରିବାକୁ ପ୍ରକାଶ ମର୍ତ୍ତ୍ୟେ ଅଛନ୍ତି ହୋଇ ।୪୦।

ପିତାଙ୍କର ନାମ ଅର୍ଜ୍ଜୁନ ମାତା ନାମ ସୁବ୍ରତା ।

ସୁବ୍ରତା ଉଦରେ ଜନ୍ମିଛ ଆହେ ଭକତିଦାତା ।୪୧।

ସତ୍ୟ ଅନନ୍ତ ନାମ ଗୋଟି ବହିଛ ଚକ୍ରଧର ।

ଏକାକ୍ଷର ମନ୍ତ୍ର ପ୍ରଚାର ଅର୍ଥେ ହେଲା ବାହାର ।୪୨।

ସତ୍ୟର ଯେହି ରହିଥିବେ ତାଙ୍କ ସଙ୍ଗେ ଖେଳିବ ।

ଏହି ରସହୀନ ସମୁଦ୍ର ଉଦ୍ଧରିଣ ଧରିବ ।୪୩।

ଭକତଙ୍କ ସଙ୍ଗେ ଖେଳିଣ ଚଳିବ ନିଜ ସ୍ଥାନ ।

ବେଳ ତ ନିକଟ ହେଲାଣି ଉଠ ଜୀବ-ଜୀବନ ।୪୪।

ଭକ୍ତଙ୍କୁ କଳା ଦତ୍ତ କର ଜୟ ଜୟ ଅଚ୍ୟୁତ ।

ତୁମ୍ଭେ କଳା ଟାଣି ନେବାର ଭକତ କାଷ୍ଠବତ ।୪୫।

ଅର୍ଜ୍ଜୁନକୁ କଳା ଦେବାରୁ ଜଗଜୟୀ ହୋଇଲା ।

କଳା ଟାଣି ନ୍ୟନ୍ତେ ଗାଣ୍ତିବ ଧନୁ ମୁଣ୍ତେ ଧରିଲା ।୪୬।

ସେହିପରି ତୁମ୍ଭେ ଭକତ ହସ୍ତରେ ନାହିଁ ଧନୁ ।

ଯାହା କରିଗଲେ ଏଣିକି ହେଳା ନ କର କାହ୍ନୁ ।୪୭।

କୃପାବାୟୁକୁ ପେଷି ଦିଅ ଅଗ୍ନିରୁ ଉଡୁପାଁଶ ।

କେଉଁପରି ତୁମ୍ଭ ଭକ୍ତଙ୍କୁ ଦେବଇ ଉପଦେଶ ।୪୮।

ଚନ୍ଦ୍ର ଉଦେ ହେଲେ ଯାମିନୀ କାହିଁ ବିନାଶ ହେବ ।

ସୂର୍ଯ୍ୟ ଯଦି ଉଦେ ହୋଇବେ ଆଉ ରାତ୍ରି କି ଥିବ ।୪୯।

ଶିକ୍ଷା ସ୍ଥାନରେ ଏହିପରି କୋଇଲି ସ୍ତୁତି କଲା ।

ମଧୁର ବଚନେ ସଭାକୁ ଅନାଇଣ କହିଲା ।୫୦।

ଅଦ୍ଵଇତ ବ୍ରହ୍ମ ସଂସାରେ ଦେଖ ପୁରି ଅଛଇ ।

ବିଶିଷ୍ଟାଦ୍ଵୈତ ପ୍ରାଣୀମାନେ ଭ୍ରମରେ ଥାଆନ୍ତି ରହି ।୫୧।

ବ୍ରହ୍ମାଣ୍ତରେ ଯେହି ଉଦୟ ପିଣ୍ତରେ ମଧ୍ୟ ସେହି ।

ବୁଧଜନମାନେ ଅଦ୍ଵୈତ ମତରେ ଥାନ୍ତି ରହି ।୫୨।

ଅର୍ଦ୍ଧେ ଅଣ୍ତିରା, ଅର୍ଦ୍ଧେ ମାଈ ଏକାକ୍ଷର ରୂପରେ ।

ବଟପୁଟବାସୀ ଉଦୟ ଦେଖ ଘଟ ଘଟରେ ।୫୩।

ପଞ୍ଚମାତା ଧରି ଉଦୟ ହୋଇଛି ଏକାକ୍ଷର ।

ଓଁ କାର ଆକାଶ ଇକାର ବୋଲାଇଛି ସମୀର ।୫୪।

ଏକାର ଅମୃତ ଉକାର ସିନା ହୋଇଛି ରସା ।

ବୀତିହୋତ୍ର ଆକାର ସ୍ଵରେ ତାକୁ କରିଛି ଆଶା ।୫୫।

ପଞ୍ଚଭୂତ ଏହି ପରାୟେ ଅଛନ୍ତି ପ୍ରଭୁ ଧ୍ୟାୟି ।

ପଞ୍ଚଭୂତରେ ଏଶରୀର ଦେଖ ଶୋଭା ଦିଶଇ ।୫୬।

ପଞ୍ଚଭୂତ ଠାରୁ ଉତ୍ପତ୍ତି ଯେହି ଅଛନ୍ତି ହୋଇ ।

ପ୍ରଭୁଙ୍କ ଆଜ୍ଞାରୁ କହୁଛି, ମୁହିଁ ଗୁରୁ ନୁହଇ ।୫୭।

ଏକଇ ମାତ୍ର ନାରାୟଣ ମହାଶୂନ୍ୟରେ ଥିଲେ ।

ସୃଷ୍ଟିରେ ଲୀଳାକୁ ଅରୂପାନନ୍ଦ ଇଚ୍ଛା କରିଲେ ।୫୮।

ଶୂନ୍ୟ ଶୂନ୍ୟ ହେଲା ଉତ୍ପତ୍ତି ତାର ନାମ ଆକାଶ ।

ଆକାଶରୁ ବାୟୁ, ବାୟୁର ହେଲା ଅଗ୍ନି ପ୍ରକାଶ ।୫୯।

ଅଗ୍ନିରୁ ଯେ ଜଳ, ଜଳରୁ ଜାତ ହୋଇଲା ପୃଥ୍ଵୀ ।

ତତ୍ତ୍ଵାତୀତ ପ୍ରଭୁଙ୍କ ଠାରୁ ପଞ୍ଚ ତତ୍ତ୍ଵ ଉତ୍ପତ୍ତି ।୬୦।

ପଞ୍ଚରୁ ପଚିଶ ଯେପରି ଜାତ ଅଛନ୍ତି ହୋଇ ।

ପଞ୍ଚଭୂତରେ ଏ ଶରୀର ଦେଖ ଶୋଭା ଦିଶଇ ।୬୧।

ଅସ୍ଥି, ମାଂସ, ନଖ, ତ୍ଵକ ଯେ ଲୋମ ପୃଥ୍ଵୀରୁ ଜାତ ।

ଶୁତ୍ର, ଶୋଣିତ, ମଜ୍ଜା, ମଳ, ମୂତ୍ର ଜଳୁ ସମ୍ଭୁତ ।୬୨।

ଧାରଣ, ଚାଳନ, କ୍ଷେପମ, ସଙ୍କୋଚ, ପ୍ରସାରଣ ।

ସମୀର ଭୂତରୁ ଏ ପଞ୍ଚ ହୋଇଛନ୍ତି ଜନମ ।୬୩।

ନିଦ୍ରା, କ୍ଷୁଧା, ତୃଷା, କ୍ଲାନ୍ତି ଯେ ଆଳସ୍ୟ ଅଗ୍ନିଠାରୁ ।

କାମ, କ୍ରୋଧ, ଲୋଭ, ମୋହ ଯେ ଲଜ୍ଜା ଜାତ ବ୍ୟୋମରୁ ।୬୪।

ଏହିପରି ପଞ୍ଚ ତତ୍ତ୍ଵରୁ ପଚିଶ ହେଲେ ଜାତ ।

କହଇ ଅଭିରାମ ଏଥି ଜୀବ ପରମ ନୃତ୍ୟ ।୬୫।

ପଞ୍ଚଭୂତରେ ଅହଂକାର, ମନ ବୃଦ୍ଧି ମିଶିଲା ।

ଅପରା ପ୍ରକୃତି ବୋଲିଣ ସିନା ନାମ ହୋଇଲା ।୬୬।

ପରା ପ୍ରକୃତି ହେଲା ଜୀବ ଅପରା ସଙ୍ଗେ ରହି ।

ପରା ଅପରାରେ ସଂସାର ଉତ୍ପତ୍ତି ଅଛି ହୋଇ ।୬୭।

ପରା ଅପରାରେ ପୁରିଣଛନ୍ତି ପରମେଶ୍ଵର ।

ଏ ସୂତ୍ର ନ ବୁଝି ନାସ୍ତିକ ଦଳ ହେଲେ ବାହାର ।୬୮।

ନାସ୍ତିକ କହନ୍ତି ଈଶ୍ଵର ଜଣେ ସଂସାରେ ନାହିଁ ।

ପ୍ରକୃତିରୁ ସବୁ ଉତ୍ପତ୍ତି ଦେଖ ହୋଇ ଅଛଇ ।୬୯।

ପ୍ରକୃତି ମୁଖରେ ପଡନ୍ତି ଈଶ୍ଵରଙ୍କୁ ଭୁଲିଣ ।

ସେମାନେ ବେଳକୁ କିପାଇଁ ନ ପାଇବେ କଷଣ ।୭୦।

ଭାବ ନ ଜାଣିଲେ ପ୍ରଭୁଙ୍କୁ କିଏ ଦେଖିପାରେ କି ।

ନାସ୍ତିକକୁ ଭାବ ମିଳିବା ବହୁ କଷ୍ଟ ନୁହେଁ କି ।୭୧।

ଭାବକୁ ଭୁଞ୍ଜିବାକୁ ସିନା ପ୍ରଭୁ ଆସନ୍ତି ଧାଇଁ ।

ତେଣୁ ଭାବଗ୍ରାହୀ ନାମକୁ ଭକ୍ତେ ଅଛନ୍ତି ଦେଇ ।୭୨।

ନାନା ଉପାୟେ ଭେଟ ନାହିଁ ଗୋବିନ୍ଦ କର ଭାବ ।

କହଇ ଅଭିରାମ ବାଇ ମନୁଷ୍ୟ ଜନ୍ମ ଲାଭ ।୭୩।

ଏପରି କୋଇଲି ଭକତ ଗୋଷ୍ଠୀକି ଚାହିଁ କହେ ।

ସଂସାର ସ୍ଵପ୍ନ ପରି ମଣି ପ୍ରଭୁଙ୍କୁ କର ଲୟେ ।୭୪।

ହୃଦୟ ପଦ୍ମରେ ହରିଙ୍କି ଦିଅ ଭାବ ଆସନ ।

ନିଶ୍ଚୟ ଭକତ-ସମ୍ପତ୍ତି ହୋଇବେ ସୁପ୍ରସନ୍ନ ।୭୫।

ହୃଦୟ ନିର୍ମଳ ନୋହିଲେ ପ୍ରଭୁ ବସିବେ ନାହିଁ ।

ସୂର୍ଯ୍ୟଙ୍କର ତେଜ ବରଷା ମେଘରେ କି ଦିଶଇ ।୭୬।

ଯେ ହୃଦେ ବସିବେ ଗୋବିନ୍ଦ ତହିଁ ବସିଛି ହିଂସା ।

ତେଣୁ ଅସୁନ୍ଦର କେବଳ ଦିଶୁଅଛଇ ରସା ।୭୭।

ଯେଉଁ ହୃଦୟରେ ବସିବେ ଭକତଙ୍କ ସମ୍ପତ୍ତି ।

ସେ ହୃଦୟ କଳି ବସିଣ କରୁଅଛି ରାଜୁତି ।୭୮।

ଯେ ହୃଦୟେ ରାସ ରସିକ ରାଜ ବସିବେ ଆସି ।

ତହିଁ ଅହଂକାର ରହିଣ ପକାଉଅଛି ଦଂଶି ।୭୯।

ଏଣୁ କଳି ଯହିଁ ରହଇ କାଳିଆ ତହିଁ ନାହିଁ ।

କହୁଛି ହିଂସାକୁ ହୃଦରେ ସ୍ଥାନ ନଦିଅ କେହି ।୮୦।

ବେଳହୁଁ ଗୋବିନ୍ଦ ସୁମର ବେଳ ପାଏ କି ନାହିଁ ।

କହଇ ଅଭିରାମ ବାଇ ହୃଦ ପଦ୍ମରେ ଧାୟି ।୮୧।

ଭକତ ଗୋଷ୍ଠୀରେ କୋଇଲି ଏହିପରି କହିଲା ।

ଅନ୍ଧାର ଗୃହରେ କେବଳ ଆସି ବତୀ ଜାଳିଲା ।୮୨।

ଈଶ୍ଵରଙ୍କ ପରେ ନିର୍ବର କରି ସଂସାରେ ଖେଳ ।

ଚଟୁପରି ଯଦି ହୋଇବ, ତେବେ ସର୍ବ ମଙ୍ଗଳ ।୮୩।

ଚଟୁ ତରକାରୀ ଘାଣ୍ଟଇ ଚାଟିକା ଶକ୍ତି ନାହିଁ ।

ଚଟୁ ପରି କର୍ମ କରିବା ଖଳେ ଆଶା ନ ଦେଇ ।୮୪।

ଫଳ ଭୋକ୍ତା ହେବେ ବୈକୁଣ୍ଠ ଏହି ନିଷ୍ଠା ବଚନ ।

ଅଷ୍ଟକାଳେ ଏହି ଭାବରେ ରଖିଥାଅ ଚେତନ ।୮୫।

ଆଗକୁ ଚାଲି ଚାଲି ଯାଅ, ପଛଘୁଞ୍ଚା ନ ଦିଅ ।

ବାରମ୍ବାର ଚେଷ୍ଟା କରିବା ଏହି ସଂସାରେ ଶ୍ରେୟ ।୮୬।

କର୍ମକ୍ଷେତ୍ର ହେଳା ହେବାରୁ ଲକ୍ଷ୍ୟଭଷ୍ଟ ହେଉଛି ।

ତେଣୁ ଏ ଅଶାନ୍ତି ସିନ୍ଧୁରେ ଜୀବ ନିତ୍ୟ ଭାସୁଛି ।୮୭।

ଭାଗ୍ୟର ଫଳକୁ କର୍ମର ସୂତ୍ରରେ ଥାଅ ଧରି ।

କହଇ ଅଭିରାମ ବାଇ କରିଲେ ମିଳେ ହରି ।୮୮।

ପୂର୍ବଜନ୍ମର କର୍ମ ଯାହା, ସେହି ଭାଗ୍ୟ ହୋଇଛି ।

ଇହଜନ୍ମେ ସେହି ଭାଗ୍ୟରୁ କର୍ମ ଲାଗିଣ ଅଛି ।୮୯।

ଏ ସୂତ୍ର ବୁଝି ବୁଧଜନେ କର୍ମାନୁଷ୍ଠାନ କର ।

ଆଳସ୍ୟ ବର୍ଜ୍ଜନ କରିଣ ଦେଖ ସାରଙ୍ଗଧର ।୯୦।

ଦୃଷ୍ଚିରେ ଅଗ୍ରରେ ଅଛନ୍ତି, ପ୍ରେମ ଭାବେ ମିଳନ୍ତି ।

ଭକ୍ତି ପ୍ରିୟ ଯେଣୁ ମାଧବ, ଅଭକ୍ତିରେ ନାହାନ୍ତି ।୯୧।

ଶରୀରଭେଦ ସିଉକାର କରିଛନ୍ତି ଖେଳକୁ ।

ପାଶେ ପାଶେ ରହି ଅଛନ୍ତି ନ ଦିଷନ୍ତି ଖଳକୁ ।୯୨।

ପ୍ରଭୁଙ୍କର କୃପା-ସାଗରେ ବୁଡି ଖୋଜିବା ଆସ ।

ବାର ବାର ବୁଡି ମାରିବା ନ ହୋଇଣ ହତାଶ ।୯୩।

ବିରକ୍ତ ହୋଇଲେ ଶାନ୍ତିକି ଆଉ ପାଇବା କାହିଁ ।

ଊର୍ଣ୍ଣନାଭ କୀଟ ଯେପରି ଜାଲକୁ ଗଢୁଥାଇ ।୯୪।

ଥରେ ମାତ୍ର ସୂତ୍ରେ ଲଗାଏ ବୃକ୍ଷ ପତ୍ରରେ ନେଇ ।

ସେହି ସୂତ୍ର ଛଡି ଯାଆନ୍ତେ ପୁର୍ନବାର ଲଗାଇ ।୯୫।

ଦ୍ଵିତୀୟରେ ଛାଡି ଯାଆନ୍ତେ ଲଗାଏ ତୃତୀୟରେ ।

ତୃତୀୟରେ ଯଦି ଛିଡଇ ଲଗାଇ ଚତୁର୍ଥରେ ।୯୬।

ବାରମ୍ବାର ଚେଷ୍ଟା କରିଣ ଜାଲ କରେ ନିର୍ମାଣ ।

ବିରକ୍ତ ତାର ନ ଆସଇ ସର୍ବ ଭକତେ ଶୁଣ ।୯୭।

ଏଣୁ ବିରକ୍ତିକୁ ହୃଦୟ ମଧ୍ୟେ ସ୍ଥାନ ନ ଦିଅ ।

କହଇ ଅଭିରାମ ବାଇ ଫଳ ହରିଙ୍କି ଦିଅ ।୯୮।

ସଭାକୁ ଅନାଇ କୋଇଲି କହିଲା ଏହିପରି ।

ସାତୁକ୍ୟେ ପ୍ରଭୁପାଦ ଧର ରଜ ତମ ନ ଧରି ।୯୯।

ଅଭିଳାଷ ପଦାର୍ଥ ପାଇଁ ପ୍ରାଣୀ ଆସକ୍ତି କରେ ।

ସେହି ପଦାର୍ଥ ନ ମିଳିବା ଯାଏଁ ତମ ଗୁଣରେ ।୧୦୦।

ତମ ଗୁଣ ଏହାକୁ କହି, ଶୁଣ ରଜ ଗୁଣକୁ ।

ସେହି ପଦାର୍ଥକୁ ପାଇଲା ନ ଲୋଭିଲା ଶାନ୍ତିକୁ ।୧୦୧।

ପୁର୍ନବାର ଆଶା କରଇ ସେହିଟି ରଜଗୁଣ ।

ସାତୁକ୍ୟ କର୍ମଟି ଯେପରି ତାହା କହୁଛି ଶୁଣ ।୧୦୨।

କଉଣସି ଅଭିଳାଷରେ ତାର ଆଶା ନ ଥାଇ ।

ଅଭିଳାଷ ଯଦି ମିଳଇ ତାକୁ ନ ଭୁଞ୍ଜୁଥାଇ ।୧୦୩।

ପ୍ରଭୁଙ୍କୁ ଅର୍ପଣ କରଇ ହୋଇଣ ନିରାହାରୀ ।

ସାତୁକ୍ୟ କର୍ମ ସିନା ଏହି, ଏଥି ହେଳା ନ କରି ।୧୦୪।

ଏଣୁ ରଜ ତୁମକୁ କାଟି ସାତୁକ୍ୟେ କର୍ମ କର ।

ସାତୁକ୍ୟେ କର୍ମ ଶୁଭ କହି ଏଥି ହେଳା ନ କର ।୧୦୫।

ଅଭିରାମ ବାଇ କହଇ ସାତୁକ୍ୟେ ମୋର ଆଶା ।

ଅଭୟ ପାଦ ପଙ୍କଜରେ ନିତ୍ୟ କରିଛି ଆଶା ।୧୦୬।

ସଭାକୁ ଅନାଇ କୋଇଲି ତ୍ରି ଗୁଣ ସୂତ୍ରେ କହେ ।

ସାତୁକ୍ୟେ କର୍ମ କର ଭକ୍ତେ ପ୍ରଭୁଙ୍କୁ କରି ଲୟ ।୧୦୭।

ସାତୁକ୍ୟେ ଦେଖିବା, ସାତୁକ୍ୟେ ସବୁ କର ଶ୍ରବଣ ।

ସାତୁକ୍ୟରେ ମଧୁର ରସ, ସାତୁକ୍ୟେରେ ଆଘ୍ରାଣ ।୧୦୮।

ସାତୁକ୍ୟରେ ତ୍ଵକ, ସାତୁକ୍ୟ ସୂତ୍ରେ ରହିବ ବାକ୍ୟ ।

ସାତୁକ୍ୟର କର୍ମ କରିବେ ସିନା ହସ୍ତ ଯୋଡିକ ।୧୦୯।

ସାତୁକ୍ୟର ପାଦ କେବଳ ଆନନ୍ଦେ ଗତି କରୁ ।

ସାତୁକ୍ୟର ମନ ରହିଲେ ବିଜେ କରିବେ ଗୁରୁ ।୧୧୦।

ସାତୁକ୍ୟ କର୍ମେ ପାପ ଅଙ୍ଗ ନିଶ୍ଚେ ପାଲଟି ଯିବେ ।

ତେବେ ସଦାନନ୍ଦ ଆସିବେ କହି ଯାଉଛି ଧ୍ରୁବ ।୧୧୧।

ସାତୁକ୍ୟ ପ୍ରାଣିଙ୍କ ପାଶରେ କମଳା ଥାନ୍ତି ରହି ।

କମଳା ଯହିଁ ରହିଥାନ୍ତି ଭକତବନ୍ଧୁ ତହିଁ ।୧୧୨।

ଯହିଁ ଭକ୍ତ ବନ୍ଧୁ ଥାଆନ୍ତି ତହିଁ ସକଳ ସିଦ୍ଧି ।

ଏଣୁ ସାତୁକ୍ୟ କର୍ମ ବିଧି, ବିଧି ସ୍ଥାନରେ ନିଧି ।୧୧୩।

ନିର୍ମଳ ଭକ୍ତି ସାତୁକ୍ୟେ ଖୋଜି ଖୋଜି ପାଇଛି ।

କହଇ ଅଭିରାମ ବାଇ ସଂସାର ସାର ବାଛି ।୧୧୪।

ସଭାକୁ ଆନାଇ କୋଇଲି କହିଲା ଏହିପରି ।

ସାତୁକ୍ୟ କର୍ମରେ ବିଶ୍ଵାସ ଏଥି ହେଳା ନ କରି ।୧୧୫।

ବିଶ୍ଵାସ ବିନା ଯେତେ କର୍ମ ସେଥିରେ ନାହିଁ ଫଳ ।

ଅବିଶ୍ଵାସ ଘରେ କେବଳ ସର୍ବଦା ଅମଙ୍ଗଳ ।୧୧୬।

ବିଶ୍ଵାସ ଗୃହରେ ଆନନ୍ଦ ନଦୀ ସ୍ରୋତ ଚାଲିଛି ।

ବିଶ୍ଵାସରେ ହେତୁ ରହିଣ ଭାବ ଉଦେ କରୁଛି ।୧୧୭।

ଭାବ ଯେଣୁ ଉଦେ ହୁଅଇ ପ୍ରଭୁ ହୁଅନ୍ତି ଗ୍ରାହୀ ।

ତେଣୁ ଭକ୍ତେ ନାମ ଦେଇଣ ଅଛନ୍ତି ଭାବଗ୍ରାହୀ ।୧୧୮।

ଗାଈ ପଛେ ବସ୍ରା ଯେପରି କ୍ଷୀର ଆଶାରେ ଥାଇ ।

ଗାଈଠାରୁ କ୍ଷୀର ସରିଲେ ବସ୍ରା ଗୋଡାଏ ନାହିଁ ।୧୧୯।

ଭକ୍ତ ସେପରି ହେଲା ଗାଈ, ଭାବ ହୋଇଛି କ୍ଷୀର ।

କ୍ଷୀର ଲାଳସାରେ ଗୋଡାଇଥାନ୍ତି ସାରଙ୍ଗଧର ।୧୨୦।

ଭାବଶୂନ୍ୟ ହେଲେ ଭକତପ୍ରଭୁ ବହୁତ ଦୂରେ ।

ଦୁର୍ଲ୍ଲଭ ମନୁଷ୍ୟ ଶରୀର ତାର ଗଲା ବୃଥାରେ ।୧୨୧।

ଏଣୁ ଏ ମନୁଷ୍ୟ ଦେହରେ ବିଶ୍ଵାସ ମୁଳ ବୀଜ ।

ବିଶ୍ଵାସେ ଭାବ ଉଦେ ହୁଏ ଆସ ହୋଇବା ସଜ ।୧୨୨।

ଅଭିରାମ ବାଇ କହଇ ନିଶ୍ଵାସ ପ୍ରଶ୍ଵାସରେ ।

ଏହି ବୃନ୍ଦାବନେ ଖେଳନ୍ତି ରାଧା କୃଷ୍ଣ ସଙ୍ଗରେ ।୧୨୩।

ସଭାକୁ ଅନାଇ କୋଇଲି ବିଶ୍ଵାସ ସୂତ୍ରେ କହେ ।

ଦ୍ଵାଦଶ ବନ କୁ ଭକତେ ଭାବରେ କର ଲୟେ ।୧୨୪।

ଦ୍ଵାଦଶ ବୃନ୍ଦାବନ ଯେହି ଏ ଦ୍ଵାଦଶ ପବନ ।

ବାର ବୃନ୍ଦାବନେ ଖେଳନ୍ତି ରାଧା ନନ୍ଦ-ନନ୍ଦନ ।୧୨୫।

‘ରା’ କାର ରାଧିକା ‘ମ’ କାର ସିନା ମୁରଲୀଧାରୀ ।

ଯେ ରାମ ନାମ ଧରି ହନୁ ସିନ୍ଧୁ ହୋଇଲା ପାରି ।୧୨୬।

ଯେ ନାମକୁ ଧରି ଭୁଷଣ୍ତ ହୋଇଅଛି ଅମର ।

ସେହି ରାମ ନାମ ଧରିଣ ମୃତ୍ୟୁ ଜିଣିଲେ ହର ।୧୨୭।

ସେହି ନାମ ଧରି ନାରଦ ମନ ଯାନରେ ବସି ।

ଚତୁର୍ଦ୍ଦଶ ବ୍ରହ୍ମାଣ୍ତ କ୍ଷଣକରେ ବୁଲନ୍ତି ଋଷି ।୧୨୮।

ସେହି ରାମ ନାମ ଉଦ୍ଧବ କରେ ଶ୍ରୀକୃଷ୍ଣ ଦେଲେ ।

ରତ୍ନ ପାଦୁକା ବୋଲିକରି ଉଦ୍ଧବକୁ କହିଲେ ।୧୨୯।

ସେହି ପାଦ ଧରି ଉଦ୍ଧବ ଗଲେ ବଦ୍ରିକାଶ୍ରମ ।

ଶ୍ରୀକୃଷ୍ଣଙ୍କ ଉପଦେଶରେ ଲଭିଲେ ପୃଷୋତ୍ତମ ।୧୩୦।

କେତେ ଅବା ମୁହିଁ କହିବି ରାମ ନାମରେ ଅର୍ଥ ।

ସେହି ନାମ ଦେଖ ନୟନ ଅଗ୍ରେ କରୁଛି ନୃତ୍ୟ ।୧୩୧।

ଏକବିଂଶ ସସ୍ର ଷଟଶ ନୃତ୍ୟ ଷାଠିଏ ଦଣ୍ତେ ।

କହେ ଅଭିରାମ ନାମକୁ ଦିନେ ନ ଧରି ତୁଣ୍ତେ ।୧୩୨।

ରାମ ନାମ ଦିନେ କହିଛି, ଆଉ କହିବି ନାହିଁ ।

ସବୁବେଳେ ବାକ୍ୟ ଚାଟିବା ମୋର ଇଚ୍ଛା ନ ଥାଇ ।୧୩୩।

ସେହି ନାମକୁ ମୁଁ ପାଇଲି ବହନ୍ତା ଦୁଆରରେ ।

ଉଲଟ ପାଲଟ ରାଧିକା କୃଷ୍ଣ ରାମ ମରାରେ ।୧୩୪।

ଗୋଧନ ଚରାନ୍ତି ଶ୍ରୀକୃଷ୍ଣ ଜ୍ଞାନ ଠେଙ୍ଗାକୁ ଧରି ।

ଧବଳୀ, ଶ୍ୟାମଳୀ, କମଳୀ, ହମ୍ବା ରବକୁ କରି ।୧୩୫।

କଳ୍ପନା, କାମ ବାଞ୍ଛା ସିନା ଏ ଗୋରୁ ଗାଈ ବତ୍ସା ।

ୟାଙ୍କୁ କୃଷ୍ଣ ଚରାଉଥାନ୍ତି ହୋଇଣ ମନ ଇଚ୍ଛା ।୧୩୬।

ଷଟ ଅଇରି ଦଇତଙ୍କୁ ବୃନ୍ଦାବନେ ନାଶନ୍ତି ।

ଗୋପାଳ ବାଳକ ଧରିଣ ବନଭୋଜି କରନ୍ତି ।୧୩୭।

ପଞ୍ଚସଖା ବ୍ୟାନ, ଉଦାନ, ପ୍ୟାନ, ପ୍ରାଣ, ସମାନ ।

ପଞ୍ଚସଖା ମଧ୍ୟେ ବିଜୟ ଦେବ ଜୀବ-ଜୀବନ ।୧୩୮।

ସପ୍ତବାରେ ଅଷ୍ଟ କୁଞ୍ଜରେ ଖେଳନ୍ତି ଗିରିଧାରୀ ।

ପ୍ରତ୍ୟେକ କୁଞ୍ଜରେ ବିଜୟ ରାଧା କୃଷ୍ଣଙ୍କୁ ଧରି ।୧୩୯।

ଏହି ସୂତ୍ରେ ଭଜ ଭକତେ ଲୟାଙ୍ଗ ସ୍ଥିର କରି ।

ପ୍ରେମମୟ ପ୍ରତିମା ଦେଖ ନେତ୍ର ଭ୍ରୁ ଭଙ୍ଗୀ କରି ।୧୪୦।

ଅଭିରାମ ବାଇ କହି ଭକ୍ତପ୍ରିୟ ମାଧବ ।

ଭକତ ମନକୁ କେବଳ ଏହି ଭାବ ବୋଧିବ ।୧୪୧।

ସଭାକୁ ଅନାଇ କୋଇଲି ଏହିପରି କହିଲା ।

ଭକତମାନଙ୍କୁ ଅମୃତ ଆଣି ରଖଇ ଦେଲା ।୧୪୨।

ଭକତମାନେ ମୋହିନୀ-ରୂପ ଦେଖି ଭୁଲିଲେ ।

ଭକତ ସମୂହ ଅମୃତ ଖଣ୍ତ ଭୁଞ୍ଜିଣ ଦେଲେ ।୧୪୩।

ଅମୃତକୁ ଯେଣୁ ଭୁଞ୍ଜିଲେ ମୃତ୍ୟୁ ଜୟ କରିଲେ ।

ଏହି ମୋହ ମାୟା ସଂସାର ସ୍ଵପ୍ନ ପରି ମଣିଲେ ।୧୪୪।

ସ୍ଵପ୍ନରେ ଜାଗ୍ରତ ହୋଇଣ ଭୁଞ୍ଜିଗଲେ ଅମୃତ ।

ଦୁଇ ଅୟୁତ ଷୋଳ ଶତ ଥର କରନ୍ତି ନୃତ୍ୟ ।୧୪୫।

ଦର୍ଶନ ଇନ୍ଦ୍ରିୟ ତାହାଙ୍କୁ ଦେଖିବାକୁ ଲାଗିଲା ।

ଶିଖୀଚଳରେ ଆଖି ଯାଇ ସିନା ଲାଖି ରହିଲା ।୧୪୬।

କହିବା ଶୁଣିବା ପର୍ଯ୍ୟନ୍ତ ତାର ଶାନ୍ତି ନ ଥାଇ ।

ଦେଖିବା ଯେଣୁ ସତ ହେଲା ଅମୃତ ଗଲା ଖାଇ ।୧୪୭।

କାକର ବସାରୁ କୋଇଲି ଆଚ୍ଛା ଉଡି ଆସିଲା ।

କୋଲପରେ କଞ୍ଚି ଭରିଣ ହାର ଖୋଲିଣ ଦେଲା ।୧୪୮।

ଦ୍ଵାର ଖୋଲିବାରୁ ଦେବତା ଦେଖେ ଗୃହ ଭିତରେ ।

କୋଇଲି ଭିତରେ ଚଳିଲେ ନିଶ୍ଚେ ଦେଖିବ ଥରେ ।୧୪୯।

ଅଭିରାମ ବାଇ କହଇ ଧନ୍ୟ କୋଇଲି ସେହି ।

ଯେତେ କହଇ ସବୁ ଶିକ୍ଷା ସଂସାର ହିତ ପାଇଁ ।୧୫୦।

ସଭାକୁ ଅନାଇ କୋଇଲି ଏହିପରି କହିଲା ।

ଆସ୍ତିକ ନାସ୍ତିକ ଉଭୟେ ଶିକ୍ଷା ଦତ୍ତ କରିଲା ।୧୫୧।

ଶୁଣ ସକଳ ହରିଦାସ ଯାହା ମୁହିଁ କହୁଛି ।

କୋଟି କୋଟି ବୃକ୍ଷ ସଂସାରେ ଦେଖ ରହିଣ ଅଛି ।୧୫୨।

କେଉଁ ବୃକ୍ଷରେ ଦେବଗଣ ରହି କେଳି କରନ୍ତି ।

କେ ବୃକ୍ଷରେ ଦଇତମାନେ ଦେଖ ବସି ଅଛନ୍ତି ।୧୫୩।

ଯେ ବୃକ୍ଷରେ ଥା’ନ୍ତି ଦେବତା ତହିଁ ଥାଏ ଅମୃତ ।

ଯେ ବୃକ୍ଷରେ ଥା’ନ୍ତି ରାକ୍ଷସ ସେ ବୃକ୍ଷେ ନାହିଁ ଶାନ୍ତ ।୧୫୪।

ଯେ ବୃକ୍ଷରେ ଥା’ନ୍ତି ଦେବତା ତୁଳସୀ ବୃକ୍ଷ ସେହି ।

ଯେ ବୃକ୍ଷର ଥା’ନ୍ତି ଦଇତ ବିଛୁଆତି ବୋଲାଇ ।୧୫୫।

ହିଂସା ଅସତ୍ୟ ଯେଉଁ ବୃକ୍ଷ ସେହି ରାକ୍ଷାସ- ବାସ ।

ସାତୁକ୍ୟ ଯେବଣ ବୃକ୍ଷରେ ରହିଥାନ୍ତି ଲକ୍ଷ୍ମୀଶ ।୧୫୬।

ଦଇତମାନଙ୍କୁ ସଂହାର କର ନିଦାନ କରି ।

ଏହାଙ୍କୁ ବିଧ୍ଵଂସନ କର ଧନୁର୍ବାଣକୁ ଧରି ।୧୫୭।

କାଳିନ୍ଦୀରୁ କାଳୀ ନ ଗଲେ ଜଳ ନୁହେଁ ଅମୃତ ।

କହଇ ଅଭିରାମ ବାଇ ବୃକ୍ଷ ମୂଳଟି ସତ୍ୟ ।୧୫୮।

ଶୁଣ ସକଳ ହରିଦାସ ବୃକ୍ଷ ଏହି ଶରୀର ।

କାମ୍ୟାଦି ରିପୁ ଥିବାଯାଏ ସେହି ରାକ୍ଷାସ ଘର ।୧୫୯।

ଯେବଣ ବୃକ୍ଷରେ ରାକ୍ଷାସମାନେ ଥାଆନ୍ତି ରହି ।

ଦିବ୍ୟଜ୍ଞାନଶୂନ୍ୟ ହେବାରୁ ପଶୁ ବୋଲାଏ ସେହି ।୧୬୦।

ମନୁଷ୍ୟ ଶରୀର କେବଳ ପଶୁର ବ୍ୟବହାର ।

ଏଣୁ ମୁହିଁ କହି ଯାଉଛି ମନୁଷ୍ୟ କର୍ମ କର ।୧୬୧।

ମର୍ଜାର, ମୁଷିକ, ଶୂକର, ଶ୍ଵାନ, ହସ୍ତୀ ଯେ ଓଟ ।

ନର, ରାକ୍ଷାସ, ପ୍ରେତ ଆଦି ଅନେକ ଅଛି ଘଟ ।୧୬୨।

ବ୍ୟାଘ୍ର, ଭାଲୁ, ବାନର ଆଦି ଦେଖ ମନୁଷ୍ୟ ଦେହୀ ।

ମନୁଷ୍ୟ ଶରୀର କେବଳ କର୍ମ ପଶୁରେ ଥାଇ ।୧୬୩।

ଏଣୁ ପଶୁ କର୍ମ ନକରି କର ମନୁଷ୍ୟ କର୍ମ ।

ମନୁଷ୍ୟ କର୍ମ ଯେ କରଇ ସେ ଲଭେ ପୃଷୋତ୍ତମ ।୧୬୪।

ମନୁଷ୍ୟର କର୍ମ ଯାହାକି ତାହା କହୁଛି ମୁହିଁ ।

ଈଶ୍ଵର ଆସ୍ତିକ ଭାବରେ ବିଶ୍ଵାସ ଥାଉ ରହି ।୧୬୫।

ପ୍ରଭୁ ପ୍ରୀତ୍ୟର୍ଥେ କର୍ମ କର, ଆମ୍ଭେ ନିମିତ୍ତ ମାତ୍ର ।

କର୍ମ କରୁଥିବା ଫଳକୁ ଭୁଞ୍ଜୁଥାନ୍ତୁ ଅଚ୍ୟୁତ ।୧୬୬।

ଦୁଃଖ ନାହିଁ କି ସୁଖ ନାହିଁ, ଆନନ୍ଦ ସବୁବେଳେ ।

ପ୍ରକୃତି ବଶବର୍ତ୍ତୀ ହେଲେ ପଡେ କିରାତ ଜାଲେ ।୧୬୭।

ନିଜପାଇଁ ଯେ କର୍ମ କରେ ସେହି ବୋଲାଏ କାମୀ ।

କୃଷ୍ଣ ପ୍ରୀତ୍ୟର୍ଥେ ଯାର କର୍ମ ତାକୁ ବୋଲାନ୍ତି ପ୍ରେମୀ ।୧୬୮।

ପ୍ରେମୀକି ନିକଟ, କାମୀକି ପ୍ରଭୁ ବହୁତ ଦୂର ।

କହଇ ଅଭିରାମ ବାଇ ବାଛି ସଂସାର ସାର ।୧୬୯।

ଜ୍ଞାନେନ୍ଦ୍ରିୟ, କର୍ମେନ୍ଦ୍ରିୟ ଯେ ମନ ବୁଦ୍ଧି ଅହଂକାର ।

ଜୀବ ୟାଙ୍କୁ ଧରି ସେବିବ ସିନା ପରମେଶ୍ଵର ।୧୭୦।

ଦଶ ଇନ୍ଦ୍ରିୟ ପରେ ଶ୍ରେଷ୍ଠ ଦେଖ ହୋଇଛି ମନ ।

ମନ ଚଳିବାରୁ ଇନ୍ଦ୍ରିୟ କରୁଥାନ୍ତି ଗମନ ।୧୭୧।

ମନ ଯଦି ସ୍ଥିର ହୋଇବ ଇନ୍ଦ୍ର ଚଳିବେ କାହିଁ ।

ମନ ସାତୁକ୍ୟକୁ ଆସିଲେ ସଂସାରେ ଭୟ ନାହିଁ ।୧୭୨।

ମନକୁ ନ ଚିହ୍ନି ବନରେ ପଶିଲେ କିସ କାର୍ଯ୍ୟ ।

ମନ ଯହିଁ ଗତି କରଇ ସେହି କମିଟି ବୁଝ ।୧୭୩।

ଏହି ବୃକ୍ଷରେ ମନ ଗୋଟି ଦେଖ ରାଜା ହୋଇଛି ।

ମନ ଯହିଁ ଗତି କରଇ, ଜୀବ ତହିଁ ଗମୁଛି ।୧୭୪।

ମନ ପଛରେ ଥାଏ ଜୀବ, ମନ ନ ଜାଣି ପାରେ ।

ଏଣୁ ମନକୁ ସ୍ଥିର କର, ବିଜ୍ଞାନ ଅଙ୍କୁଶରେ ।୧୭୫।

ଜୀବର ଆୟତ୍ତରେ ମନ ଯଦି ରହି ପାରଇ ।

ତେବେ ଚିର ଶାନ୍ତି ଲଭିବ ଏଥି ସନ୍ଦେହ ନାହିଁ ।୧୭୬।

ବେନି ନତ୍ରେ, ମଧ୍ୟ ଭ୍ରୁଲତା ପରେ ଯେ ରଖେ ମନ ।

ସେହି ଚିର ଶାନ୍ତି ଲଭଇ ଏହି ନିଷ୍ଠା ବଚନ ।୧୭୭।

ବିବେକ ହଂସକୁ ଧରିଣ ବାଛ ନୀର କ୍ଷୀରକୁ ।

ମନୁଆଁ ବାଇକି କେବଳ ଦିଅ କ୍ଷୀରଭାଣ୍ତକୁ ।୧୭୮।

ଅଫୁଟା ପଦ୍ମକୁ ଦେଖିଣ ଉଡେ ମନ ଭ୍ରମର ।

ପଦ୍ମ ପୁଷ୍ପ ଯଦି ଫୁଟଇ ତହିଁ ହୁଅଇ ସ୍ଥିର ।୧୭୯।

ଜଳ, ବାୟୁ ଏକ ହୋଇଲେ ପାଦପଦ୍ମ ଫୁଟିବ ।

କହି ଅଭିରାମ ବାଇ ତେବେ ପଣ୍ତିତ ହେବ ।୧୮୦।

ଏହି ପାଠ ସେହି ପଢଇ ସେହି ସାଧୁ ପଣ୍ତିତ ।

ସେହି ମାତ୍ର ଜାଣି ପାରଇ କୋଇଲି ଶିକ୍ଷା ଅର୍ଥ ।୧୮୧।

ସାଧ୍ୟ ନ କଲେ ସିଦ୍ଧ ବସ୍ତୁ କେବେ ମିଳିବ ନାହିଁ ।

କୁହା ବୋଲା ଚାତୁର୍ଯ୍ୟ ପଣେ ତାଙ୍କୁ ଦେଖିବା କାହିଁ ।୧୮୨।

ଏ ସୂତ୍ର ନ ବୁଝି ପଣ୍ତିତ ପଣେ ଯେ ବାଦ କରି ।

ହସ୍ତୀ କପିତ୍ୱକୁ ଭୁଞ୍ଜିଲେ ସେ ଫଳ ଯେଉଁପରି ।୧୮୩।

ବାହାରେ ସୂନ୍ଦର ଭିତରେ ତାର କିଛି ନ ଥାଇ ।

କହିବା ବୋଲିବା ଚାତୁରୀ କପି ଲକ୍ଷ୍ୟ ସେହି ।୧୮୪।

ଏଣୁ ମୁହିଁ କହି ଯାଉଛି କର୍ମେ ବିରକ୍ତ ନୁହ ।

ବାରକୁ ବାର ବୁଡି ମାରି ଦେଖ ଭକତ ପ୍ରିୟ ।୧୮୫।

ତୁମ୍ଭେ କହିପାର ଗୁରୁଙ୍କ ବିନା କେ କହିପାରେ ।

ସଭାରେ କହୁଛି ଏହାକୁ କିଏ ବିଶ୍ଵାସ କରେ ।୧୮୬।

ତାହାର ଅର୍ଥ ମୁଁ କହୁଛି ତେବେ ଶ୍ରବଣ କର ।

ଗୁରୁ ଯାହା ମାତ୍ର କହିବେ ସବୁ ଏଥି ଭିତର ।୧୮୭।

ପ୍ରାଣୀ ଜଞ୍ଜାଳରେ ଥିବାରୁ ଏକାନ୍ତରେ କହନ୍ତି ।

ବିବେକବନ୍ତ ପ୍ରାଣିମାନେ ସଭା ମଧ୍ୟେ ବୁଝନ୍ତି ।୧୮୮।

ମୁହିଁ ଗୁରୁ ବୋଲି ବିଶ୍ଵାସ ତୁମ୍ଭେ ନ କର କେହି ।

ଗୁରୁ ନାରାୟଣ ବୋଲନ୍ତି, ନିମିତ୍ତ ମାତ୍ର ମୁହିଁ ।୧୮୯।

ପ୍ରଭୁ ଯାହା କହି ଅଛନ୍ତି ତାହା କହୁଛି ମାତ୍ର ।

କହଇ ଅଭିରାମ ବାଇ ବୁଝ ସାଧୁ ପଣ୍ତିତ ।୧୯୦।

ସଭାକୁ ଅନାଇ କୋଇଲି କହିଲା ଏହିପରି ।

ସନ୍ଦିଗ୍‌ଧ ମନକୁ ନକରି ଆନନ୍ଦେ ଭଜ ହରି ।୧୯୧।

ବିଦ୍ୟାବନ୍ତ ଯେହି ହୋଇବ ସେହି ଭକତ ହେବ ।

ବିଦ୍ୟା ନ ପଢିଲେ ଅଭକ୍ତ ବୋଲିଣ ନ କହିବ ।୧୯୨।

ଭକତିର ବିଦ୍ୟା ଗୋଟିକ ପଢାପଢିରେ ନାହିଁ ।

ପ୍ରେମଭାବକୁ ବିଦ୍ୟା ପଢା ବହୁତ ଦୂରେ ଥାଇ ।୧୯୩।

ବିଦ୍ୟା ପଢି ଯେ ଗର୍ବ କରେ ଭକ୍ତିକି ସେହି କଣ୍ଟା ।

ସରୁଆ କଥାକୁ ନ ଜାଣି ସର୍ବଦା ମନ ମୋଟା ।୧୯୪।

ଏଣୁ ମୁହିଁ କହି ଯାଉଛି, ହେ ବିଦ୍ୟବନ୍ତ ଜନ ।

ପାଠ ନ ପଢିବା ପ୍ରାଣିଙ୍କି ନ କର ହେୟ ଜ୍ଞାନ ।୧୯୫।

କୋମଳ ବିନୟ ବଚନ କହି ପ୍ରାଣିଙ୍କି ତୋଷ ।

ସକଳ ଘଟରେ ପୁରିଣ ଛନ୍ତି ଲକ୍ଷ୍ମୀ ବିଳାସ ।୧୯୬।

ବିଦ୍ୟା, ଅବିଦ୍ୟା, ଭଲ, ମନ୍ଦ ସର୍ଜନା ବିଭୁଙ୍କର ।

ଈଶ୍ଵରଙ୍କୁ ଖେଳ ସମସ୍ତ ଏଣୁ ନିନ୍ଦା ନକର ।୧୯୭।

ଯେହିପରି ତାଙ୍କ ଆନନ୍ଦ ସଂସାର ସେହିପରି ।

ଯୁଗକୁ ଯୁଗ ଏହି ମତେ ଖେଳ କରନ୍ତି ହରି ।୧୯୮।

ଏଣୁ ଈଶ୍ଵରଙ୍କୁ ସୃଷ୍ଟିକି ଭଲ କରିଣ ବୁଝ ।

ଜୀବନ ପ୍ରଭୁଙ୍କ ପାଦକୁ ଯିବାକୁ ହେଉ ସଜ ।୧୯୯।

ଅଭିରାମ ବାଇ କହଇ ସଂସାରେ ସାର ବାଛି ।

ଦୃଷ୍ଟିର ଅଗ୍ରରେ କାଳିଆ ଆସି ଖେଳ କରୁଛି ।୨୦୦।

ଆଦ୍ୟରୁ ଯେଡେ ଏବେ ତେଡେ, ସାନ ବଡ ନୁହଇ ।

ଭକତ ଭାବରେ ଅଣୁଏ ବିଶ୍ଵମୂର୍ତ୍ତି ହୁଅଇ ।୨୦୧।

କାମ, କଳ୍ପନାରୁ ଅଲଗା ହୋଇ ଅଛନ୍ତି ହରି ।

ପ୍ରେମ ଭକତିକୁ ଲାଗିଣ ଛନ୍ତି ନରକେଶରୀ ।୨୦୨।

ପ୍ରେମମୟୀ ଚିତ୍ତ ଯାହାର ବାହ୍ୟାନ୍ତରେ ଦେଖଇ ।

ପ୍ରେମ-ଭକ୍ତି-ପ୍ରିୟ ମାଧବ ଅଥି ସନ୍ଦେହ ନାହିଁ ।୨୦୩।

ଚତୁର୍ଥ ଘରେ ପ୍ରେମ ଭିକ୍ଷା କର ତ୍ୟାଗୀ ସୂତ୍ରରେ ।

ମହାଜନମାନେ ଯାଇଣ ଛନ୍ତି ଯେଉଁ ସୂତ୍ରରେ ।୨୦୪।

ତର୍କଶୂନ୍ୟ ଜ୍ଞାନୀ ସଂସାର ସ୍ଵପ୍ନପରି ମଣଇ ।

ଚାରି ଘରେ ପ୍ରେମାନନ୍ଦଙ୍କୁ ସ୍ଥାନ ଦେଇଣଥାଇ ।୨୦୫।

ଦୂତିକା ଭାବରେ ହଂସକୁ ମିଳନ କରୁଥାଇ ।

ଧୀର ସମାରରେ ଯମୁନା ତୀରେ ବସି ରହଇ ।୨୦୭।

ଯମୁନା ତୀରେ ଏକ ତରୁ କେଳି-କଦମ୍ଵ ବୋଲି ।

ସେହି ସ୍ଥାନକୁ ଲକ୍ଷ୍ୟ କଲେ ଦେଖିବ, ମୁଁ କହିଲି ।୨୦୭।

ଶିଖୀ ଚୂଳରେ ଆଖି ଯାଇ ଯଦି ରହିବ ଲାଖି ।

ଫେରାଇଲେ ତ ନ ଫେରିବ କାଳିଆ ନେବ ଝିଙ୍କି ।୨୦୮।

ସତ୍ୟରେ ରହିଛି ଯମୁନା କଦମ୍ଵମୂଳ ଯହିଁ ।

ନାମଟି ତାହାର ଭ୍ରୂସ୍ଥାନ ଏଥି ସନ୍ଦେହ ।୨୦୯।

ଅଭିରାମ ବାଇ କହଇ ଯମୁନା କୂଳେ ଘର ।

କାଳିଆସୁନାକୁ ଦେଖିବା ପାଇଁ କଲି ତିଆର ।୨୧୦।

କାଳିଆସୁନାକୁ ମଥାରେ କରିଲି ମଥାମଣି !

କର୍ଣ୍ଣରେ କୁଣ୍ତଳ କରିଲି କାଳିଆ ନାମ ଆଣି ।୨୧୧।

କାଳିଆସୁନାକୁ ନେତ୍ରରେ କରିଅଛି ପିତୁଳୀ ।

ତେଣୁ ଯମୁନା ଯିବାକୁ ହେଉଥାଇ ବାତୁଳି ।୨୧୨।

କାଳିଆସୁନାକୁ ନାସାରେ କରିଅଛି ମୁକୁତା ।

କାଳିଆସୁନାକୁ କିହ୍ଵାରେ କଲି ରସ ଭୋକତା ।୨୧୩।

କାଳିଆସୁନାଟି ଚନ୍ଦନ ମୋର ହୃଦ ତଟର ।୨୧୪।

କନ୍ଧରେ ପବିତ୍ର ମୋହର ଏକା କାଳିଆ ନାମ ।

କାଳିଆସୁନାକୁ କରରେ କରିଆଛି କଙ୍କଣ ।୨୧୫।

କେତେ ଅବା ମୁହିଁ କହିବି ସର୍ବାଙ୍ଗ ମୋ ଭୁଷଣ ।

କାଳିଆସୁନା ଛଡ଼ା ମୁହିଁ କିଛି ନ ଜାଣେ ଆନ ।୨୧୬।

ଏଣୁ ମୁହିଁ ଯହିଁ ଚାହିଁଇ କାଳିଆ ତହିଁ ଥାଇ ।

ହିଂସା, ମିଥ୍ୟା, ଅହଙ୍କାରାଦ କେଣେ ଗଲେ ପଳାଇ ।୨୧୭।

କାଳିଆ ନାମକୁ ଭୁଷଣ କଲାରୁ ହେଲା ଏହା ।

ଶୁଣ ସକଳ ପ୍ରଭୁଦାସ କୋଇଲି କହେ ଯାହା ।୨୧୮।

 

ଅନାସକ୍ତ ଭାବରେ କର୍ମ କର କାଳିଆ ପାଇଁ ।

ତେବେ ଚିର ଶାନ୍ତ ଲିଭିବ ଏଥି ସନ୍ଦେହ ନାହିଁ ।୨୧୯।

ଅଭିରାମ ବାଇ କତହଇ ମନେ ପଡ଼ୁଛି ମୋର ।

କଦମ୍ଵ ମୂଳକୁ ଚାହିଁଲେ ମିଛ ମାୟା ସଂସାର ।୨୨୦।

କଦମ୍ଵ-ମୂଳିଆ-କୃଷ୍ଣ ହେ! କେକୀପୁଚ୍ଛ ମଣ୍ତନ !

କଦମ୍ଵ ମୂଳରେ ରହିଣ କର ବଂଶୀ ବାଦନ ।୨୨୧।

ନାମ ଧରି ମୋତେ ଡାକୁଛି ମୋତେ ନ ଶୁଭୁଥାଇ ।

ଦ୍ଵାଦଶ ଶବଦ ଭିଡ଼ିଲେ ନିତ୍ୟ ଛନ୍ନ ହୁଅଇ ।୨୨୨।

ଦ୍ଵାଦଶ ଶବଦ ଭେଦିଲେ ସିନା ମୂରଲୀ ସ୍ଵନ ।

ଅଣ୍ଟ କରି ବଂଶୀ ବଜାଅ, ଆହେ ଜୀବ-ଜୀବନ! ।୨୨୩।

ତୁମ୍ଭେ ମୋର, ମୁହିଁ ତୁମ୍ଭର, ୟା ପରେ କଥା ନାହିଁ ।

ଯେ ଯାହା କହୁ ଏ ବିହିତ, ତୋ ବିନା କିଛି ନାହିଁ ।୨୨୪।

ତୁମ୍ଭେ ମୋର ନାମ ଧରିଲେ, ମୁଁ ଧରେ ତୁମ୍ଭ ନାମ ।

କେତେ ହଅଁ ହଅଁ କହିବି ଆହେ ପୁରୁଷୋତ୍ତମ ।୨୨୫।

ଦୁଇ ଅୟୁତ ଷୋଳ ଶତ ହଅଁ ହଅଁ କରଇ ।

ଷାଠିଏ ଦଣ୍ତରେ ଭଜନ ମୋର ଏତିକି ହୋଇ ।୨୨୬।

ତୁମ୍ଭେ ସ’ ସ’ ବୋଲି ଡାକିଲେ ମୂଁ କହେ ହଅଁ ହଅଁ ।

ତୁମ୍ଭେ ରାଆ ବୋଲି ଡ଼ାକିଲେ ମୁଁ କହେ ମଅଁ ମଅଁ ।୨୨୭।

ବୁଝିଲେ ରାଆ ମୁଁ ନୁହଇ, ମଅଁ ନ ପାରେ ହୋଇ ।

‘ରାମ’କୁ ମିଳନ କରିବା ପାଇଁ ମୁଁ ଦୂତୀ ହୋଇ ।୨୨୮।

ମୋତେ ନ ଲୋଡ଼ି ବୁଢ଼ା ବୁଢ଼ୀ ଯଦି ଏକ ହୋଇବ ।

ଦୁତୀ ସହଚରୀ କେବଳ ସମୁଦ୍ରରେ ଭାଷିବ ।୨୨୯।

ଅଭିରାମ ମନେ ଥାଉ ବାନ ଥାଉହେ ମାଧବ ।

ତୁମ୍ଭେ ମନରେ ରହିଥାଅ ଦୂତୀ ମିଳାଉଥିବ ।୨୩୦।

ଭକତ ଗୋଷ୍ଠୀରେ ହରିଙ୍କି କୋଇଲି କଲା ସ୍ତୁତି ।

ତେଣୁ ସ୍ତୁତିରେ ନାରାୟଣ ସୁପ୍ରସନ୍ନ ହୁଅନ୍ତି ।୨୩୧।

ଅନାସକ୍ତ ଭାବ ନୋହିଵେ ନୁହେ ନିର୍ମଳ ଭକ୍ତି ।

ଯେଣୁ କୋଇଲିକ ଶ୍ରୀହରି ପ୍ରସନ୍ନ ହୋଇଥାନ୍ତା ।୨୩୨।

କୋଇଲିକ ଭକ୍ତ ଗୋଷ୍ଠୀରେ କେହି କରେ ପ୍ରଶନ ।

ଆପଣ କିପାଇଁ ଏ ସ୍ଥାନେ କରିଲ ଆଗମନ? ।୨୩୩।

କେଉଁ ଧର୍ମେ ତୁମ୍ଭେ ଦୀକ୍ଷିତ, ଆମ୍ଭେ ନ ଜାଣିପାରୁ ।

ସନ୍ଦିଗ୍‌ଧମନା ହୋଇଥିବାରୁ ତେଣୁ ଆମ୍ଭେ ପଚାରୁ ।୨୩୪।

କୋଇଲି ଆନନ୍ଦ ମନରେ କହେ ଧର୍ମ ବିଚାର ।

ଯାହା ପୁଚ୍ଛା କଲ କହୁଛି ଭକ୍ତ ଗୋଷ୍ଠୀ ମଧ୍ୟର ।୨୩୫।

ସକଳ ଦେହେ ଏକ ଧର୍ମ ଦେଖ ପୁରି ଅଛଇ ।

ନାମଟି ତାହାର ପରମ ତା ଛଡ଼ା କିଛି ନାହିଁ ।୨୩୬।

ଯାହାକୁ ଧାରଣ କରିବା ତାକୁ କହନ୍ତି ଧର୍ମ ।

ତାହାକୁ ଧାରଣ ନ କରି ପ୍ରାଣୀ ହୁଅନ୍ତି ଭ୍ରମ ।୨୩୭।

ପରମେଶ୍ଵରଙ୍କୁ ନ ଧରି ପ୍ରାଣୀ ହୁଏ ଅସତୀ ।

ତେଣୁ ପତିବ୍ରତା ନୁହଇ ବହୁତ ଧର୍ମେ ସାଥି ।୨୩୮।

ପତିବ୍ରତା ଜାର ପୁରୁଷ ସଙ୍ଗ କଲେ ଯେପରି ।

ଜୀବ ସ୍ଵଧର୍ମକୁ ଧରି ପର ଧର୍ମେ ଦୋଚାରୀ ।୨୩୯।

ସନାତନ ଧର୍ମେ ଦୀକ୍ଷିତ ମୁହିଁ ହୋଇଣ ଅଛି ।

ତେଣୁ ପରମ ଧର୍ମ ମୋର ସାର ଏହି ହୋଇଛି ।୨୪୦।

ପରମ ଈଶ୍ଵରଙ୍କ ଛଡ଼ା ଅନ୍ୟ କିଛି ନ ଜାଣେ ।

ଯେଣିକି ଚାହୁଁଛ ପରମବ୍ରହ୍ମ ଅଛନ୍ତି ତେଣେ ।୨୪୧।

ସକଳ ଦେହରେ ଈଶ୍ଵର ଯେଣୁ ଅଛନ୍ତି ପୁରି ।

ହିଂସା, ଅହଙ୍କାର, ଅସତ୍ୟ ମୋତେ ନ ପାରେ ଧରି ।୨୪୨।

ଯାହାକୁ ହିଂସା ମୁଁ କରନ୍ତି ତହିଁ ସ୍ଵାମୀ ଅଛନ୍ତି ।

ଏହି ଧର୍ମକୁ ମୁଁ ଧରିଣ ଲାଭ ଅଛଇ ଶାନ୍ତି ।୨୪୩।

ଦଶ ପଚିଶ ଅନ୍ଧ ମିଳି ହସ୍ତୀ ଦର୍ଶନେ ଗଲେ ।

ହସ୍ତିର ପ୍ରତ୍ୟଙ୍ଗକୁ ଜଣେ ଜଣେ ଯାଇ ଧରିଲେ ।୨୪୪।

କେହି ବା ଦନ୍ତକୁ ଧରଇ, କେହି ଧରଇ କର୍ଣ୍ଣ ।

କେ ଅବା ଥୋଡ଼କୁ ଧରଇ କେହି ଧରେ ଚରଣ ।୨୪୫।

ନେତ୍ର ଥିଲେ ସିନା ଦେଖନ୍ତେ ହସ୍ତେ ଅଣ୍ତାଳି ଗଲେ ।

ଯିଏ ଯେଉଁ ସ୍ଥାନ ଧରିଛି ହସ୍ତୀ ସେହି ଜାଣିଲେ ।୨୪୬।

ଏକକୁ ଆରେକ ପୁଚ୍ଛନ୍ତି ହସ୍ତୀ କିପରି ବୋଲି ।

କେ କହଇ ମୁହିଁ ହସ୍ତିକି କୁଲା ପ୍ରାୟେ ମିଣିଲି ।୨୪୭।

ହସ୍ତୀ ପାଦ ଯେ ଧରିଥିଲା କହେ ଖମ୍ବ ପରାୟେ ।

କୁଚ୍ଛେ ଯେ ଧରିଲା ସେ କହେ ବର ଓହଳ ପ୍ରାୟେ ।୨୪୮।

ଯେ ଯାହା କହିଲେ ସେ କଥା ଅପ୍ରମଣ ନୁହଇ ।

ସେହି ପରାୟେ ମତଭେଦ ସଂସାରେ ହୋଇଛଇଁ ।୨୪୯।

ନେତ୍ର ଯାହାର ରହିଥାଏ ଦେଖେ ସମ୍ପୂର୍ଣ୍ଣ କରି ।

ତାର ମତରେ ବହୁ ଧର୍ମ କେବେ ହୋଇ ନ ପାରି ।୨୫୦।

ଏଣୁ ମୁଁ କହୁଛି ବହୁତ ଧର୍ମକୁ ମନୁ ତେଜ ।

କାୟ, ମନ, ବାକ୍ୟେ ଏକଇ ନାରାୟଣଙ୍କୁ ଭଜ ।୨୫୧।

ବେଦ ଶାସ୍ତ୍ର ଅର୍ଥ ନୋହିବ ଲୋଡ଼ା, ଏ ମାତ୍ର ସତ୍ୟ ।

ସାର ତତ୍ତ୍ଵକୁ ଉପାସନା କର ହରି ଭକତ ।୨୫୨।

ଅନନ୍ତ ଶାସ୍ତ୍ର ଯେ ଅନନ୍ତ ବିଦ୍ୟା ସଂସାରେ ଥାଇ ।

ବିଦ୍ୟା ଶାସ୍ତ୍ରକୁ ପଢୁ ପଢୁ ବେଳ ପାଏ କି କି ହିଁ ? ।୨୫୩।

ନୀରରୁ କ୍ଷୀରକୁ ଯେପରି ହଂସ ପକାଏ ବାଛି ।

ସେହି ପରାୟେ କ୍ଷୀର ବାଛ ନୀରରେ ନାହିଁ କିଛି ।୨୫୪।

ବେଦ ନାରାୟଣ ପୁରାଣ ଭାରତ ଆଦି ଦେଖ ।

ଯହିଁରେ ଦେଖିବ ତହିଁରେ ଦେଖ ପୁଣ୍ତରୀକାକ୍ଷ ।୨୫୫।

ଅଣୁ ତାହାଙ୍କୁ ମନ ଦେଇ ତାହାଙ୍କୁ ମୁଁ ପୁଜଇ ।

ତାଙ୍କରି ଭକତ ହୋଇଣ ନମସ୍କାର କରଇ ।୨୫୬।

ଏହି ମୋର ଗୁପ୍ତ ଭଜନ ଅନ୍ୟ ନ ଦିଶେ କିଛି ।

ତା ବିନା ଗତି ନାହିଁ ସୃଷ୍ଟିଯାକ ଖୋଜିଛି ।୨୫୭।

ଏଭିରାମ ବାଇ କହଇ ମର୍ତ୍ତ୍ୟରେ ମୋର ବାସ ।

ସ୍ଵର୍ଗ ସମ୍ପଦେ ଇଚ୍ଛା ନାହିଁ ତାଙ୍କର ଦାସ ।୨୫୮।

ସେ ଯହିଁରେ ରଖି ଅଛନ୍ତି ମୁହିଁ ରହିଛି ତହିଁ ।

କର୍ମଫଳକୁ ଭୁଞ୍ଜୁଥାନ୍ତି ଅଭିରାମ କହଇ ।୨୫୯।

ଶୁଣ ସକଳ ହରି-ଦାସ ଯାହା କହିଲି ମୁହିଁ ।

ହିଂସାଭାବ ଏ ଶରୀରରେ ପଶି ସର୍ବ ନାଶଇ ।୨୬୦।

ଅହଂକାରୀ ମାୟା ଜାଲରେ ପଡି ପାଏ କଷଣ ।

ନିରହଂକାରୀ ଯେ ବୋଲାଇ ସେହି ଭକତ ଜାଣ ।୨୬୧।

ଅହଂକାର ଗୁରୁ ପଦାର୍ଥ ତାକୁ ଧରନ୍ତି ହରି ।

ସାମାନ୍ୟ ମନୁଷ୍ୟ ତାହାକୁ କେହି ଧରି ନ ପାରି ।୨୬୨।

ଅହଙ୍କାର ଯଦି ପ୍ରଭୁଙ୍କ ପାଦେ ଶରଣାପନ୍ନ ।

ତେବେ ଆଉ କିପାଁ ଲାଗିବ ସଂସାରର ବନ୍ଧନ ।୨୫୩।

କାୟା ଥିଲେ ସାୟା ରହିଛି ନିଶ୍ଚେ ଅହଂ କହିବି ।

ଅହଂଦାସ ବୋଲି କହିଲେ ଆଉ ଭୟ ନ ଥିବ ।୨୬୪।

ଯେଉଁ କର୍ମ କଲେ-ପତି ହ୍ୱନ୍ତି ପ୍ରସନ୍ନ ।

ସେହି କର୍ମକୁ କରିବାକୁ ନିତ୍ୟ ବଳାଅ ମନ ।୨୬୫।

ପ୍ରଭୁ କାର୍ଯ୍ୟ ହେଳା ନ କର, ମନ! କହୁଛି ମୁହିଁ ।

ଭବିଷ୍ୟତକୁ କଣ ଅଛି ଜାଣୁ ପାରୁ କି ତୁହି ।୨୬୬।

ବୃଦ୍ଧ ହେଲେ ସର୍ବେ ମରନ୍ତି ଯେବେ ଏ ନିଷ୍ଠା ଥାନ୍ତା ।

ତେବେ ପ୍ରଭୁଙ୍କର କାର୍ଯ୍ୟରେ ଅବା ବିଳମ୍ଵ ହ୍ଵନ୍ତା ।୨୬୭।

ଅଭିରାମ ବାଇ କହଇ ଶୁଭକୁ ଶ୍ରୀଘ୍ର କର ।

ଦୃଷ୍ଟିର ଅଗ୍ରରେ ଅଛନ୍ତି ଶ୍ରଦ୍ଧା ଭାବରେ ଧର ।୨୬୮।

ଏହିପରି ଶିକ୍ଷା ଦେଇଣ କୋଇଲି ଉଡ଼ିଗଲା ।

ବିଷ୍ଣୁ ବୃକ୍ଷ କ୍ରୋଟରେ ରହି ନିଜ ରବ କରିଲା ।୨୬୯।

ଆହେ ରମାକାନ୍ତ! ଅନାଥ-ନାଥ ! ଭକତ ବନ୍ଧୁ ।

ବ୍ରହ୍ମା ଶଙ୍କରାଦି ଯାହାଙ୍କ ପାଦପଦ୍ମରେ ବନ୍ଦୁ ।୨୭୦।

କୋଟି କୋଟି ଇନ୍ଦ୍ର ଜଣିଣ ଦିଶେ ପଙ୍କଜ ମୁଖ ।

ସେ ମୁଖ ଦର୍ଶନାର୍ଥେ ପ୍ରାଣୀ ଛାଡ଼ନ୍ତି ସର୍ବ ସୁଖ ।୨୭୧।

ତୁମ୍ଭେ ମୋ ପାଶରେ ରହିଣ ମୋତେ ଭୁଞ୍ଜାଇ ଭୁଞ୍ଜ ।

ମୁହିଁ ଯହିଁରେଥାଏ ତହିଁ ଥାଅ ଗରୁଡ଼ଧ୍ଵଜ ।୨୭୨।

ମୁଁ ଯଦି ସ୍ଵର୍ଗରେ ରହଇ ତହିଁ ଥାଅ ଆପଣ ।

ମୁଁ ନର୍କରେ ଥିଲେ ମୋ ପାଶେ ଥାଅ ରମାରମଣ ।୨୭୩।

ସ୍ନାହାନ ଭୋଜନ ଶୟନ ସର୍ବ କର୍ମରେ ଅଛି ।

ଏଣୁ ସକଳ କର୍ମଫଳ ଆପଣ ଭୁଞ୍ଜୁ ଅଛି ।୨୬୪।

ମୁଁ ଯଦି ବିରଷ ହୁଅଇ ମୋତେ ବିରସ ଦିଅ।

ମୁଁ ଯଦି ହରଷ ମୋତେ ହସାଉ ଥାଅ ।୨୬୫।

ତୁମ୍ଭେ ମୋର ନେତ୍ର-ସମ୍ପତ୍ତି, ତୁମ୍ଭେ ମୋ ଜୀବଧନ ।

ଆଉ ମୋ ରାଜି ନାହିଁ କାହିଁ ,ଆହେ ମଧୁସୁଦନ ।୨୭୬।

ଯେ ଭାବେ ହେ ଯନ୍ତ୍ରୀ !ଚଳାଅ ,ଯନ୍ତ୍ର ଚଳେ ସେପରି ।

ଏହି ମୋର ନିଷ୍ଠା ଭଜନ ଯାହା ଦେଇଛି ହରି ।୨୭୭।

 

 

ଅଭିରାମ ବାଇ କହଇ ତୋ ବିନା ସବୁ ବିଷ ।

ବହୁତ ମାନସ ମୋର କୋଳରେ ବସ ।୨୭୮।

•••

 

ଏକାଦଶ କୋଇଲି–ବିବେକୀ କର୍ମ

 

ଭାବ-ବିନୋଦିଆ ହରି ହେ, ଭକତଙ୍କ ସମ୍ପତ୍ତି ।

ତୁମ୍ଭ ସାୟାକୁ ଜଣିବାକୁ କେହି ଦିଶୁ ନାହାନ୍ତି ।୧।

ଜାଣୁଛନ୍ତି ମିଥ୍ୟା କହିଲେ ନିଶ୍ଟେ ପାପ ହୋଇବ ।

ଜଣି ଶୁଣି ମିଥ୍ୟା କହନ୍ତି ଆହେ କମଳାଧବ! ।୨।

ହିଂସା କଲେ ହରି ମିଳିବା ପାଇଁ ବହୁତ ଦୂର ।

ତଥାପି ହିଂସା କରୁଥାନ୍ତି କେଡେ ସାୟା ତୁମ୍ଭର ।୩।

କଳି କଲେ କାଳିଆ-ସୁନା କେବେ ମିଳନ୍ତି ନାହିଁ ।

ଜାଣି ଶୁଣି କରନ୍ତି ତୁମ୍ଭ ମାୟାରେ ରହି ।୪।

ଏଣୁ ତୁମ୍ଭ ମାୟାକୁ ଜାଣି ଭୁଲୁ ଅଛନ୍ତି ନର ।

ତୁମ୍ଭ କରୁଣା ଯାକୁ ମାୟା ନ ଥାଏ ତାର ।୫।

ଚିର ଶାନ୍ତକି ପାସୋରିଣ ସ୍ଵପ୍ନକୁ ମଣେ ସତ୍ୟ ।

ଧନ୍ୟ ଧନ୍ୟ ତୁମ୍ଭର ମାୟା କିଛି ନ ମିଳେ ଅନ୍ତ ।୬।

ଅହଂକାର ଶୂନ୍ୟ ଯାହାର ସଂସାରେ ଭକ୍ତ ସେହି ।

ଅହଂକାର ଶୂନ୍ୟ ଯାହାର ତା’ର ସାୟା ନ ଥାଇ ।୭।

ମାୟାଧର ବୋଲି ଭକତ ଡାକୁଥାଇ ତୁମ୍ଭଙ୍କୁ ।

ନିମିତ୍ତ ମାତ୍ର ହୋଇଥାଏ ତେଜି କର୍ମଫଳକୁ ।୮।

 

 

ଅଭିରାମ ବାଇ କହଇ ଆହେ ମୋ ପ୍ରାଣନାଥ ।

ମୁହିଁ ତୁମ୍ଭର ଆଜ୍ଞାକାରୀ ତୁମ୍ଭେ ମୋର ସାମନ୍ତ ।୯।

ଶ୍ରୀହରିଙ୍କି ଏହି ପରାୟେ କୋଇଲି କଲା ସ୍ତୁତି ।

ବିଷ୍ଣୁ ବୃକ୍ଷ ତ୍ରୋଟରେ ପଶି ବାନ୍ଧଇ ପାଞ୍ଚ ହସ୍ତା ।୧୦।

ବାମ ଗୁଲଫ ଯେ ଅଧାରେ, ଡାହାଣେ ସ୍ଵାଧିଷ୍ଠାନ ।

ହସ୍ତୀ ବାନ୍ଧବାକୁ କୋଇଲି କଲା ସମ ଆସାନ ।୧୧।

ଅଙ୍ଗୁଷ୍ଠରେ କର୍ଣ୍ଣ ଧରଇ ତର୍ଜ୍ଜୁନୀରେ ନୟନ ।

ମଧ୍ୟମ ଅଙ୍ଗୁଳି ଦ୍ଵୟରେ ନାସା କଲା ବନ୍ଧନ ।୧୨।

ଅନାମିକା କନିଷ୍ଠା ଚାରି ସୂତ୍ରେ ମୁଖ ଧରଇ ।

ଗୃହରେ ମନକୁ ପୁରାଇ ଦ୍ଵାର ଦେଲା ପକାଇ ।୧୩।

ଏପରି ନବ ଦ୍ଵାର କଳି କୋଇଲି ଘରେ ଥିଲା ।

ଗୃହରେ ଖୋଜନ୍ତେ ମନକୁ ଭିତରେ କି ଦେଖିଲା ।୧୪।

ଯାହା ଦେଖିଥିଲା ସଂସାରେ ମନ ରହିଛି ତହିଁ ।

ଚୋର କେଉଁ ବାଟେ ଗଳିଲା କୋଇଲି ବିଚାରଇ ।୧୫।

ନବ ଦ୍ଵାର ରୁଦ୍ଧି କରିଲି ଗଲା କେଉଁ ଦ୍ଵାରରେ ।

କେଡେ ଚୋର ବିଦ୍ୟା ଜାଣଇ ମନ ଧନ୍ୟ ଧନ୍ୟରେ ।୧୬।

ମନ ଗତି ଦେଖି ହରିଙ୍କି କଲା କୋଇଲି ଚିନ୍ତା ।

ଆୟତ୍ତ ମୁଁ କରି ନପାରେ ଏ ମନ ବଳବନ୍ତା ।୧୭।

ଏ ମନ ତୁମ୍ଭର ଆୟତ୍ତ ଆହେ କମଳାବନ୍ତ ।

ତୁମ୍ଭ ମନ ତୁମ୍ଭେ ସମ୍ଭାଳ ଆହେ କମଳାବନ୍ତ ।୧୮।

ଭଲ ମନ୍ଦକୁ ବାଛିବାକୁ ବିବେକକୁ ପେଷିଲେ ।

ମନର ନିକଟେ ବିବେକ ଆସି ଭେଟ ହୋଇଲେ ।୧୯।

XX XX XX

ମଙ୍ଗଳ ଶିକ୍ଷାମାନ ଆଣି ମନକୁ ଦତ୍ତ କଲେ ।୨୦।

ଶାନ୍ତ ଛାଡ଼ି କପଁ।ଅଷାନ୍ତେ ଗତି କରୁଛି ମନ ।

ଚିର ଶାନ୍ତ ତୋର ଶ୍ରୀକୃଷ୍ଣ, ଆଉ ସର୍ବ ସ୍ଵପନ ।୨୧।

ସ୍ଵପ୍ନକୁ ଜାଗ୍ରତେ ବୁଝିଲେ କିଛି ସତ୍ୟ ଥାଏ କି ?

ତୋ ନିଜ ଗୃହକୁ ନ ଆସି ଭ୍ରମଅଛୁ କାହିଁକି ? ।୨୨।

ପଦ୍ମ ଫୁଟିଅଛି ନ ଚୁମ୍ଵି କଳିକାରେ ଭ୍ରମୁଛୁ ।

ଦିବ୍ୟ ଦେହ ପାଇ ନୟନ ଥାଇ ଅନ୍ଧ ହେଉଛୁ ।୨୩।

ଅସତ୍ୟ କର୍ମକୁ ନ ଯାଇ ସତ୍ୟ କର୍ମରେ ରହ ।

ଚିର ଶାନ୍ତ ତୋର ଯହିଁରେ ସେହି ପଥରେ ଯାଅ ।୨୪।

ନୀରେ କ୍ଷୀର ମିଶ୍ରିତ ଥାଏ, ତା’କୁ ବାଛଇ ହଂସ ।

ନାରାୟଣ ପେଷି ଅଛନ୍ତି ମୋ ନା ବିବେକ-ହଂସ ।୨୫।

ଅସତ୍ୟ ପତକୁ ତୋତେ ମୁଁ ଚାଡ଼ି ନ ଦେଇ ପାରେ ।

ତେଣୁ ମୋତେ ହରି ପଠାଇଛନ୍ତି ତୋର ହିତରେ ।୨୬।

ବେନି କର ଯୋଡ଼ି କହଇ ମନ ମୋ ଭାଗ୍ୟ ଦିନ ।

ତୁମ୍ଭଙ୍କୁ ମୋ ପାଶେ ପଠାଇଛନ୍ତି ଜୀବ-ଜୀବନ ।୨୭।

ମୁଁ ତୁମ୍ଭ ଆୟତ୍ତ ହୋଇଲି ଯାହା କରିବି କର ।

ଅଭୟ ପାଦ ପଙ୍କଜକୁ ମୋତେ ନିତ୍ୟ ଓଟାର ।୨୮।

ବିବେକ ଆନନ୍ଦେ ରହିଲେ ମନ ଦେହରେ ଯାଇ ।

କହେ ଅଭିରାମ ମନୁଆ ସାତୁକ୍ୟକୁ ଗମଇ ।୨୯।

ଭୂମି ଜଳେ ଆଶା ନ କରି ଘନକୁ ଧ୍ୟାନ କଲା ।

ଚାତକ ମୁଖେ ଶ୍ୟାମଘନ ଆସି ବରଷା ହେଲା ।୩୦।

ମନ ବିବେକରେ ରଖନ୍ତେ ତେଣୁ ବର୍ଷିଲା ଘନ ।

ବିବେକବନ୍ତ ପ୍ରାଣିମାନେ ତେଣୁ ସଂସାରେ ଧନ୍ୟ ।୩୧।

ଅଭିରାମ ବାଇ କହଇ ଭ୍ରୂଲତା ପରେ ମଠ ।

ସହସ୍ର ଦଳ ତଳେ ରାଧା-କୃଷ୍ଣ ଦେଖିବା ଉଠ ।୩୨।

•••

 

ସନାତନ ଧର୍ମାର୍ଥ ଗୀତା ବା କୋଇଲି ଶିକ୍ଷା

ଦ୍ଵାଦଶ କୋଇଲି–କାକ କୋଇଲି ଭାବ

 

ନାରାୟଣଙ୍କୁ ସୁମରିଣ କୋଇଲି ଉଡ଼ିଗଲା ।

ବିଶ୍ଣୁ, ବୃକ୍ଷ ତ୍ରୋଟରେ ରହି ନିଜ ରବ କରିଲା ।୧।

ଚୌରାଅଶୀ ଅଙ୍ଗୁଳି ସିନା ବିଷ୍ଣୁ ବୃକ୍ଷ ବୋଇଲା ।

ଷଡ଼ରିପୁ ଇନ୍ଦ୍ରିୟ ସପ୍ତ ବକଳ ଥାଇ ।୨।

ଜୀବ ପରମ ବେନି ପକ୍ଷୀ ସେ ବୃକ୍ଷରେ ଖେଳନ୍ତି ।

ଜଣେ ଉପବାସ ରହିଲେ ଜଣେ ଭୁଞ୍ଜୁ ଥାଆନ୍ତି ।୩।

ଜୀବ ନ ଦେବାରୁ ପରମ ଥାଆନ୍ତି ଉପବାସ ।

ଜୀବ ଦେଲେ ପେରଭୁ ନିଶ୍ଚୟ କରୁ ଥାଆନ୍ତି ଗ୍ରାସ ।୪।

କୋଇଲି କେବଳ ନ ଭୁଞ୍ଜି ପ୍ରଭୁଙ୍କୁ ଦେଉଥାଇ ।

ତେଣୁ କଳଙ୍କ କୋଇଲିକ ଆଉ ଲାଗିବ କାହିଁ ? ।୫।

ନିଷ୍କଳଙ୍କ ଯେଣୁ ହୋଇଲା ବନ୍ଧନ ଫଟିଗଲା ।

ସୂର୍ଯ୍ୟ ଯେଣୁ ଉଦେ ହୋଇଲେ ନିଶି ଶେଷ ହୋଇଲା ।୬।

ତେଣୁ ସେ ବୃକ୍ଷ ମୂଳ ଗୋଟି ସତ ହୋଇଲା ଗଲା ।୭।

ପ୍ରଭୁଙ୍କର କୃପା ଯାହାକି କୀର୍ତ୍ତି ଶାଖା ମେଲିଲା ।

ସେ ବୃକ୍ଷର ପତ୍ର ଯାହାକି ହେଲା ମଧୁର ବାଣୀ ।

ଜ୍ଞାନ ହୋଇଲା ବୃକ୍ଷ, ପୁଷ୍ପ ଫଳ ସୁକୃତ ଜାଣି ।୮।

 

 

ପ୍ରଭୁଙ୍କ କୃପାରେ ସେ ବୃକ୍ଷ ଫଳ ଶାନ୍ତ ହୋଇଲା ।

ଶିଷ୍କ ବୃକ୍ଷ ହୋଇଣ ଥିଲା କୃପାରେ ପଲ୍ଲବିଲା ।୯।

ଏହି ବୃକ୍ଷ ଫୁକାବନ୍ଧକୁ କହି ।

ସେହି ସ୍ଥାନେ କୋଇଲି ରହି ନିଜ ରବ ଚିନ୍ତଇ ।୧୦।

ଯାହାଙ୍କର ଯଶ କୀର୍ତ୍ତିରେ ସ୍ମୃତି ନିଶ୍ଚଳ ହେଲା ।

ବେଳି ନେତ୍ର ମଧ୍ୟ ଭ୍ରୁଲତା ପରେ ମନ ରହିଲା ।୧୧।

ଏକବଂଶ ସସ୍ର ଷଟଶ ଗତି ହୋଇଲା ସ୍ଥିର ।

ଜିହ୍ଵା ଘଟିକା ନ ଚଳିଲା ଯେଣୁ କୃପା ପ୍ରଭୁର ।୧୨।

ବାକ୍, ପାଦ, ପାଣି, ପାୟୁ ଯେ ଉପସ୍ଥ ପାଞ୍ଚ ଏହି ।

ଜିହ୍ଵା, ନାସା, ନେତ୍ର କର୍ଣ୍ଣ ଯେ ଚର୍ମ ଦଶ ବୋଲାଇ ।୧୩।

ଦଶେନ୍ଦ୍ରିୟେ ଶ୍ରେଷ୍ଠ ମନ ଯେ ମନର ଶେଷ୍ଠ ଜ୍ଞାନ ।

ଜ୍ଞାନରେ ମନେନ୍ଦ୍ରିୟେ ଆଦି ସର୍ବେ ହେଲେ ବନ୍ଧନ ।୧୪।

ଅନିର୍ବାଚ୍ୟ ମନ୍ତ୍ର ଜପିଣ ଲଭିଲା ଭାବଗ୍ରାହୀ ।

କହଇ ଅଭିରାମ ବାଇ ଧନ୍ୟ କୋଇଲି ସେହି ।୧୫।

କୂର୍ମ ଯେହ୍ନେ ଅଙ୍ଗ ପ୍ରତ୍ୟଙ୍ଗ ଧରି ଗତି କରଇ ।

ସମୟରେ ହସ୍ତ ପାଦକୁ ଲୁଚାଇଣ ରଖଇ ।୧୬।

ସେପରି କୋଇଲି ସକଳ ଇନ୍ଦ୍ରିକି ଟାଣି ନେଲା ।

ବହିର୍ଜ ଗତରୁ ନେଇଣ ଭିତରେ ଲୁଚାଇଲା ।୧୭।

ସ୍ଥିତପ୍ରଜ୍ଞା ସୂତ୍ରେ ରହିଲା ପ୍ରେମାନନ୍ଦଙ୍କୁ ଧ୍ୟାୟି ।

ଯାହା ଅନୁଭବ କରିଲା ସେହି ମାତ୍ର ଜାଣଇଁ ।୧୮।

ଯେଉଁ ଧର୍ମ ଶିକ୍ଷା କୋଇଲି ସଂସାରେ ଦେଇ ଗଲା ।

ଅନ୍ଧାର ଗୃହରେ କେବଳ ରହି ବତୀ ଜାଳିଲା ।୧୯।

ଅଗ୍ନି ଜଳୁଥିଲା ତା’ପରେ ପାଉଶ ଥିଲା ରହି ।

ପ୍ରଭୁଙ୍କ କୃପା-ବାୟୁ ଆସି ସବୁ ଦେଲା ଉଡଇ ।୨୦।

କୃଷିକାରୀଙ୍କର କୃଷିରେ ମରୁଡ଼ି ହେଉଥିଲା ।

କୃପାବାରି ଆଣି କୋଇଲି ବରଷା କରାଇଲା ।୨୧।

ନାସ୍ତିକେ କୋଇଲି ବାଣୀକି ପ୍ରତେ କରିବେ ନାହିଁ ।

ନାହିଁ ବୋଲି ଦୁଇ ପକ୍ଷରରେ ହଂ ଅଂ ମିଶିବ କାହିଁ ? ।୨୨।

ହଂ ଅଂ ଯେଉଁଠାରେ ରହିଛି ସେଠାରେ ‘ନାହିଁ’ ନାହିଁ

ଅହଂ ଯେଉଁଠାରେ ରହିଛି, ରହିଛି ‘ନାହିଁ, ନାହିଁ’ ।୨୩।

ଏଣୁ ଆସ୍ତି କକୁ ବୁଝାଇ କୋଇଲି ଉଡ଼ିଗଲା ।

ସ୍ଥିତପ୍ରଜ୍ଞା ସୂତ୍ରେ ଅବୟ ପାଦପଦ୍ମେ ରହିଲା ।୨୪।

କୋଇଲି ସିନା ହେଲା ଜୀବ ଜଗତେ ପୁରିଛଇ ।

କୋଇଲିର ଜନନୀ ସିନା ବୋଲନ୍ତି ଭାବଗ୍ରାହୀ ।୨୫।

କାକବସା ମାୟା ସଂସାର ପ୍ରଭୁ କାକବସାରେ ।

ଡିମ୍ଵ ପାରିଦେଇ ଆସିଲେ କାକ ଜାଣି ନ ପାରେ ।୨୬।

କାକ ନିଜ ପୁତ୍ର ମଣିଣ କୋଇଲି କି ପାଳଇ ।

କୋଇଲିର ପୁତ୍ର ବୋଲିଣ କାକ କାହିଁ ? ।୨୭।

କାକ କଳା ପିକ କଳା ଯେ ରବଟି ମାତ୍ର ଭିନ୍ନ ।

କାମିନୀ କାଞ୍ଚନ କାମରେ କାକ ରବକୁ ଚିହ୍ନ ।୨୮।

କୋଇଲିର ରବ କେବଳ ବୋଲନ୍ତି ଭାବଗ୍ରାହୀ ।

କାମିନୀ କାଞ୍ଚନ କାମକୁ ତୁଚ୍ଛ ବୋଲି ମଣଇଁ ।୨୯।

ତେଣୁ କୋଇଲି କାକ ଯେ ଥଣ୍ଟ ନେଇ ମାରିଲା ।

ଗୋତ୍ର ସୁମରି ଉଡ଼ିଯାଇ ଜନନୀକ ଭେଟିଲା ।୩୦।

କାକ ରାଜ୍ୟେ ଥାଇ ମନ ଯେ ଗଲା ଶ୍ରୀକୃଷ୍ଣ ପାଶ ।

କହେ ଅଭିରାମ ଭକତେ ଏହି ରସରେ ରସ ।୩୧।

ବିଷୟାରେ ଥାଇ ମନକୁ ହରିଙ୍କି ଦତ୍ତ କର ।

କୋଇଲି ପଥରେ ନ ଗଲେ ଶାନ୍ତି ନାହିଁ ଜୀବର ।୩୨।

ଅସାରକୁ ସାର ନ ମଣ, କୋଇଲ ଯାଏ କହି ।

ବେଳହୁଁ ଗୋବିନ୍ଦ ସୁମର ବେଳ ପାଏ କି ନାହିଁ ।୩୩।

ସନ୍ଧ୍ୟା କର୍ମ କର ସକାଳେ ଦୁର୍ଲ୍ଲଭ ଜନ୍ମ ଏହି ।

‘କରିବା ନାହିଁ କି’ ବୋଇଲେ ଆଉ ମିଳିବ କାହିଁ ? ।୩୪।

ହସ୍ତ ଧନ ସିନ୍ଧୁ ଜଳରେ ହଜାଇଲେ ମିଳେ କି ?

ଆଳସ୍ୟ ଛାଡ଼ି କର୍ମ କର, ଆଉ ବେଳ ଅଛି କି ? ।୩୫।

ଅଳସୁଆ ସଙ୍ଗ କରିଲେ ନିଶ୍ଚେ ପାଇବ ଦଣ୍ତ ।

ଅଳସୁଆ ଏକ ବର୍ଷକେ ଚାଲେ ଦେଢ଼ ପହଣ୍ତ ।୩୬।

ଚୌର ସଙ୍ଗ ଯେହି କରନ୍ତି ଚୋରି ବିଦ୍ୟା ଜାଣନ୍ତି ।

ଦୁର୍ଜ୍ଜନ ସଙ୍ଗ ଯେ କରନ୍ତି ଅକାଳେ ମୃତ ହ୍ଵନ୍ତି ।୩୭।

ସାଧୁ ସଙ୍ଗ ସେହି କରନ୍ତି ପ୍ରାପ୍ତ ହ୍ଵନ୍ତି ଶ୍ରୀହରି ।

ସାଧୁ ସଙ୍ଗକୁ ଇଚ୍ଛା କର ଆଉ ନ କରି ଡେରି ।୩୮।

ସତ୍ୟସମୁହ ସାଧୁ ସଙ୍ଗରେ ଲଭ କମଳାକାନ୍ତ ।୩୯।

କୋଇଲି ପଥରେ ଗମନ କର ସୁବୁଦ୍ଧି ମନ ।

ତେବେ ଆଉ କାହିଁ ଲାଗିବ ସଂସାରର ବନ୍ଧନ ।୪୦।

କୋଇଲିର ଅଭିରାମର କିଛି ଭିନ୍ନ ନୁହଇ ।

କୃପା କର ଭକତପ୍ରିୟ ତୁମ୍ଭ ଅଧୀନ ମୁହିଁ ।୪୧।

•••

 

ତ୍ରୟୋଦଶ କୋଇଲି–ସଗୁଣ ଓ ନିର୍ଗୁଣ ମୀମାଂସା

 

ପ୍ରଭୁ ଆଜ୍ଞା ଶିରେ ଧରିଣ କୋଇଲି ଉଡିଗଲା ।

ଉଡ଼ି ଉଡ଼ି ଭକ୍ତ ଗୋଷ୍ଠୀରେ ଯାଇ ପ୍ରବେଶ ହେଲା ।୧।

ସଗୁଣ ନିର୍ଗୁଣ ଭକତେ କଳି କରନ୍ତି ବସି ।

ଯେ ଯାହା ମତକୁ ପ୍ରଶଂସା କରନ୍ତି ହୋଇ ଖୁସି ।୨।

ଥୋକେ ଭକ୍ତ ଜ୍ଞାନଯୋଗକୁ ଶ୍ରେଷ୍ଠ କରୁ ଥାଆନ୍ତି ।

କେହି କେହି ଭକ୍ତଯୋଗକୁ ସାର ବୋଲି ମଣନ୍ତି ।୩।

ନିର୍ଗୁଣ ଉପାସନ ଶ୍ରେଷ୍ଠ ଜ୍ଞାନିମାନେ କହନ୍ତି ।

କାରଣ ଏ ବଡ଼ କଠିନ ଦାମ୍ଭିକେ ନ ଜାଣନ୍ତି ।୪।

ଯେଉଁମାନେ ଏ ଉପାସନା କରି ପାରନ୍ତି ନାହିଁ ।

ଭକତିଯୋଗର ଆଶ୍ରୟ ମାତ୍ର ନିଅନ୍ତି ସେହି ।୫।

ଭକ୍ତିଯୋଗୀ ଜ୍ଞାନଯୋଗକୁ ସ୍ଵୀକାର ନ କରନ୍ତି ।

ନିର୍ଗୁଣ ବ୍ରହ୍ମ ଉପାସନା ସହଜ କହୁଥାନ୍ତା ।୬।

ଏଥିରେ କୌଣସି ମୂର୍ତ୍ତିର ଧ୍ୟାନ ଧାରଣା ନାହିଁ ।

ମାତ୍ର ବିଶ୍ଵାସ କଲେ ହେଲା, ସଗୁଣ ଶ୍ରେଷ୍ଠ କହି ।୭।

ସାକାର ଉପାସନା ଗୋଟି ମାତ୍ର ବଡ କଠିନ ।

କରି ନ ପାରିଣ କରନ୍ତି ଥୋକେ ନିର୍ଗୁଣ ଧ୍ୟାନ ।୮।

 

 

ଏହିପରି ପରସ୍ପରରେ ଲାଗିଅଛଇ କଳି ।

ଏହି ସମୟରେ ପ୍ରବେଶ ଯାଇ ହେଲା କୋଇଲି ।୯।

ମଧୁର ବଚନେ କହଇ ଶୁଣ ସକଳ ଭାଇ ।

କଳି ଯହିଣ ଥାଏ କାଳିଆସୁନା ଥାନ୍ତି ବା କାହିଁ ? ୧୦

କାର୍ଯ୍ୟାର୍ଥେ ସଗୁଣ ବାସ୍ତବେ ନିରଗୁଣ ଈଶ୍ୱର ।

ଏ ଅର୍ଥ ନ ବୁଝି କିପାଇଁ ଲାଗିଅଛି ସମର ? ୧୧

ଯେଉଁ ଦୁଇଗୋଟି ଅକ୍ଷର ତାହାର ନାମ ଜ୍ଞାନ ।

ଅନ୍ୟ କିଛି ସେହି ନୁହନ୍ତି ଜ୍ଞାନ ଶ୍ରୀଭଗବାନ ।୧୨।

କେହି ଜ୍ଞାନ ଯୋଗେ କେ ଅବା ଭକତି ଯୋଗେ ପାଇ ।

ଏ ଦୁଇ ମାର୍ଗ ଯୁକ୍ତତମ କହୁଅଛି ବୁଝାଇ ।୧୩।

ଜ୍ଞାନଯୋଗୀଏ ଅବ୍ୟକତ ବ୍ରହ୍ମଙ୍କୁ ଚିନ୍ତାକରି ।

ନିଃସଙ୍ଗ ଭାବେ ଅବସ୍ଥିତ ଯଦି ପାରଇ କରି ।୧୪।

ଏକ ଜନ୍ମେ ସିଦ୍ଧି ଲଭିଣ ଶାନ୍ତିପୁରେ ରହଇ ।

ଭକ୍ତଯୋଗୀଙ୍କର ବିଷୟ ଯାହା କହୁଛି ମୁହିଁ ।୧୫।

ଭକ୍ତି ଯୋଗୀ ପରଂବ୍ରହ୍ମ ଙ୍କୁ ବିଶ୍ଵରୂପେ ଦେଖଇ ।

ତାଙ୍କର ଅସୀମ ବିଭୂତି ଦେଖି ମୁଗ୍‌ଧ ହୁଅଇ ।୧୬।

ପୁରୁଷ ଉତ୍ତମ ରୂପରେ ତାଙ୍କୁ କରେ ପୂଜନ ।

ତ୍ରମଶଃ ଉତ୍କୃଷ୍ଟ ସୋପାନ କରଇ ଆରୋହଣ ।୧୭।

 

 

ସର୍ବ ଶେଷେ ଜ୍ଞାନି ର ଯୁକ୍ତତମ ଅବସ୍ଥା ପାଇ ।

ଆତ୍ମା ପରମାତ୍ମା ପ୍ରଭେଦ ଭୁଲି ଶାନ୍ତ ଲଭଇ ।୧୮।

କୋଇଲି କହଇ ଉଭୟ ପନ୍ଥା ନିଷ୍କାମ କର୍ମ ।

ସକାମ ଭକ୍ତଙ୍କର ସିଦ୍ଧି ବହୁଦୂରେ ଜାଣିମ ।୧୯।

ଭାବଗ୍ରାହୀ ଦୀନବନ୍ଧବ ଭକ୍ତଭାବକୁ ବାଇ !

ଭକ୍ତଭାବ –କ୍ଷୀର ଭୁଞ୍ଜିବେ ଗୋପୀ ମୁରତି ହୋଇ ।୨୦।

କୋଇଲି କହଇ ଭକତି ଜ୍ଞାନ ମିଶିବେ ଯେବେ ।

ମଣି କାଞ୍ଚନ ପରି ଶୋଭା ସିନା ପାଇବ ତେବେ ।୨୧।

ଭାଗ୍ୟବାନ ବ୍ୟକ୍ତି ଭକତି ଜ୍ଞାନ ମିଶ୍ରଣ କରେ ।

ଇହ ଜନ୍ମେ ଅଳ୍ପ ସମୟେ ଶାନ୍ତିପୁରେ ବିହରେ ।୨୨।

କୋଇଲି କହେ ବୁଲି ବୁଲି ଦେଖୁ ଅଛଇ ମାତ୍ର ।

ଜ୍ଞାନ କିପରି କେହି ନ କରନ୍ତି ସିଦ୍ଧାନ୍ତ ।୨୩।

ବିନୋଦବିହାରୀ ଯାହାକି କହିଅଛନ୍ତି ଶୁଣ ।

ଆତ୍ମା ପର ଭେଦଜ୍ଞାନକୁ କରିଦିଅ ବର୍ଜନ ।୨୪।

ସ୍ଵାଭାବିକ ନିଷ୍ଠା ବ୍ରହ୍ମରେ ଯଦି ଉଦେ ହୁଅଇ ।

ଏହିଟି ହେଲା ମୂଳ ଜ୍ଞାନ ବିଶ୍ଵପ୍ରେମକୁ କହି ।୨୫।

ଏ ଜ୍ଞାନ ରେ ଭକ୍ତ ମିଶିବ ଯେଉଁ ପରାୟେ ଶୁଣ ।

ଅନନ୍ତ କାମନାମାନଙ୍କୁ କରିଦିଅ ବର୍ଜନ।୨୬ ।

ଏକାଗ୍ର ମନରେ ବିଶୁଦ୍ଧ ଭାବେ କରମ କର ।

ଈନ୍ଦ୍ରିୟ ବ୍ୟାପର ଦ୍ଵାରଟି କୃଷ୍ଣ ପଦାକ୍ ଜ ସ୍ମର ।୨୭।

ଏହି ହେଲା ମୂଳ ଭକତି ଜ୍ଞାନେ ମିଶାଅ ନେଇ ।

କେଉଁପରି ଶୋଭା ଦିଶୁଛି ବୁଝି କହିବ ଭାଇ ୨୮

ଏ ଅର୍ଥ ନ କରି କରନ୍ତି ଥୋକେ ଜ୍ଞାନକୁ ସାନ ।

ଭେକ ରଡ଼ିପରି ବୁଝିବ ତାହାଙ୍କର ବଚନ ।୨୯।

ଏ ଯେଉଁ ପୃଥ୍ଵୀରେ ବିଭ୍ରାଟ ଘଟିଗଲାଣି ଭାଇ ।

ବେଳ କାଳ ଜାଣି ଶ୍ରୀହରି ଜନ୍ମ ଅଛନ୍ତି ହୋଇ ।୩୦।

ଛଅ ମହାଦେଶ କଳହ ମୀମାଂସା କରିଦେବ ।

ଗୁପ୍ତ ସନାତନ ଧରମ ବିଧିମତେ ସ୍ଥାପିବେ ।୩୧।

ସକଳ ହୃଦୟକମଳେ ପ୍ରକାଶ ହେବେ ନାଥ ।

ଆନନ୍ଦରେ କଳା ବାଣ୍ଟିବେ କମଳାଦେବୀ କାନ୍ତ ।୩୨।

ହରିଙ୍କ ଆଜ୍ଞାରେ ଚଳିବ ସମଗ୍ର ପୃଥ୍ଵୀଯାକ ।

ମନ୍ତ୍ରଶକ୍ତିକି ଚଳାଇବେ ପୂର୍ବ ଅଛି ଯେତେକ ।୩୩।

ଭକତ ସଙ୍ଗରେ ଖେଳିବେ ଭାବ ଭୁଞ୍ଜିବା ପାଇଁ ।

ଯାହାର ଗୃହ ନିରମଳ ହରି ବସିବେ ତହିଁ ।୩୪।

ଭକ୍ତଦତ୍ତ ଦ୍ରବ୍ୟ ଭୁଞ୍ଜିଣ ସ୍ଵାମୀ ଆନନ୍ଦ ହେବେ ।

ଶ୍ରୀ ପଦ୍ମକରେ ଭକତକୁ କୋଳାଗ୍ରତ କରିବେ ।୩୫।

ଭିତରେ ବାହାରେ ଭକତଙ୍କର ପ୍ରକାଶ ହେବେ ।

ଯହିଁ ନେତ୍ର ପଡେ ଭକ୍ତର ତହିଁ ଖେଳ ଖେଳିବ ।୩୬।

 

 

ଲୁଚକାଳି ଖେଳ ଖେଳିବେ ଭକ୍ତ ସଙ୍ଗରେ ହରି ।

ଲଳନା ଚକ୍ରରେ ବୁଢ଼ୀକି ବସାଇବେ ବିଚାର ।୩୭।

ସସ୍ର ଦଳେ ସ୍ଵାମୀ ଲୁଚିବେ ଭୂ-ଚତ୍ର ଭକ୍ତ ଥିବେ ।

ବୁଢ଼ୀକି ଯେହି ନ ଛୁଇଁବ ଚୋର ହୋଇ ବୁଲିବେ ୩୮

ବୁଢ଼ୀକି ଯେହି ଛୁଇଁଦେବ ଖେଳେ ହାରିବେ ହରି ।

ନୋହିଲେ ଭକତ ହାରିବେ ଜିଣିବେ ଦଇତାରି ।୩୯।

ଭକତ ହାରିଲେ ବିଷୟା ସୁଖେ ପଡ଼ିବ ଯାଇ ।

ହରି ହାରିଲେ ପଦ୍ମପାଦ ଭକ୍ତେ ନେବେ ଛଡ଼ାଇ ।୪୦।

କେତେ ରଙ୍ଗେ ଖେଳ ଖେଳିବେ କହିପାରିବି ନାହିଁ ।

ଯାର ଭକ୍ତିରେ ମିଳିଥିବ ତାଙ୍କୁ ଦେବେ ଭୁଲାଇ ।୪୧।

ପ୍ରଭୁଙ୍କ ଆଜ୍ଞା ଇତି କହି କୋଇଲା ଉଡିଗଲା ।

ଅଭିରାମ ବାଇ କହଇ ଦିବ୍ୟ ଯୁଗ ଆସିଲା ।୪୨।

•••

 

ଚତୁର୍ଦ୍ଦଶ କୋଇଲି–ସହଜ ସୂତ୍ର

 

କୁଉ କୁଉ ହୋଇ କୋଇଲି ଏକ୍ଷଣି ଉଡ଼ିଯିବୁ ।

ଭକତମାନଙ୍କୁ ମୋହର ତତ୍ତ୍ଵ ଚେତାଇ ଦେବୁ ।୧।

ଅଚୈତନ୍ୟ କପଁ। ହୋଇଲେ ଛାଡ଼ି ଚୈତନ୍ୟଚନ୍ଦ୍ର ।

ଯାମିନୀ ବିନାଶ ହୋଇବ ଉଦେ ହୋଇବେ ଚନ୍ଦ୍ର ।୨।

ଯାମିନୀ ପରାୟେ ଘୋଟିଛି ମିଥ୍ୟା କାମ ତ୍ରୋଧ ଦି ।

ସତ ଶାନ୍ତି ଦୟା କ୍ଷମାକୁ ଧରି ଦିଅନ୍ତୁ ଛେଦି ।୩।

ଆହୁରି କହିବୁ କୋଇଲି ଭକ୍ତଙ୍କ କରି ଥୟ ।

ଏକ ଚନ୍ଦ୍ରମା ଆକାଶରେ ହେଉଛନ୍ତି ଉଦୟ ।୪।

କୋଟି ଆପ ଘଟେ ଦେଖିଲେ କୋଟି ଚନ୍ଦ୍ର ଦିଶନ୍ତି ।

କୋଟିକି ଗୋଟିଏ କରିଲେ ଏକ ରୋହିଣୀପତି ।୫।

ବାରି ଘଟ ବୋଲି ଯେ ଅଟେ ସିନା ତୁମ୍ଭରି ଦେହ ।

ଅନାଅ କିପରି ଚନ୍ଦ୍ରମା ହୋଇଛନ୍ତି ଉଦୟ ।୬।

ଆପକୁ ଆପେ ଚିହ୍ନି ବସ କଳି ଯାଉ ପଳାଇ ।

ଦୁର୍ଲ୍ଲଭ ଜନ୍ମକୁ ବିଅର୍ଥ ଭକ୍ତେ ନାକର କେହି ।୭।

ଧନ, ଯଉବନ, ଜୀବନ ଏହୁ ଚିର ନୁହଇ ।

ଅଚିରରେ କି କାର୍ଯ୍ୟ ଅଛି ବୃଥା କର୍ମଟି ଏହି ।୮।

 

 

ଅବିନାଶୀ କର୍ମ କରନ୍ତୁ ବିନାଶୀରେ କି କାର୍ଯ୍ୟ ?

ପଚିଶ ବିନାଶ ହୁଅନ୍ତି, ଏହାଙ୍କୁ ବେଗେ ତେଜ ।୯।

ମରଣ ଛାରକୁ ନାଡ଼ର ମରଣେ କିସ ଭୀତି ?

ମରଣକୁ ଯିଏ ଡରନ୍ତି ସେମାନେ ମରିଛନ୍ତି ।୧୦।

ଜୀବନ ଥାଉଁ ଥାଉଁ ମର, ଯେବେ ହେବ ଅମର ।

ଅହିଂସା ସତ୍ୟକୁ ଧରିଣ ମ୍ଲେଚ୍ଛ ଦୈତ୍ୟଙ୍କୁ ମାର ।୧୧।

ଅଶାନ୍ତି, ଅସତ୍ୟ, ନିର୍ଦୟା ଏହି ମ୍ଲେଚ୍ଛ ଦୈତ୍ୟଟି ।

କଳିଙ୍କି ରାମ ହଂସ ଧରି ସାତ୍ତ୍ଵିକେ ଦିଅ କାଟି ।୧୨।

ଇନ୍ଦ୍ର ପଦେ ଆଶା ନ କର, ସ୍ଵର୍ଗ ନର୍କ ସମାନ ।

ଦେହ ସଂସାର ନାରାୟଣେ ସବୁ କର ଅର୍ପଣ ।୧୩।

ଅଛି କି ନାହିଁ ନିଜ ଦେହୀ, ଏହି ଭାବରେ ମଜ୍ଜ ।

ମାୟାଧରଙ୍କର ଏ କାୟା, ଏହି ଭାବରେ ଭଜ ।୧୪।

ଆଉ ଅଧିକ କି କହିବ ? ଆରେ କଳା କୋଇଲି !

ହେଳା କଲେ ଭେଳା ବୁଡ଼ିବ, ନ କହ ‘କାଲି, କାଲି ।୧୫।

ଆଜି କଥା ଏବେ କରିବ, ବେଳ ବୁଡ଼ି ଯାଉଛି ।

ବୃଥା ପରିଶ୍ରମେ ଆମ୍ଭର କିସ ଫଳ ରହିଛି ।୧୬।

ଆହୁରି କହିବ କୋଇଲି ମୋର ଭକ୍ତେ ଭଜନ ।

ଏକବଂଶ ସସ୍ର ଷଟଶ’ ସୂତ୍ରେ ରଖ ଚୈତନ୍ୟ ।୧୭।

ବହୁ ଦୂରେ ପ୍ରଭୁ ନାହାନ୍ତି ଦୃଷ୍ଟି ଅଗ୍ରରେ ଦେଖ ।

ନ ଭଜି, ନ ଖୋଜି, ଜ୍ୟୋତିକି ନେଇ ଅବାଡ଼େ ରଖ ।୧୮।

ଯାଅ ଉଡି କଳା କୋଇଲି ମୋର ଭକ୍ତିଙ୍କୁ କହ ।

ଶୁଣି କୋଇଲି ଉଡ଼ିଗଲା ଅତ୍ୟନ୍ତ ପ୍ରିୟ ।୧୯।

ଭକତ ଜନେ ଉପଦେଶ ଦେଲା ନର ରୂପରେ ।

କଦେ ଅଭିରାମ କହିଲେ ପ୍ରଭୁ ଭକ୍ତ ହିତରେ ।୨୦।

•••

 

ପଞ୍ଚଦଶ କୋଇଲି–ମହିମା ଭାବ

 

କୋଇଲି ତୁ ଏହିକ୍ଷଣି ଶ୍ରୀଘ୍ରେ ଉଡ଼ିଯିବୁ ।

ଭକତମାନଙ୍କୁ ଗୃହେ ଯାଇ ପ୍ରବେଶିବୁ ।୧।

ଯାହା ମୁଁ କହୁଛି ତାହା କହିବୁ ବୁଝାଇ ।

ଯାହା ମପଁ କହୁଛି ତାହା ଶୁଣ ମନ ଦେଇ ।୨।

ସଂସାରରେ ସର୍ବ ତୁହି କହିବୁ ବୁଝାଇ ।

ଶ୍ରୀମୁଖ ବଚନ କେବେ ଅନ୍ୟଥା ନୁହଇ ।୩।

କିଛି ଭୟ ନ କରିଣ ଶୀଘ୍ର, ଚଳିଯାଅ ।

ଭକତମାନଙ୍କୁ ମୋର ସଦଜ୍ଞାନ ଦିଅ ।୪।

କଳିରେ ବହୁତ ଦୃଷ୍ଟ ହୋଇଛନ୍ତି ମେଳ ।

ତେଣୁ ଶ୍ରୀମୁଖ ବଚନେ ସେ ଖେଳ ।୫।

ଭକ୍ତଙ୍କୁ ହିତେ ମୋହର ଦୁଷ୍ଟଙ୍କୁ ଏ ବିଷ ।

ତେଣୁ ବେଳ କାଳ ଜାଣି ସର୍ବେ ଯିବେ ନାଶ ।୬।

ଗରବଞ୍ଜନ ବାନା ଅଟଇ ମୋହରି ।

ଯେ ଗର୍ବ କରିବ ତା’ର ଗର୍ବ ଦେବି ଚୂରୀ ।୭।

ଯୁଗେ ଯୁଗେ ଜନ୍ମ ହୋଇ ଦୈତ୍ୟ ସଂହାରଇ ।

ତେଣୁ ଦଇତାର ନାମ ଭକ୍ତେ ଛନ୍ତି ଦେଇ ।୮।

 

 

ଭକ୍ତଙ୍କ ଜୀବନ ମୁହିଁ, ଭକ୍ତ ମୋ ଜୀବନ ।

ଭକତ ଭାବରେ ସଦା ମନ ମୋ ସମ୍ପୂର୍ଣ୍ଣ ।୯।

ଭକତ ଯେପରି ମୋତେ ମନରେ ଭାବଇ ।

ସେହିପରି ରୂପ ହୋଇ ମନକୁ ତୋଷଇ ।୧୦।

ଭକ୍ତ ହିତେ ଯୁଗେ ଯୁଗେ ମୁହିଁ ଅବତାର ।

ଦୃଷ୍ଟ ନିବାରଣ ବାନା ଅଟଇ ମୋହର ।୧୧।

କୋଇଲି କହିବୁ ଯାଇ ଭକ୍ତଙ୍କୁ ମୋହରି ।

ଦୃଷ୍ଟ ଲୋକଙ୍କୁ କଦାବି ବିଶ୍ୱାସ ନ କରି ।

ପ୍ରଣାମ ପୟରେ ମୋର ଶତ ସ’ସ୍ର ବାର ।୧୩।

ଅହୁରି କୋଇଲି ତୋତେ କହୁଅଛି ଶୁଣ ।

ଭକ୍ତଙ୍କୁ କହିବୁ କହିଛନ୍ତି ନାରାୟଣ ।୧୪।

କୁତର୍କୀ କୁଜ୍ଞାନୀ ସଂସାରରେ ଛନ୍ତି ପୁରି ।

କଦାପି ସଙ୍ଗ ନୋହିବେ ସଂସାରେ ତାଙ୍କରି ।୧୫।

ଖଚୁଆ ମିଛୁଆ ପ୍ରତି କଳିରତ ଖୁସି ।

ବେଳ ନିକଟ ହେଲାଣି ଆଉ ନାହିଁ ବେଶି ।୧୬।

ବେଳ ଆଉ ଅଳ୍ପ ଅଛି ଭକ୍ତଙ୍କୁ ମୋ କହ ।

ସତ-ଷାନ୍ତ-ଖଡ଼୍‌ଗ ଧରି ତେଜିଦ୍ୟନ୍ତୁ ଭୟ ।୧୭।

ନିତ୍ୟାନନ୍ଦ ଘରେ ରୁପାନନ୍ଦ ଯେଉଁପରି ।

ଦେହୁ ଦ୍ୟନ୍ତୁ କପଟ ଦୁର କରି ।୧୮।

 

ଆହୁରି କହ ତୁ ଯଇ ଭକ୍ତଙ୍କୁ ମୋହର ।

ଊର୍ମ ଜ୍ୟୋତି ଜ୍ଵାଳା କରିଦ୍ୟନ୍ତୁ ଜର ।୧୯।

ଭଲ ମନ୍ଦନ ଘେନନ୍ତୁ ମନେ କିଛି ସେହି ।

ସର୍ବ ମୋତେ ସମର୍ପନ୍ତୁ ମନେ ପ୍ରେମ ହୋଇ ।୨୦।

ପ୍ରେମ ଭକ୍ତି ଛଡା ମୋତେ କାହିଁରେ ନ ପାଇ ।

ନିର୍ମଳ ଭକ୍ତିଟି ଏକା ମୂଳଧନ କହି ।୨୧।

ଭକ୍ତି ଛଡା ମୁକ୍ତି ଅନ୍ୟ କୌଣସିରେ ।

ପ୍ରେମ ଭକ୍ତି ବାନ୍ଧିପାରେ ପ୍ରେମର ରଜ୍ଜୁରେ ।୨୨।

କହିବା ବୋଲିବା ଚାତୁରୀରେ ମୁଁ ନ ଥାଇ ।

ଭକ୍ତର ଭକ୍ତରେ ସଦା ପ୍ରସନ୍ନ ହୁଅଇ ।୨୩।

ବହୁତ କହିଲେ ବୋଇଲେ ସେ କିସ ହେବ ?

ଭକ୍ତି ଛଡା ଅନ୍ୟ କୌଣସିରେ ନାହିଁ ଲାଭ ।୨୪।

ବହୁ ପଣ୍ତିତ ଜ୍ଞାନରେ ମୁଁ ନୁହଇ ବଶ ।

କହି ବୋଲି ଜାଣିଲେ ନ ପାଏ ମୋର ଲେଶ ।୨୫।

ଭକ୍ତମାନେ ଯେ ମୋହର ସର୍ବସହ ହେବେ ।

ନିନ୍ଦା ପ୍ରଶଂସା ସେ କିଛି ମନେ ନ ଘେନିବେ ।୨୬।

ଭକ୍ତି ଛଡ଼ା ଅନ୍ୟ କଥାରେ ନ ଥାଇ ମନ ।

ସେହି ମୋର ଶ୍ରେଷ୍ଠ ଭକ୍ତ ଅଟେ ଧନ୍ୟ ଧନ୍ୟ ।୨୭।

ବାରେ ଦୟାକର ମୋରେ ଆହେ ପୂର୍ଣ୍ଣବ୍ରହ୍ମ ।

ସର୍ବଦା ଆଶ୍ରତ ପାଦତଳେ ଅଭିରାମ ।୨୮।

ଭକ୍ତଙ୍କୁ ମୋହର ଯାଇ କହ ତୁ କୋଇଲି ।

ଭକ୍ତଙ୍କୁ ହିତରେ ଏତେ କଥା ମୁଁ କହିଲି ।୨୯।

ଅଭକ୍ତଙ୍କୁ ଲାଗୁଥିବ ଏହା ବିଷପରି ।

ଅଳ୍ପଦିନେ ଭାନୁ କୁମର ଯେ ନେବ ଧରି ।୩୦।

ମୋର ଭକ୍ତ ସଙ୍ଗେ ନିତ୍ୟେ କରୁଥିବେ ଗୋଳ ।

ଭକ୍ତ ମୋ ଭାବିବ ସେ କଥାକୁ ପଚାପାଳ ।୩୧।

କହିବୁ ସେ କଥା ମୋର ଭକ୍ତେ ନ ଶୁଣିବେ ।

ସର୍ବ କର୍ମକୁ ଅର୍ପଣ ମୋତେ କରୁଥିବେ ।୩୨।

ଜୀବ ପରମ ଗତିକୁ ମନେ ରଖିଥିବେ ।

ଦିନରେ ଭୋଜନ କରି ରାତ୍ରିରେ ଶୋଇବେ ।୩୩।

ଦିନ ରାତ୍ରି କୁ ସର୍ବଦା କରୁଥିବେ ମେଳ ।

ଗୋଲାହାଟେ କି ରୂପରେ ଶୁଭେ ବାଦ୍ୟ ଢାଳ ।୩୪।

ଦ୍ଵାଦଶ ପ୍ରକାରେ ବାଦ୍ୟ ସେଠାରେ ଶୁଣିବେ ।

ଷୋଳ ଦଳଠାରେ ଜିହ୍ଵା ଲେଉଟାଇ ଥିବେ ।୩୫।

ସେ ଠାବରୁ ଝରୁଅଛି ଯେଉଁ ମକରନ୍ଦ ।

ତା’କୁ ଖାଇଣ ଭକତ ହୋଇବ ଆନନ୍ଦ ।୩୬।

ଦଶଗୋଟି ଦ୍ଵାର ଅଛି ନଅଗୋଟି ମେଲା ।

ଆଉ ଏକ ଗୋଟି ଦ୍ଵାର ହେଇନାହିଁ ଖୋଲା ।୩୭।

ନିର୍ମଳ ଭକ୍ତିରେ ପ୍ରଭୁ ହୋଇବ ସନ୍ତୋଷ ।

ଦ୍ଵାର ଖୋଲିଦେବେ ପ୍ରଭୁ କମଳା ବିଳାସ ।୩୮।

ସେହି ଦ୍ଵାରେ ଚଳିଯିବୁ କାମବୀଜେ ଯାଇ ।

ପ୍ରବେଶ ହେବୁ ସେଠାରେ ଜଗିଅଛି ଅହି ।୩୯।

ତହୁଁ ଚଳିଯିବୁ ଯାଇ ହରାଦି ମଣ୍ତଳେ ।

ସେଠାରେ ସେବା ଲାଗୁଛି ନିତ୍ୟ ଅଷ୍ଟକାଳେ ।୪୦।

ତହୁଁ ଚଳିଯିବୁ ଯାଇ ଅମନ ଭୁବନ ।

ତେବେ ତୋର ବ୍ରହ୍ମେ ବ୍ରହ୍ମ ଦେବ ସେହି ଲୀନ ।୪୧।

ଗୀତ କହେ ଅଭିରାମ ନାହିଁ ମୋର ଇଚ୍ଛା ।

ଦିଅ ବା ନା ଦିଅ ଯାହା ଆପଣଙ୍କ ଇଚ୍ଛା ।୪୨।

ଏହି ସୂତ୍ର କହିବୁ ଭକ୍ତେ ଥିବେ ରହି ।

ଏ ସୁତ୍ରେ ଯେ ଜାଣେ ମୋର ଭକ୍ତ ଅଟେ ସେହି ।

ଏ ସୂତ୍ର ଯେ ଜାଣ ମୋର ଭକ୍ତ ଅଟେ ସେହି ।୪୩।

ସତ, ଶାନ୍ତି, ଦୟା, କ୍ଷମା ଅଟଇଟି ମୂଳ ।

ୟାଙ୍କୁ ଆସୁଛି ବାର ୟାକୁ କର ସ୍ଥିର ।

ହେତୁ ରଖନ୍ତୁ ନେଇଣ ଅମନ ମନ୍ଦିର ।୪୫।

ମୋର ଭକ୍ତଙ୍କୁ ବୁଝାଇ କୋଇଲି କହିବୁ ।

ଭକ୍ତଙ୍କୁ ବୁଝାଇ ତାଙ୍କ ମନକୁ ମୋହିବୁ ।୪୬।

ହେତୁ କରିଥିବ ମୂଳ, ଆହେ ଭକ୍ତ ମୋର ।

ତେବେ ସିନା ପାରିବୁ ତୁ ଧରିଯାଇ ଚୋର ।୪୭।

ଚୁମ୍ଵକ ସୂତ୍ରରେ ତୁମ୍ଭେ ନିଅ ଭକ୍ତେ ଟାଣି ।

ଚୁମ୍ଵକ ସୂତ୍ର ନ ଥିଲେ ନ ପାରିବ ଜାଣି ।୪୮।

ଉଦୟ ବଟକୁ ଅଧଃ, ଉର୍ଦ୍ଧ୍ଵ ମଧ୍ୟେ ରଖି ।

ତେବେ ସିନା ତୁ ଦେଖିବୁ ପଙ୍କଜ ଆଖିଙ୍କି ।୪୯।

ପୁରକ କୁମ୍ଭକ ରେଚକରେ କର ଠାବ ।

ପୂର୍ଣ୍ଣମାସୀଙ୍କି ସେବିଲେ ସର୍ବ ଦୁଃଖ ଯିବ ।୫୦।

ବାହାରେ କରିବା କିଛି ପ୍ରୟୋଜନ ନାହିଁ ।

ଭିତରେ ସର୍ବ କରିବେ ମନେ ପ୍ରେମ ହୋଇ ।୫୧।

ବାହାର କଥାରେ ପ୍ରଭୁ ନୁହନ୍ତି ଯେ ବଶ ।

ଭିତରେ ସର୍ବ କରିବେ ହୋଇଣ ସନ୍ତୋଷ ।୫୨।

ସର୍ବ କର୍ମଫଳ ପ୍ରଭୁଙ୍କୁ ଦିଅନ୍ତୁ ଧରି ।

ତେବେ ଯାଇ ଭକ୍ତ ମଧ୍ୟେ ହୋଇବେ ସୁମରି ।୫୩।

ଶୟନ କାଳେ ପ୍ରଭୁଙ୍କୁ ଶୁଦ୍ଧ ଆସନରେ ।

ଯମୁନା ଘରେ ପ୍ରଭୁଙ୍କୁ ଦେବୁ ଆନନ୍ଦରେ ।୫୪।

ଯମୁନା ଘରରେ ପ୍ରଭୁ ନ ଥିବେଟି ଯେବେ ।

ଗଙ୍ଗାରୁ ଡାକି ଆଣିବୁ ହେତୁ ପାଇ ତେବେ ।୫୫।

ଶୟନର ବିପରୀତେ କରିବ ମଣୋହି ।

ଏହି ସୂତ୍ର ମୋ ଭକ୍ତେ ଥିବେ ରହି ।୫୬।

ଆହୁରି କହୁଛି ତୋତେ ଶୁଣ ଲୋ କୋଇଲି ।

ଭକ୍ତଙ୍କୁ କହିବୁ ଦୃଷ୍ଟ ବଚନେ ନ ଭୁଲି ।୫୭।

କଳିର ତ ଏହିକ୍ଷଣି ହୋଇଛି ରାଜୁତି ।

ଦୁଷ୍ଟଙ୍କ ମୁଖେ ସେହି ନେଉଅଛି ଝିଙ୍କି ।୫୮।

ଦୁଷ୍ଟଙ୍କ ମୁଖେ ଚୁମ୍ଵନ ଦେଉଅଛି କଳି ।

ଆଉ ତିନିଦିନ ଅଛି ବାଛି ନେବ କାଳୀ ।୫୯।

ଭକ୍ତଙ୍କ ସଙ୍ଗରେ ଲାଗୁଥିବେ କଣ୍ଟା ପରି ।

ଭକ୍ତ ମୋର ହସିକରି ପ୍ରେମେ ଢାଳି ମାରି ।୬୦।

ପାଞ୍ଚଜଣ ମୂଲିଆ ଯେ ଆସିବେ ରାଜ୍ୟକୁ ।

ଯେ ମୂଲ ଲାଗିଛି ମଜୁରୀ ତ ଦେବେ ତାକୁ ।

ଯେ ମୂଲ ଯେତେ ଦିନ ବାକୀ ସୁଝି ରଖିଥିବ ।

ଏ ପାଞ୍ଚଜଣଙ୍କ ଠାରୁ ବୁଝି ସୁଝି ନେବ ।୬୨।

ଧାନକୁ ରଖିବେ ସିନା ବାଳୁଙ୍ଗା ଉପାଡି ।

ଅଷ୍ଟ ସର୍ବାଣୀ ଆସିବେ ସବୁ ଦେବେ ମୋଡ଼ି ।୬୩।

ଚଣ୍ତୀ ଚାମଣ୍ତାଙ୍କ ଖେଳ ହୋଇବ ବହୁତ।

ଦେଶରେ ଲାଗିଣ ଯିବ ମହା ଉତପାତ।୬୪।

ଯାଜପୁର ବିରଜା ଯେ ଯିବେ ସ୍ଥାନ ଛାଡ଼ି ।

ମହା ଭୀମ ମୂର୍ତ୍ତି ହୋଇ ଆସିବେ ସେ ମାଡି ।୬୫।

ହରିଚଣ୍ତୀ, ରାମଚଣ୍ତୀ ଶାରଦା ଯେ ମାୟୀ ।

ଘରେ ଘରେ ପଶି ବହୁ ଦୁଷ୍ଟ ଯିବେ ଖାଇ ।୬୬।

ମାରୀଭୟ ବହୁତ ଯେ ଲାଗିବ ଜଗତେ ।

ଦୁଷ୍ଟଙ୍କ ପ୍ରାଣ ଛାଡ଼ିବ ଚଣ୍ତୀଙ୍କର ହସ୍ତେ ।୬୭।

ଭକ୍ତ ମୋର ଯିଏ ଥିବେ ପଣତ ତଳରେ ।

ଦୁଷ୍ଟଙ୍କୁ ବହୁତ କଷ୍ଟ ଖପର ତଳରେ ।୬୮।

ବହୁ ଉତପାତ ଆସି ହୋଇବ ପ୍ରବେଶ ।

ସର୍ବ କର୍ମ ସମର୍ପନ୍ତୁ ନାରାୟଣ ପାଶ ।୬୯।

ତେର ଟୋପିଆ ଯେ ଆସି ହୋଇଯିବେ ମେଳ।

ରହିଣ ସେ ଦେଖୁଥିବେ କଳିକାଳେ ଖେଳ ।୭୦।

ବାଇଶି ପାବଚ୍ଛ ଦେହୁ ଲହୁ ବହୁଥିବ ।

ବାରବାଟୀ କଲା ପରେ ଘୋର ଯୁଦ୍ଧ ହେବ ।୭୧।

ସତ, ଶାନ୍ତ, ଦୟା, କ୍ଷମାକୁ ଧରିଣ ହରି ।

ଅଷ୍ଟ ଦୁର୍ଗା ଧରି ସବୁ ପକାଇବେ ମାରି ।୭୨।

ଭକ୍ତମାନଙ୍କୁ କହିବୁ ଭକ୍ତି କରୁଥିବେ ।

ଭକ୍ତି ଛଡା ମୁକ୍ତି ନାହିଁ କହିଲି ମୁଁ ଏବେ ।୭୩।

ତର୍କ ନ କରିବେ ତାହା ସଙ୍ଗେ ଭକ୍ତ ମୋର ।

ଙକ୍ତଙ୍କୁ କହିବୁ ‘ତୁମ୍ଭେ ତର୍କ ପରିହାର ।୭୪।

ତର୍କ କଥାରେ ତ ନର୍କ ପୁରଣ ଅଛଇ ।

ସତ ଶାନ୍ତ ଦୟା କ୍ଷମା ଜଗତ ଜିଣଇ ।୭୫।

ବାଦ ବିବାଦ କଥାକୁ ଦେବେ ଏବେ ଛାଡ଼ି ।

ବାଦ ବିବାଦ କଥାରେ କେବେହେଁ ନ ପଡ଼ି ।୭୬।

ବାଦ ବିବାଦ ଯେ କରେ ଭକ୍ତ ସଙ୍ଗେ ମୋର ।

ନିଶ୍ଚୟ ଖପର ତଳେ ଯିବ ସେ ନିକର ।୭୭।

ବେଳ ନିକଟ ହେଲାଣି ବସିଛି କିପାଇଁ ?

ଡେରି କରିବାକୁ ଆଉ ପ୍ରୟୋଜନ ନାହିଁ ।୭୮।

ବେଳୁ ବୃକ୍ଷ ରୋପିଥିଲେ ଫଳେ ଭାଗୀ ହୋଇ ।

ବୃକ୍ଷ ନ ରୋପିଣ ଭକ୍ତେ ବସିଛ କିପାଇଁ ? ।୭୯।

ଗୀତେ କହେ ଅଭିରାମ କୋଇଲି ତୁ ଶୁଣ ।

ବେଳ ଆଉ ବେଶି ନାହିଁ ତିନି ଦିନ ଜାଣ ।୮୦।

•••

 

ଅନନ୍ତ କୋଇଲି–ପ୍ରାରବ୍‌ଧ ସ୍ତବ

 

ଜୟ ଶାନ୍ତ ଘର !

ଆନନ୍ଦ ଆଶ୍ରମେ ବିଜେ ନଟବର । ଘୋଷା ।

ଶୂନ୍ୟ ମଠକୁ ଶୂନ୍ୟ ପୂଜାରୀ,

ଶୂନ୍ୟରେ ଶୂନ୍ୟରେ ପଡେ ହୁରି ।

ଶୂନ୍ୟ ଠାକୁରେ ରହିଛନ୍ତି,

ଶୂନ୍ୟ ଶୂନ୍ୟ ସବୁ ଶୂନ୍ୟ ପୁର ।୧।

ଶୂନ୍ୟରେ ଲାଗିଛି ଶୂନ୍ୟ ଖେଳ,

ଶୂନ୍ୟରେ ଭକତ ହ୍ଵନ୍ତି ମେଳ ।

ଶୂନ୍ୟରେ ଶୂନ୍ୟରେ ରାହାସ ଲାଗିଛି,

ଶୂନ୍ୟଦେହୀ ଭକ୍ତଭାବେ ଭୋଳ ।୨।

କରମଳାଶ୍ରମ ଶୂନ୍ୟ ଜାଣ,

ତେଣୁ ଗୃହାରିଆ ପଣ ପଣ ।

ଶୂନ୍ୟରୁ ନେଇ ନିରାମୟ ହ୍ଵନ୍ତି,

କମ୍ପି ଯିବ ଦିନେ ସଂସାଗର ।୩।

ଶୂନ୍ୟରୁ ଆସୁଛି ଅର୍ଥମାନ,

ଶୂନ୍ୟରେ ହୁଏ ଘର ନିର୍ମାଣ ।

 

 

ଶୂନ୍ୟ ଅଭିରାମ ରହି ଡାକୁଅଛି,

ଶଦ୍ଦ ଯୁଭୁଅଛି ତିଦିପୁର ।୪।

•••

 

ପ୍ରଥମ ଅନନ୍ତ କୋଇଲି

 

କୋଇଲି ଲୋ, କହିବୁ ମୋ ଅନନ୍ତଙ୍କୁ ଯାଇ ।

କାହିଁପାଇଁ ତାଙ୍କର ମୁଁ ଅନ୍ତ ପାଉ ନାହିଁ ଲୋ ।୧।

କୋଇଲି ଲୋ, ଖାଉଛନ୍ତି ଯେ ବିଷୟା ମଦ ।

କ୍ଷମାନିଧି ତାଙ୍କ (ସିନା) ଶୋଇଥାନ୍ତି ନିଦ ଲୋ ।୨।

କୋଇଲି ଲୋ, ଗର୍ବାଭିମାନ ଯାହାର ନାହିଁ ।

ଗୋବିନ୍ଦ କି ପାଇଁ ତାଙ୍କ ପାଇ ଥାନ୍ତି ଶୋଇଲୋ ।୩।

କୋଇଲି ଲୋ, ଘନଶ୍ୟାମ ଘରେ ମୋର ଛନ୍ତି ।

ଘରସ୍ଵାମୀ ପରପରି ମତେ ଦେଖୁଛନ୍ତି ଲୋ ।୪।

କୋଇଲି ଲୋ, ଊଣା ହେଲା ଅଧିକ ହୋଇଥିଲା ।

ଉପଇନ୍ଦ୍ରଙ୍କର ଏଣୁ ସୁଦୟା ନୋହିଲା ଲୋ ।୫।

କୋଇଲି ଲୋ, ଚେତାଇ କହିବି କେତେ ମୁହିଁ ।

ଚିନ୍ତାମଣିଙ୍କି କେଉଁ କଥା ଜଣା ନାହିଁ ଲୋ ? ।୬।

କୋଇଲି ଲୋ, ଛାଡ଼ି ସବୁ ଅଶା ଛନ୍ଦାପାଦେ ।

ଛପନ ପଣକୁ ବନ୍ଧା ଦେଇଛି ଆନନ୍ଦେ ଲୋ ।୭।

କୋଇଲି ଲୋ, ଜଗନ୍ନାଥ ଯାହା କଲେ କଲେ ।

ଜନାର୍ଦ୍ଦନ ଚକାଡୋଳା ଲେଉଟାଇ ଦେଲେ ଲୋ ।୮।

 

 

କୋଇଲି ଲୋ, ଝରୁଅଛି କୁରରୀ ପରାୟେ ।

ଝରସୁତ ଯେଉଁପରି ଅର୍ଣ୍ଣବକୁ ଯାଏ ଲୋ ।୯।

କୋଇଲି ଲୋ, ନିୟମ କରିବି ନାହିଁ କେବେ ।

ନିଆଁ ଗିଳାକୁ ବିଶ୍ଵାସ କିଏ ସେ କରିବେ ଲୋ ।୧୦।

କୋଇଲି ଲୋ, ଟେକି ଟାକି କହିବି କାହିଁକି ?

ଟେରା ଭିତରେ ଏକଲା (ତାର) ସୁଖ ହୁଅଇ କିଲୋ ? ।୧୧।

କୋଇଲି ଲୋ, ଠାରି କହେ ଅଭିରାମ ବାଇ ।

ଠାକୁରେ ନିଶ୍ଟୟ ମୋତେ କରିବେ ସେ ତ୍ରାହି ଲୋ ।୧୨।

କୋଇଲି ଲୋ, ଡର ନାହିଁ କାହ କୁ ମୋହର ।

ଡ଼ରାଏ ମରାଏ ଏକା ମୋ ହୃଦୟହାର ଲୋ ।୧୩।

କୋଇଲି ଲୋ, ଢ଼ଳି ନାଚୁଥିଲେ ମୋର ଆଗେ ।

ଢ଼ାଙ୍କୁଣି ପକାଇ କିପଁ। ଶୋଇଲେ ସରାଗେ ଲୋ ।୧୪।

କୋଇଲି ଲୋ, ଅଣହେଳା କରିବାରୁ ମୁହିଁ ।

ଅଣବାବୁଆ ଶୋଇଲେ ମୋତେ ରୁଷା ଦେଇ ଲୋ ।୧୫।

କୋଇଲି ଲୋ, ତିଆରି କହିବୁ ପାଦେ ପଡ଼ି ।

ତାଙ୍କ ଶସ୍ୟ ନାଶ ହେଲା ହେଇ ମହା ବଢ଼ି ଲୋ ।୧୬।

କୋଇଲି ଲୋ, ଥିଇରି କହିବ ପାଦେ ପଡି ।

ସ୍ଥୂଳ ଅମ୍ଵୂଳ ପୟର ବେନି କର ଯୋଡ଼ି ଲୋ ।୧୭।

କୋଇଲି ଲୋ, ଦୋଷୀ ଯଦି ହେବ ତା ଭକତ ।

ଦତ୍ତାହାରୀ କି ପାଇଁ ନୋହିବେ ମୋ ନାଥ ଲୋ ।୧୮।

କୋଇଲି ଲୋ, ଧଇର୍ଯ୍ୟ ଚ୍ୟୁତ ହୋଇଲା ମୋର ।

ଧନମଣି କାହାକୁ ଧରି ଘର ଲୋ ।୧୯।

କୋଇଲି ଲୋ, ନିଦ୍ରା ସ୍ଵପ୍ନ ସୁଷୁପ୍ତି ଜାଗ୍ରତ ।

ନିୟମ କରୁଛି ସବୁକାଳେ ମୁହିଁ ଭୃତ୍ୟ ଲୋ ।୨୦।

କୋଇଲି ଲୋ, ପରମ ପୁରୁଷ ମୁଁ ତା ଜୀବ ।

ପତି ହୋଇ ପତ୍ରୀଙ୍କି ସେ କପା ପାସୋରିବ ଲୋ ।୨୧।

କୋଇଲି ଲୋ, ଫଳାକାଙ୍ କ୍ଷା ମୋର ଯଦି ଥିବ ।

ଫିଟାଇ କହୁଛି ଭୋକ୍ତା ନିଶ୍ଚୟ ସେ ହେବ ଲୋ ।୨୨।

କୋଇଲି ଲୋ, ବାଲ୍ୟକାଳୁ ହେଲାବିଭା ।

ବୁଢ଼ୀ ବେଳକୁ କି ସ୍ଵାମୀ କରନ୍ତି ଅନ୍ତର ଲୋ ।୨୩।

କୋଇଲି ଲୋ, ଭକ୍ତ ପ୍ରେମ ନ ଥିବାରୁ ମୋର ।

ଭାଷେ ଅଭିରାମ ତେଣୁ ସ୍ଵାମୀ କଲେ ପର ଲୋ ।୨୪।

କୋଇଲି ଲୋ ,ମିତ୍ର ବନ୍ଧୁ ପତି ପୁତ୍ର ସେହି ।

ମାୟା ଶକ୍ତିଙ୍କି ପଠାନ୍ତି କି ଉଦ୍ଧେଶ୍ୟ ପାଇଁ ଲୋ ।୨୫।

କୋଇଲି ଲୋ, ଜୀବଧନ ପାଶକୁ ତୁ ଯିବୁ ।

ଜଗନନ୍ନାଥଙ୍କୁ ମୋର ଏ ନିବେଦନ ଦେବୁ ଲୋ ।୨୬।

କୋଇଲି ଲୋ, ରବି ଶଶୀ ମଧ୍ୟେ ଅଛି ବାଟ ।

ରସିଣ ମୃଣାଳ ସୂତ୍ର ଫେଡ଼ିବୁ କବାଟ ଲୋ ।୨୭।

କୋଇଲି ଲୋ, ଲକ୍ଷ୍ୟ ରଖି ନୟନରେ କର୍ଣ୍ଣରେ ।

ନାସାକୁ ଟାଣି ଧରିବୁ ନାହିଁ ଗଲାବେଳେ ଲୋ ।୨୮।

କୋଇଲି ଲୋ, ବସିକରି ଠିଆ ତୁ ହୋଇବୁ ।

ବାର ବର୍ଷ ଯୁବତୀର ବାମାଙ୍ଗରେ ଯିବୁ ଲୋ ।୨୯।

କୋଇଲି ଲୋ, ଶିବ ଚତ୍ରବାଡ଼ରେ ଦର୍ଶନ ।

ସଭକ୍ତିରେ ଗଲେ ନିଶ୍ଟେ ହେବେ ସୁପ୍ରସନ୍ନ ଲୋ ।୩୦।

କୋଇଲି ଲୋ, ସାତ କୁମ୍ଭ ଜଣି ଦିଶେ ପୁର ।

ସେ ପୁରେ ବିଜୟ ମୋର ହୃଦୟର ହାର ଲୋ ।୩୧।

କୋଇଲି ଲୋ, ଶ୍ୟାମ ରୂପ ଯଦି ତୁ ଦେଖିବୁ ।

ଶ୍ୟାମା ନିଶ୍ଚେ ଶ୍ୟାମ, କିଛି ଭୟ ନ କରିବୁ ଲୋ ।୩୨।

କୋଇଲି ଲୋ, ହରି ଗୁଣ ଫେଡ଼ା ମଶା କରି

ହର୍ଷେ ନିବେଦନ ଦେବୁ କରରେ ତାଙ୍କର ଲୋ ।୩୩।

କୋଇଲି ଲୋ, କ୍ଷମାନିଧି କ୍ଷମା ତୋତେ ଦେବେ ।

କ୍ଷମେ ଅଭିରାମ ଇଚ୍ଛା ପୂର୍ଣ୍ଣ ସେ କରିବେ ଲୋ ।୩୪।

•••

 

ଦ୍ଵିତୀୟ ଅନନ୍ତ କୋଇଲି

 

କୋଇଲି ଲୋ, କାହିଁପାଇଁ ଛନ ଛନ ଏତେ ।

ମୋ ହୃଦ-କୁମୁଦ-ବନ୍ଧୁ ଦେଖିଲୁ କି ସତେ ଲୋ ।୧।

କୋଇଲି ଲୋ, ଖାଇଛୁ ବା ମାଦନ ନିଶା କି ।

ତେଣୁ ଅଙ୍ଗ ପ୍ରତ୍ୟଙ୍ଗ ତୋ ଉଠୁଛି ପୁଲକି ଲୋ ।୨।

କୋଇଲି ଲୋ, ଗଙ୍ଗାସ୍ରୋତ ପରି ପ୍ରେମନୀର ।

ଗଳି ପଡ଼ୁଅଛି କେଡେ ସୌଭାଗ୍ୟ ତୋହର ଲୋ ।୩।

କୋଇଲି ଲୋ, ଘୋଣ ଦ୍ଵାରେ ଖେଳୁଛନ୍ତି ମୋର ।

ଘୃଣା କରନ୍ତି କି ଦେଖି କରମ ମୋହର ଲୋ ? ।୪।

କୋଇଲି ଲୋ, ଉତପ୍ଲୁତ ହୋଇ ଖେଳୁଛନ୍ତି ।

ଉରୁପଣ ଥିବାରୁ ମୋ ସ୍ଵାମୀ ଭୁଲିଯାନ୍ତି ଲୋ ।୫।

କୋଇଲି ଲୋ, ଚାରି ଯୋଗ କାହୁଁ ପାଇବି କି ?

ଚିନ୍ତାମଣି ମାୟା ଦେଖି ପଡ଼ୁଛି ଚମକି ଲୋ ।୬।

କୋଇଲି ଲୋ, ଛଦ୍ମ କଲେ ବୋଲି ଭାବେ ମନ ।

ଛି ଛି ମନ କାହିଁପାଇଁ ଭାବୁଛି ଏମାନ ଲୋ ।୭।

କୋଇଲି ଲୋ, ଜଗନନ୍ନାଥ (ମୋର) କପଟୀ ନୁହନ୍ତି ।

ଯେ ଯାହା କର୍ମାନୁସାରେ ଫଳ ଯାଚି ଦ୍ୟନ୍ତି ଲୋ ।୮।

 

 

କୋଇଲି ଲୋ, ଝୁଲା ଧରି ବୁଲୁଛି ତା ପାଇଁ ।

ଝାଡ଼ୁ ବିନୋଦିଆ ଝୁରୁଛନ୍ତି କାହାପାଇଁ ଲୋ ? ।୯।

କୋଇଲି ସୋ, ନିତ୍ୟାନନ୍ଦ ସିନା ତାଙ୍କ ଲାଗି ।

ନିଆଁ ପଦାର୍ଥରେ କପାଁ ହେବି ମୁଁ ସରାଗୀ ଲୋ ।୧୦।

କୋଇଲି ଲୋ, ଟପ ଟପ ମାଳି ଗଡ଼ୁ ଅଛି ।

ଟିପ ଦରଜ ହୋଇଲା ନ ଦିଶଇ କିଛି ଲୋ ।୧୧।

କୋଇଲି ଲୋ, ଠଣ ସୁନ୍ଦରଙ୍କୁ ତୁ କହିବୁ ।

ଠାକୁରେ ଅଟନ୍ତି ଅଭିରାମର ସୁତ ଲୋ ।୧୨।

କୋଇଵି ଲୋ, ଡ଼ରିବୁ ନାହିଁ ତୁ ଶ୍ରୀକୃଷ୍ଣଙ୍କୁ ।

ଡ଼ିଣ୍ତିମି ବଜାନ୍ତୁ ଉଦ୍ଧାରଣ ପତିତଙ୍କୁ ଲୋ ।୧୩।

କୋଇଲି ଲୋ, ଢ଼େଲା ମାଡ଼େ ଖୁଣି କଲେ ହରି ।

ତିନିଶ ଛବିଶି ଦଫା ହୋଇଥିଲା ଜାରି ଲୋ ।୧୪।

କୋଇଲି ଲୋ, ଅଣବାବୁଆ ଇଜ୍ଜତ ଦାବୀ ।

ତିନିଶ ଛସ୍ତୋରି ଦଫାରେ ଗୋପିଙ୍କ ଦାବୀ ଲୋ ।୧୫।

କୋଇଲି ଲୋ, ତାଙ୍କ ମାତା ଆଗେ ମିଛ କହି ।

ପାଞ୍ଚଶ ଚାରି ଦଫାରେ ଥିଲେ ବନ୍ଦୀ ହୋଇ ଲୋ ।୧୬।

କୋଇଲେ ଲୋ, ଅଟା କଲେ ଗୃହେଵ ପଶି ।

ତିନିଶ ଚୌଷଠି ଦଫାରେ ସେ ଦେଲେ ଦୋଷୀ ଲୋ ।୧୭।

କୋଇଲି ଲୋ, ଦଇତୁଣୀ ପୂତନା ମାଇଲେ ।

ତିନିଶ ଦୁଇ ଦଫାରେ ରାଧା ବନ୍ଦୀ କଲେ ଲୋ ।୧୮।

କୋଇଲି ଲୋ, ଧନୀ ଆଦି ଚୋରି କଲେ ।

ତିନିଶ ଅଣାଅଶୀ ଦଫାରେ ବନ୍ଦୀ ହେଲେ ଲୋ ।୧୯।

କୋଇଲି ଲୋ, ନିଆଁ ଗିଳା ଗୋରସ ଚୋରିରେ ।

ତିନିଶ ଛଷଠି ଦଫା ହେଲା ବିଚାରରେ ଲୋ ।୨୦।

କୋଇଲି ଲୋ, ପୀତବାସଙ୍କୁ ତୁ ପଚାରିବୁ ।

ପୀରତି ବାନ୍ଧବ ଜାଣିଛନ୍ତି ଏଥି ପୂର୍ବୁ ଲୋ ।୨୧।

କୋଇଲି ଲୋ, ଫିଟାଇ କହିବୁ ତୁ ଆନନ୍ଦେ ।

ଏତେ ଦଫାରେ ବନ୍ଦୀ (ମୁଁ) ଶରଣ ତା ପାଦେ ଲୋ ।୨୨।

କୋଅଲି ଲୋ, ବାଇ ମୋତେ ବୋଲନ୍ତି ଜଗତ ।

ବାଇଆ ବୋଲି ଡାକନ୍ତୁ ଥରେ ହୃଦନାଥ ଲୋ ।୨୩।

କୋଇଲି ଲୋ, ଭଲ କରୁ କରୁ ହେଲେ ମନ୍ଦ ।

ଭାଷେ ଅଭିରାମ ତେବେ ନ ରଖନ୍ତୁ ଗନ୍ଧ ଲୋ ।୨୪।

କୋଇଲି ଲୋ, ମାୟା–ଶକ୍ତି ଭକ୍ତି–ଶକ୍ତି ଦୁଇ ।

ମାୟାଧର ଦୁଇ ପ୍ରିୟା ଧରନ୍ତି କିପାଇଁ ଲୋ ।୨୫।

କୋଇଲି ଲୋ, ଜଗତ ମାୟାଶକ୍ତି ଅବୃତ ।

ଜଗନ୍ନାଥ ପେଷିଛନ୍ତି ଖେଳର ନିମିତ୍ତ ଲୋ ।୨୬।

କୋଇଲି ଲୋ, ରବି ଶଶି ଦ୍ଵାର ବ୍ରହ୍ମା ଆଦି ।

ରସି ତା ମାୟା ଶକ୍ତିରେ ସର୍ବେ ଛନ୍ତି ବନ୍ଦୀ ଲୋ ।୨୭।

କୋଇଲି ଲୋ, ଲକ୍ଷ୍ମୀପତି କି ନ କରନ୍ତି କି ?

ଲିତାଏ ଭକ୍ତିଶକ୍ତିକି ନ ଦିଅନ୍ତି ଡାକି ଲୋ ।୨୮।

କୋଇଲି ଲୋ, ବୃନ୍ଦାବନଚନ୍ଦ୍ରଙ୍କୁ ମଙ୍ଗଳ ।

ବସି କରୁଅଛି ଅନ୍ୟେ ନାହିଁ ମୋ ସମ୍ଵଳ ଲୋ ।୨୯।

କୋଇଲି ଲୋ, ଶତପତ୍ର ସୂତ୍ରେ ଉଡ଼ିଯିବୁ ।

ସମ୍ଵଳ ନଗ୍ରରେ ଯାଇ ଠାବ ତୁ କରିବୁ ଲୋ ।୩୦।

କୋଇଲି ଲୋ, ସୁମତି କୋଳରେ ଥିବେ ବସି ।

ସେତେବେଳେ ନିବେଦନ ଦେବୁ ହୋଇ ଖୁସି ଲୋ ।୩୧।

କୋଇଲି ଲୋ, ସନ୍ତୋଷରେ ନେବେ ନିବେଦନ ।

ମରି କରି ଜୀଇଲେ ତୁ ବୋଲାଇବୁ ଧନ୍ୟ ଲୋ ।୩୨।

କୋଇଲି ଲୋ, ହୃଦପଦକଙ୍କୁ ଦେବୁ ହାର ।

ହରି ଗୁଣ ଫେଡ଼ା ମିଶା କରିବୁ ଯତ୍ନର ଲୋ ।୩୩।

କୋଇଲି ଲୋ, କ୍ଷମ ଅପରାଧ ବୋଲି କହି ।

କ୍ଷମା ଭିକ୍ଷା ମାଗିବୁ ତୁ ଅଭିରାମ ପାଇଁ ଲୋ ।୩୪।

•••

 

ତୃତୀୟ ଅନନ୍ତ କୋଇଲି

 

କୋଇଲି ଲୋ, କହିବୁ ମୋ ଭକତଙ୍କୁ ଯାଇ ।

କମଳ-ନୟନ ସର୍ବ ଘଟେ ଛନ୍ତି ରହି ଲୋ ।୧।

କୋଇଲି ଲୋ, କ୍ଷୀଣ ହେଲା ଦିନୁ ଦିନୁ କାୟ ।

ବିଷୟା ନେତ୍ରକୁ ଦୁର ହେଲେ ଦୟାମୟ ଲୋ ।୨।

କୋଇଲି ଲୋ, ଗୁପ୍ତେ ରହିଛନ୍ତି ଭାବଗ୍ରାହୀ ।

ଗତ କଥା ଶୋଚନା ନ କରି ଧର ଯାଇ ଲୋ ।୩।

କୋଇଲି ଲୋ, ଘୋଟିଗଲା କଳି ଆସି ।

ଘରକୁ ନ ଚିହ୍ନି ଘରେ କିପାଁ ଅଛ ରସି ଲୋ ।୪।

କୋଇଲି ଲୋ, ଉଚିତ କର୍ମଟି ଯେ ଆମ୍ଭର ।

ଉପଇନ୍ଦ୍ର ବିନା ସବୁ ସଂସାର ଅନ୍ଧାର ଲୋ ।୫।

କୋଇଲି ଲୋ, ତିତ୍ତ –ଚୋରାଙ୍କୁ ଚିହ୍ନିଣ ଧର ।

ଚାତୁରୀ କହିବା ବୋଲିବାକୁ ପରିହାର ଲୋ ।୬।

କୋଇଲି ଲୋ, ଛନ୍ଦ କପଟକୁ ତେଜ ମନୁ ।

ଷଡଚକ୍ର ପରେ ଉଇଁଛନ୍ତି କଳାକାହ୍ନୁ ଲୋ ।୭।

କୋଇଲି ଲୋ, ଜୀବକୁ ଭୁଞ୍ଜଇ ଭୁଞ୍ଜୁଛନ୍ତି ।

ଜୀବର ଜୀବନ ଜୀବ ଅଙ୍ଗେ ରହିଛନ୍ତି ଲୋ ।୮।

 

 

କୋଇଲି ଲୋ, ଝଗଡ଼ାରେ ଜୀବ ଶାନ୍ତି ନାହିଁ ।

ଝୁରୁଥାଅ ଅହିର୍ନିଶି କାଳିଆର ପାଇଁ ଲୋ ।୯।

କୋଇଲି ଲୋ, ନେତ୍ରରୁ ତୁ ମଳି କାଢ଼ି ଅନା ।

ନାରାୟଣ ନାମେ ଦେଖ ଉଡ଼ୁଅଛି ବାନା ଲୋ ।୧୦।

କୋଇଲି ଲୋ, ଟସ୍କରଙ୍କୁ ଗୃହୁ କାଢ଼ି ଦିଅ ।

ଟଳ ଟଳିଆ ନେତ୍ରକୁ ନ କରଣ ଚାହଁ ଲୋ ।୧୧।

କୋଇଲି ଲୋ, ଠାରି ଅଭିରାମ ବାଇ ।

ଠାକୁରଙ୍କୁ ଦେଖ ନେତ୍ର ଭ୍ରୂଭଙ୍ଗୀରେ ଥୋଇ ଲୋ ।୧୨।

କୋଇଲି ଲୋ, ଡର ଡର ନୁହ ପ୍ରଭୁ ଅର୍ଥେ ।

ଡୂବ କୃପାସାଗରରେ ଲଭିବା ପର୍ଯ୍ୟନ୍ତେ ଲୋ ।୧୩।

କୋଇଲି ଲୋ, ଢ଼ୀଙ୍କୁଣି ପଡ଼ିଅଛି ନେତ୍ରରେ ।

ଢ଼ଳୁଛନ୍ତି ପୂର୍ଣ୍ଣାନନ୍ଦ ଭକତି ସୂତ୍ରରେ ଲୋ ।୧୪।

କୋଇଲି ଲୋ, ଅଣାକ୍ଷରେ ଶୋଭା ପାଉଛନ୍ତି ।

ଅଣାକ୍ଷର ଅକ୍ଷରରେ ମିଶି ନ ମିଶନ୍ତି ଲୋ ।୧୫।

କୋଇଲି ଲୋ, ତିଆରି କହ ଭକ୍ତଙ୍କୁ ଯାଇ ।

ତରତରିଆ ମନରେ ତନ୍ମୟ ତ ନାହିଁ ଲୋ ।୧୬।

କୋଇଲି ଲୋ, ଥାନୀମାନେ ହେଲେଣି ଅଥାନୀ ।

ଅଥାନୀମାନେ କେବଳ ହୋଇଛନ୍ତି ଥାନୀ ଲୋ ।୧୭।

କୋଇଲି ଲୋ, ଦୟା ଶାନ୍ତ ହେଲା ବିପରୀତ ।

ଦିଅଁ ତେଣୁ ଅନ୍ତର୍ଦ୍ଧାନ ହେଲେ କାଷ୍ଠବତ ଲୋ ।୧୮।

କୋଇଲି ଲୋ, ଧର୍ମ ଏକ ବହୁଧର୍ମ ନାହିଁ ।

ଧ୍ରୁବ କହିଲି କୋଇଲି ଭକ୍ତେ କହ ଯାଇ ଲୋ ।୧୯।

କୋଇଲି ଲୋ, ନାରାୟଣ ହେଲେଣି ପ୍ରକାଶ ।

ନର ଦେହେ ଗୋପ୍ୟ ହୋଇଛନ୍ତି ହୃଷୀକେଶ ଲୋ ।୨୦।

କୋଇଲି ଲୋ, ପହରୀ ଯେମାନେ ଥାନ୍ତି ଦେଇ ।

ପଦ୍ମନୟନଙ୍କୁ ମାତ୍ର ହେଖିଥାନ୍ତି ସେହି ଲୋ ।୨୧।

କୋଇଲି ଲୋ, ଫଳ ଆକାଙ୍ କ୍ଷାକୁ ନ କରିବା ।

ପ୍ରଭୁ ପ୍ରୀତି ଅର୍ଥେ ସର୍ବ କର୍ମଫଳ ଦେବା ଲୋ ।୨୨।

କୋଇଲି ଲୋ, ବାର ବାର ଯାଉଛନ୍ତି ବହି ।

ବାହାରୁ ଆଣି ଭିତରେ ଧରିବା କୁଣ୍ତାଇ ଲୋ ।୨୩।

କୋଇଲି ଲୋ, ଭ୍ରୂଭଙ୍ଗୀ ସୂତ୍ରରେ ଦରଶନ ।

ଭଣେ ଅଭିରାମ ତହିଁ ଜୀବର ଜୀବନ ଲୋ ।୨୪।

କୋଇଲି ଲୋ, ମନ୍ଦ କଳି ସବୁ ନାଶ କଲା ।

ମନକୁ ନେଇଣ ସଦା ପାଞ୍ଚରେ ରଖିଲା ଲୋ ।୨୫।

କୋଇଲି ଲୋ, ଜାଗ୍ରତରେ ସର୍ବେ ଥାଅ ରହି ।

ଜୀବନର ପରମାନନ୍ଦ ବିନା ଶାନ୍ତ ନାହିଁ ଲୋ ।୨୬।

କୋଇଲି ଲୋ, ରସ ରସିକରାଜ ପୟରେ ।

ରମାରମଣଙ୍କୁ ଦେଖ ପ୍ରେମ ଭକ୍ତି ଦ୍ଵାରେ ଲୋ ।୨୭।

କୋଇଲି ଲୋ, ଲାଭ ମାତ୍ର ସଂସାରେ ଏତିକି ।

ଲଭିବାକୁ ଇଚ୍ଛାକର ପଙ୍କଜଆଖିଙ୍କି ଲୋ ।୨୮।

କୋଇଲି ଲୋ, ବଣ କାଟ ଜ୍ଞାନ କୁଠାରରେ ।

ବସିଣ କଳିକି ଦଳ ସ୍ଵରାଜ୍ୟ ସୂତ୍ରରେ ଲୋ ।୨୯।

କୋଇଲି ଲୋ, ଶୁଣ ସର୍ବ ଭକତ ସମୂହ ।

ଶୀଘ୍ରେ କର୍ମଫଳ ନେଇ ଈଶ୍ଵରଙ୍କୁ ଦିଅ ଲୋ ।୩୦।

କୋଇଲି ଲୋ, ସାଧୁ ସଙ୍ଗ ଶାନ୍ତିର କାରଣ ।

ସହଜ ସୂତ୍ରେ ମିଳନ୍ତି ସତ୍ୟନାରାୟଣ ଲୋ ।୩୧।

କୋଇଲି ଲୋ, ସୂର୍ଯ୍ୟ ଆସି ଉଦେ ହୋଇଲେଣି ।

ସୁର ଉଦୟେ ଶୟନ ଶୋକ ବୋଲି ଜାଣି ଲୋ ।୩୨।

କୋଇଲି ଲୋ, ହିଂସା ଅସତ୍ୟକୁ ବିପରୀତ ।

ହରଷରେ କର ବସି ହରିଙ୍କ ଭକତି ଲୋ ।୩୩।

କୋଇଲି ଲୋ, କ୍ଷଦି କହେ ଅଭିରାମ ବାଇ ।

କ୍ଷମାନିଧି ଜୀବ ଅଙ୍ଗେ ଯାଉଛନ୍ତି ରହି ଲୋ ।୩୪।

•••

 

ଚତୁର୍ଥ ଅନନ୍ତ କୋଇଲି

 

କୋଇଲି ଲୋ, କହିବୁ ମୋ ଭକତଙ୍କୁ ଯାଇ ।

କାମ, ତ୍ରୋଧ, ଲୋଭେ ପଡ଼ିଛନ୍ତି କାହିଁପାଇଁ ଲୋ ।୧।

କୋଇଲି ଲୋ, ଖାଲି ହେଲା ଘରର ପଦାର୍ଥ ।

କ୍ଷମାନିଧି ପାଦପଦ୍ମ ଅଟେ ଏକା ସାର୍ଥ ଲୋ ।୨।

କୋଇଲି ଲୋ, ଗତ କଥା ଶୋଚନା ନ କର ।

ଗରବ-ଗଞ୍ଜନ-ପାଦ ନିଷ୍କପଟେ ଧର ଲୋ ।୩।

କୋଇଲି ଲୋ, ଘରେ ଘରେ କହ ତୁହି ।

ଘୋଷ ଏକାକ୍ଷର ଚିହ୍ନି ବେଳ ଆଉ ନାହିଁ ଲୋ ।୪।

କୋଇଲି ଲୋ, ଉତପାତ ପହଞ୍ଚିବ ଆସି ।

ଉଆଁସ ନିଶିରେ ଉଇଁଥାନ୍ତୁ ପୂର୍ଣ୍ଣଶଶୀ ଲୋ ।୫।

କୋଇଲି ଲୋ ,ଚତୁର ବୁଦ୍ଧିକ ଥୟ କରି ।

ଚାଷ କରିଥାଅ ଜ୍ଞାନ ଲଙ୍ଗଳକୁ ଧରି ଲୋ ।୬।

କୋଇଲି ଲୋ, ଷଡ଼ଚକ୍ର ପରେ ଦୃଷ୍ଟି ଦିଅ ।

ଛତ୍ରୀ ବୀରବର ବାନା ଅଛିଦ୍ରେ ଉଡାଅ ଲୋ ।୭।

କୋଇଲି ଲୋ, ଜୀବ ପରା ଡାକୁଛି ପରମ ।

ଜାଣି ଗୁରୁ ସେବାକର ବୁଝ ଏ କରମ ଲୋ ।୮।

 

 

କୋଇଲି ଲୋ, ଝିମିଟି ଖେଳ ତ ଲାଗିଅଛି ।

ଅଠର ଦିନକୁ ପରା ଓଳିଏ ରହିଛି ଲୋ ।୯।

କୋଇଲି ଲୋ, ନିତ୍ୟାନନ୍ଦେ ଚଇତନ୍ୟ କର,

ଅଦ୍ଵଇତ ଗୋସାଇଁଙ୍କି ଅବଧୂତେ ଧର ଲୋ ।୧୦।

କୋଇଲି ଲୋ, ଟାକି ରହି ଗୁରୁଚରଣଙ୍କୁ ।

ମନ ଭେଦୀ ଧରିଥାଅ କଳି ଭାରତକୁ ଲୋ ।୧୧।

କୋଇଲି ଲୋ, ଠକ କଥା ଠିକେ ନାଶ ହେବ ।

ଠକ ଅଭିରାମ ପରା ଶ୍ରିଣୀ ଖାଉଥିବ ଲୋ ।୧୨।

କୋଇଲି ଲୋ, ଡାକ ପଡୁଥିବ ଅଭିରାମ ।

ଡାକୁଅଛି ଓଁ କାରରେ ରାଆକୁ ଧରଣ ଲୋ ।୧୩।

କୋଇଲି ଲୋ, ଢ଼ଗ ଢ଼ମାଳିଆ ନ ରହିବେ ।

ଢାଉ ରଙ୍ଗପରି ସିନା ଧୋଇଦେଲେ ଯିବେ ଲୋ ।୧୪।

କୋଇଲି ଲୋ, ଅଣାକ୍ଷର ଯେହୁ ଚିହ୍ନ ଥିବେ ।

ଅଭିରାମ କହେ ସେହୁ ବିହନ ହୋଇବେ ଲୋ ।୧୫।

କୋଇଲି ଲୋ, ତିଆରି କହ ତୁ ଘରେ ଘରେ ।

ଢାଳ ମୃଦଙ୍ଗକୁ ଧରି ବଜାନ୍ତୁ ସତ୍ଵରେ ଲୋ ।୧୬।

କୋଇଲି ଲୋ, ଥରହର କମ୍ପଛି ମେଦିନୀ ।

ତାଳ ମୃଦଙ୍ଗକୁ ଧର ହୋଇ ସୌଭାଗିନୀ ଲୋ ।୧୭।

କୋଇଲି ଲୋ, ଦାସ ଯଦି ହୋଇବ କୃଷ୍ଣରେ ।

ଦ୍ଵାଦଶକୁ ଧର ତେବେ ଲୟାଙ୍ଗ ଦୃଷ୍ଟିରେ ଲୋ ।୧୮।

କୋଇଲି ଲୋ, ଧନ୍ୟ କଳି ନାରୀଙ୍କି ତୁ କହ ।

ଧନ ଏକା ଧର୍ମସ୍ଵାମୀ ବୋଲି ମଣିଥାଅ ଲୋ ।୧୯।

କୋଇଲି ଲୋ, ନିରାଶ୍ରୟେ ଏକା ସ୍ଵାମୀ ସିନା ସାକ୍ଷ୍ୟ ଲୋ ।୨୦।

କୋଇଲି ଲୋ, ପତିବ୍ରତା ସ୍ତିରୀମାନେ ହୁଅ ।

ପରପୁଂସ ଠାରେ ମନ କଦାଚ ନ ଦିଅ ଲୋ ।୨୧।

କୋଇଲି ଲୋ, ଫଳ ଆକାଙ୍ କ୍ଷାକୁ ଦିଅ ଛାଡି ।

ଫକୀରଙ୍କୁ ରଖିବେ ସୁଦର୍ଶନ ଉହାଡି ଲୋ ।୨୨।

କୋଇଲି ଲୋ, ବେଳୁ ବାର ବିନ୍ଧିଥାଅ ଟାଣି ।

ବାତ, ପିତ୍ତ, କଫ ବେଳେ ନ ଥିବ ଭାଳେଣି ଲୋ ।୨୩।

କୋଇଲି ଲୋ, ଭକ୍ତିପଥେ ଥାଉ କଳଙ୍କ

ଭଣେ ଅଭିରାମ ଅଭିରାମ ନିଷ୍କଳଙ୍କ ଲୋ ।୨୪।

କୋଇଲି ଲୋ, ମୁଁ –କାର ବୋଲିବା ଅଟେ ତୁଚ୍ଛ

ମୁଁ-କାର ବୋଲିଣ ସିନା ବୋଲନ୍ତି ଶ୍ରୀ ବତ୍ସ ଲୋ ।୨୫।

କୋଇଲି ଲୋ, ଜଗତରେ କହ ବୁଲି ବୁଲି

ଜାଳନ୍ତୁ ଜ୍ଞାନ ଭାସ୍କର ଗୁରୁସେବା କରି ଲୋ ।୨୬।

କୋଇଲି ଲୋ, ରଙ୍ଗ ପସରାରେ କାର୍ଯ୍ୟ ନାହିଁ ।

ରଙ୍ଗାଚରଣକୁ ରସ ପରବଶ ନୋହିଲୋ ।୨୭।

କୋଇଲି ଲୋ, ଲକ୍ଷ୍ମୀପରି ଉଇଁଛନ୍ତି ଆସି

ଲବଣ ନଦୀ ପରାୟେ ଯାଉଛନ୍ତି ଭାସି ଲୋ ।୨୮।

 

 

କୋଇଲି ଲୋ, ବଣ କାଟ ଜ୍ଞାନ-ଖଡ୍ ଗ ଧରି

ବସିଣ କଳି ଛିଣ୍ତାଅ ଗ୍ରାମେ ଗ୍ରାମେ ମିଳି ଲୋ ।୨୯।

କୋଇଲି ଲୋ, ସ୍ଵରାଜ୍ୟରେ ଚିତ୍ତବୃତ୍ତ ଦିଅ

ସ୍ଵରାଜ୍ୟ ବୋଲିଣ ତୋତେ ତୁହି ଜାଣିଥାଅ ଲୋ ।୩୦।

କୋଇଲି ଲୋ, ସପ୍ତଦିନ ଅନ୍ଧାର ହୋଇବ

ସ୍ଵରାଜ୍ୟ ପଦାର୍ଥ ସେତେବେଳେ ଫିଟାହେବ ଲୋ ।୩୧।

କୋଇଲି ଲୋ, ସତ୍ୟ କଳି ପଡିଯିବେ ଭେଟ

ସତ୍ୟକୁ ଆଣିବେ ରାମ ଜଣିକର ଦୁଷ୍ଟ ଲୋ ।୩୨।

କୋଇଲି ଲୋ, ହରି ନାମ ହଂସରେ କହିବୁ

ହେଳା କଲେ ଭେଳା ବୁଡିଯିବ ଚେତାଇବୁ ଲୋ ।୩୩।

କୋଇଲି ଲୋ, ଖେଳ ଆସି ହେଲାଣି ନିକଟ

କ୍ଷମେ ଅଭିରାମ ବସି ଏକାକ୍ଷର ରଟ ଲୋ ।୩୪।

•••

 

ଶଙ୍ଖଚିଲ ଦୂତ

ରାଗ–ରାମକେରୀ

 

ଝାମ୍ଫ ଦେଇ ଚିଲ ପକ୍ଷୀ ରେ! ଏକ୍ଷଣି ଉଡିଯାଅ ।

ଭକତମାନଙ୍କୁ ଗୃହରେ ଯାଇ ପ୍ରବେଶ ହୁଅ ।୧।

ମନ ସୁମନର ସୂତ୍ରରେ ଭକ୍ତଙ୍କୁ ତତ୍ତ୍ଵ କହି ।

ଯାମିନୀର ରବି ଉଦୟ କର, କହ ବଢ଼ାଇ ।୨।

ଯାମିନୀ ପରାୟେ ଘୋଟିଛି କାମ, ତ୍ରୋଧ, ମିଥ୍ୟାଦି ।

ବିଞ୍କାନ-ରବିକି ଧରଣ ତାଙ୍କୁ ଦିଅନ୍ତୁ ଛେଦି ।୩।

ଘନାଚ୍ଛନ୍ନେ ରବିଙ୍କ ଛବି ଦିଶୁ ଅଛଇ ମ୍ଲାନ ।

ବୃଥାରେ କପଁ।କ୍ଲାନ୍ତ ହୁଅ ଛାଡି ସୁଜ୍ଞାନ ଧନ ।୪।

ସତ୍ୟାନନ୍ଦ ଶାନ୍ତ୍ୟାନନ୍ଦରେ ଦୟା ଆନନ୍ଦ ଧର ।

କ୍ଷମାନନ୍ଦ ଚାରି ଧରିଣ ରହି ନିତ୍ୟାନନ୍ଦର ।୫।

ସୁନାକୁ ପାଇଲେ ପିତଳେ ଛାଏ କି ପ୍ରୟୋଜନ ?

ପରଶ ପଥର ମିଳିଲେ କିସ ହେବ କି ସ୍ଵର୍ଣ୍ଣ ? ।୬।

ଯହିଁ ଲଗାଇବ ପରଶ ତହିଁ ହୋଇବ ହେମ ।

ମାଟି, ସୁନା ପଥର ସିନା ତେବେ ହେବ ସମାନ ।୭।

ପରଶ ପଥର ସକଳ ଘଟେ ରହିଛି ପୁରି ।

ତେଣୁ ସିନା ତାହାରି ନାମ ହୋଇଅଛଇ ପୁରି ।୮।

ପୁରୁଷୋତ୍ତମ ଯୋଗରେ ନାମ ଶ୍ରୀପୁରୁଷୋତ୍ତମ ।

ଲୀଳା ଅଚଳ ଯୋଗେ ହୋଇଛି ନୀଳାଚଳ ନାମ ।୯।

ଜଗତ ଛପନ କୋଟିର ଯେଣୁ ହୋଇଲେ ନାଥ ।

ତେଣୁ ସିନା ତାହାଙ୍କ ନାମ ହୋଇଛି ଜଗନନ୍ନାଥ ।୧୦।

ଯେହି ଜଗନ୍ନାଥ ତାହାଙ୍କ ନାମ ଅଟେ ପରଶ ।

ଦୃଷ୍ଟି ଅଗ୍ରେ ରହିଅଠନ୍ତି ପ୍ରଭୁ ଲକ୍ଷ୍ମୀବିଳାସ ।୧୧।

ମଧୁପ ଗୁମ୍ଫାରେ ଖେଳିଣ ଯାନ୍ତି ଅମନପୁର ।

ଅଳି ଗୁମ୍ଫାରେ ଖେଳୁ ଖେଳୁ ଧର ପର୍ଶ ପଥର ।୧୨।

ଷଟ୍ ପଦ ବିମ୍ଵରେ ନ ଖୋଜି ନ ଭଜି ଚାହିଁଥାଅ ।

କୋଳରେ ଡେଇଁଣ ପଡିବେ ପ୍ରଭୁ ଦେବାଧିରାୟ ।୧୩।

ଏକବଂଶ ସସ୍ର ଷଟଶ’ ସୂତ୍ର ତାହାଙ୍କୁ ଧର ।

ସେହି ମନ ସିନା ହୋଇଣ ଅଛି ପଶ ପଥର ।୧୪।

ମନ ଚୈତନ୍ୟରେ ରହିଲେ ନିତ୍ୟାନନ୍ଦ ହୋଇବ ।

ସଦା ପୂର୍ଣ୍ଣାନନ୍ଦ ପ୍ରେମରେ ସେହି ଭାସିଣ ଯିବ ।୧୫।

ନିଷ୍କାମ ଭକ୍ତଙ୍କୁ କହିବୁ ତୁ ଶଙ୍କଚିଲ ପକ୍ଷୀ ।

ତ୍ରୋଧୀ କପଟୀ କୁଟିଳକୁ ତୁ କହିବୁ କାହିଁକି ।୧୬।

ବୟାଳିଶିକୁ ଯେ ଡରଣ ନିଅନ୍ତି ଉପଦେଶ ।

ତାକୁ କହିଲେ କିସ ହେବ ? ସିଏ ତ ବୟାଳିଶ ।୧୭।

ଯେତେବେଳେ ଯାହା ଘଟିବ ତାହା ଆନ ହେବ କି ?

ପେଟରାରେ ଛାର ପଶି ରହିଲେ ଯମ ଛାଡିଦେବ କି ? ।୧୮।

ମରଣ ଛାର ନ ଡ଼ର, ଜୀବନ ଥାଉଁ ମର ।

ଜୀବନ ଥାଉ ଯେ ମରଇ ସେହି ଅଟେ ଅମର ।୧୯।

ଯେଉଁମାନେ ମରୁଅଛନ୍ତି ସେମାନଙ୍କୁ ସଂହାର ।

ଆତ୍ମାର ଜନ୍ମ ମୃତ୍ୟୁ ନାହିଁ, ଏହା ବିଚାରି ଧର ।୨୦।

କାମ ଆକାଙ୍ କ୍ଷାକୁ ତେଜିଣ ନିଷ୍କାମ ସୂତ୍ରେ ରହ ।

ବୟାଳିଶି ପ୍ରାୟେ ଭାବିଲେ ତେବେ ଗାଧୋଇ ଯାଅ ।୨୧।

ଆଉ ଅଧିକ କି କହିବି ଆରେ ମୋ ଶଙ୍ଖଚିଲ !

ଗୁରୁ ସ୍ଵରୂପେ ଜ୍ଞାନ କହ ଯାଇ ଭକ୍ତଙ୍କୁ ମୋର ।୨୨।

ଶ୍ରୀମୁଖ ଆଜ୍ଞା ଶୁଣିଣ ଶଙ୍ଖଚିଲ ଉଡିଗଲା ।

ଝାମ୍ପ ଦେଇ ନିଷ୍କମ୍ପ ହୋଇ ଭକ୍ତ ଗୃହେ ମିଳିଲା ।୨୩।

ନର ସ୍ଵରୁପରେ ସୁଜ୍ଞାନ ଦେଲା ପରମହଂସ ।

କହେ ଅଭିରାମ କହିଲେ ପ୍ରଭୁ ଲକ୍ଷ୍ମୀବିଳାସ ।୨୪।

•••

 

ପାରାଦୂତ

 

ଘୁମୁଘୁମୁ ହୋଇ ପାରାରେ !ଏକ୍ଷଣି ଘୁମି ଯିବି ।

ଭକତମାନଙ୍କ ଗୃହରେ ଯାଇ ପ୍ରବେଶ ହେବୁ ।୧।

ମନ ମଜ୍ଜାଇଣ କହିବୁ ଭକତଙ୍କୁ ମୋହର ।

କେତେ ଜନ୍ମ ଭାବ ଭାବଣ ଆସି ହୋଇଛ ନର ।୨।

ସ୍ଥାବର, ଜଳଜ ଯେ କୃମି, ପତଙ୍ଗ, ପକ୍ଷୀ ଘେନି ।

ବାନର ଶେଷେ ନରଜନ୍ମ ଆସି ହେଲେ ମେଦିନୀ ।୩।

ଏତେ ଜନ୍ମ ଭାବ ଭାବିଣ ଆସି ମନୁଷ୍ୟ ହେଲ ।

ଦୀନବନ୍ଧୁ କେଣେ ଅଛନ୍ତି ଦିନେ ହେଁ ନ ଖୋଜିଲ ।୪।

ସତ୍ୟନାରାୟଣ ଛାଡିଣ ମିଛେ ରହିଛି ମାତି ।

ବୃଥା ଅହଙ୍କାରେ ମାତିଣ ହରାଇଲ ସମ୍ପତ୍ତି ।୫।

କିଏ ତୋତେ ଜାତ କରିଛି ? ପିତା ରହିଛି କେଣେ ?

ଧନକୁ ନ ରଖି, ଧନ ରେ! ଭୋଳ ହେଲୁ ଆଜ୍ଞାନେ ।୬।

କୁଟୁମ୍ଵ ଧନ୍ଦାରେ ପଡିଣ କୁଟୁମ୍ଵଙ୍କୁ ହୁଡ଼ିଲୁ ।

ତୁ ତୋହର କୁଟୁମ୍ଵ ବେଲି ଦିନେ ହେଁ ନ ଭାବିଲୁ ।୭।

ପିତାଙ୍କର ନାମଟି ଧୈର୍ଯ୍ୟ, ମାତାଙ୍କ ନାମ କ୍ଷମା ।

ଶାନ୍ତ ତୋହରଟି ଭାରିଯା, ଦିବ୍ୟଚିତ୍ତେ ଶୁଣିମା ।୮।

 

 

ସତ ଗୋଟି ତୋହର ପୁତ୍ର, ଦୟା ତୋର ଭଉଣୀ !

ମନ ସିନା ତୋର ଭ୍ରାତା ରେ, ଜ୍ଞାନଚି ଅନ୍ନ-ପ୍ରାଣି ।୯।

ଏହି କୁଟୁମ୍ଵଙ୍କୁ ନ ଚିହ୍ନି, ଭକ୍ତେ ! ବସିଛ କାହିଁ ?

କୁରରୀ ପକ୍ଷୀ ପରାୟେ ମୁଁ ତୁମ୍ଭଙ୍କୁ ଚିହ୍ନିଲଇଁ ।୧୦।

ଶୁଣ ତୁହି, ପାରାଦୁତ ରେ ! ଥୋକେ କହିବେ ତୋତେ ।

ପାରା ଛାରକୁ ନାରାୟଣ କହିଛନ୍ତି କି ସତେ ! ।୧୧।

ଏ କଥାକୁ ପ୍ରତେ କରିବେ, ମୋର ଭକତମାନେ ।

କଳି ବଳିଷ୍ଠ ହୋଇଅଛି, ଚେତା ହେବ କେସନେ ? ।୧୨।

ନାମରେ ପ୍ରସିଦ୍ଧ କରିଣ ହର ହଂସରେ କହି ।

କଳି ବଳିଷ୍ଠକୁ ଆମ୍ଭର ରାଜ୍ୟ ଦିଅ ହଟାଇ ।୧୩।

ସ୍ଵରାଜ୍ୟରେ କର୍ମ କରନ୍ତୁ, କଳି ହୋଇବ ଦଳି ।

କହୁଅଛି ମୋହର ଠାରୁ କେହି ଅଛି କି ବଳି ? ।୧୪।

କାମ, ତ୍ରୋଧ, ମିଥ୍ୟା, କପଟ ଏହିମାନେଟି କଳି ।

ସତ, ଶାନ୍ତି, ଦୟା, କ୍ଷମାକୁ ଧରି ଦିଅନ୍ତୁ ଦଳି ।୧୫।

କଳି ଶେଷେ ଯୁଧିଷ୍ଠିର ଯେ ହୋଇବେ ରାଜା ।

ଆନନ୍ଦ ଭାବରେ ଚଳିବେ ମୋର ସଂସାର ପ୍ରଜା ।୧୬।

ଆହୁରି କହିବୁ, ପାପା ରେ ! ମୋର ଭକ୍ତଙ୍କୁ ଜ୍ଞାନ ।

ଷଟଚକ୍ର ପରେ ଅଛନ୍ତି ଶ୍ରୀ ସତ୍ୟନାରାୟଣ ।୧୭।

ଦୁଃଖୀର ସଙ୍କାଳ, ଅନ୍ଧର ଯଷ୍ଟି ଦୀନବାନ୍ଧବ ।

ତାର ଘରେ ସେହି ଅଛନ୍ତି ମୋ ଘରେ ଅସମ୍ଭବ ।୧୮।

‘ମୁଁ’ ତଳୁ ଚାରି ଅଙ୍କକୁ ‘ତୁ’ ତଳରେ ଦେବୁ ।

‘ତୁ’ ଯେତେବେଳେ ହୋଇବ, ତୁ’ ତୁ’ ରେ ବାବୁ ।୧୯।

ଏହି ଭାବେ ନିତ୍ୟାନନ୍ଦରେ ସଦା ରଖ ଚୈତନ୍ୟ ।

ଅଦ୍ୱୈତ ଭାବରେ ରହିଲେ ଦୃଷ୍ଟି ଅଗ୍ରେ ପରମ ।୨୦।

ଆଉ ଅଧିକ କି କହିବି ? ଆରେ ଲୋଟାଣି ପାରା !

ଶ୍ରୀମୁଖର ଆଜ୍ଞା ଶୁଣିଣ ପାରା ଦେଲା ଘୁମୁରା ।୨୧।

‘ରା’ କୁ ଧରିଣ ’ମ’ ରେ ନେଇ ଯୁଗଳ କଲା ।

କହେ ଅଭିରାମ ପାରାଟି ଶୂନ୍ୟେ ଉଡିଣ ଗଲା ।୨୨।

ଭକତ ଜନେ ଉପଦେଶ ଦେଲା ନର ସ୍ଵରୂପେ ।

ଶ୍ରୀ ସତ୍ୟନାରାୟଣ ସ୍ଵାମୀ ଲେଖି ଅଛନ୍ତି ଆପେ ।୧୩।

•••

 

କାକ ପିକ ଚରିତ

 

–୧–

କୋଇଲି ବୋଲିଣ ସିନା ଜୀବକୁ କହିଛି ।

ସେହି ଜାବ ଦେଖ ଜଗତରେ ପୁରିଅଛି ।୧।

କୋଇଲିର ଜନନୀ ଯେ ପରମ ଈଶ୍ଵର ।

କାକବସା ହୋଇଅଛି ଏ ମାୟାସଂସାର ।୨।

କୋଇଲି ଜନନୀ କାକ ବସାରେ ଯେ ନେଇ ।

ଡିମ୍ଵ ପାରି ଦେଇଗଲା, କାକ ନ ଜାଣଇଁ ।୩।

କାକ ନିଜ ପୁତ୍ରଜ୍ଞାନ କରଣ ପାଳଇ ।

କୋଇଲିର ପୁତ୍ର ବୋଲି ଜାଣି ନ ପାରଇ ।୪।

କାକ କଳାବର୍ଣ୍ଣ ସେ ଯେ ପିକ କଳାବର୍ଣ୍ଣ ।

ରବଟି କେବଳ ମାତ୍ର ହୋଇଅଛି ଭିନ୍ନ ।୫।

କାମନୀ, କାଞ୍ଚନ, କାମ କାକରବ ଗୋଟି।

ପରମ ଈଶ୍ଵର ଛଡ଼ା ଯେତେକ କର୍ମଟି ।୬।

କୋଇଲିର ରବ ଯେଣୁ ପରମ ଇଶ୍ଵର ।

ଏଣୁ କାକ ଥଣ୍ଟା ମାରେ କୋଇଲି ଉପରେ ।୭।

ଗୋତ୍ର ସୁମରି କୋଇଲି ଯେଣୁ ଉଡିଗଲା ।

ଆନନ୍ଦ ମନରେ ଖୋଜି ଜନନୀ ଲଭିଲା ।୮।

କାକ ରାଜ୍ୟେ ଥାଇ, ମନ ଗଲା କୃଷ୍ଣ ପାଶ ।

କହେ ଅଭିରାମ, ଭକ୍ତେ ! ଏହି ରସେ ରସ ।୯।

–୨–

ଏକ ଦିନେ କାକ କୋଇଲିର ଭେଟ ହେଲା ।

କାକ କହେ, ପିକ ! ତୋତେ କିଏ ପାଳିଥିଲା ?

ପିକ କହେ, ମୋ ପାଳନକର୍ତ୍ତା ଦାଶରଥି ।

ସକଳ ଜୀବ ଆଶ୍ରିତ କମଳାଙ୍କ ପତି ।୨।

କାକ କହେ, ତୋ ଜନନୀ ବସାରେ ମୋହର ।

ଡିମ୍ଵ ପାରି ଦେଇ ଗଲା, ସେ ବଡ ଚତୁର ।୩।

ଡିମ୍ଵ ଫୁଟାଇଣ ମୁହିଁ ପାଳିଥିଲେ ତୋତେ ।

କେଉଁପରି ନନ୍ଦନ! ତୁ ଛାଡିଗଲୁ ମୋତେ ?

ପିକ କହେ, ଡ଼ିମ୍ଵ ଯା’ର ଗଲି ତାର ପାଶ ।

ନ ବୁଝିଣ ତୁମ୍ଭେ କିଆଁ କରୁଅଛ ରୋଷ ?

କାକ କହେ,ପିକ ! ତୋତେ ଏ ଜ୍ଞାନ କେ ଦେଲା ?

ମୂଲ ଲାଗିଲା, ମଜୁରୀ ବୃଥା କି ହୋଇଲା ?

ପିକ କହେ, ମୂଲ କିଏ କାହାର ଲାଗୁଛି ।

ତୁମ୍ଭେ ଯା’ର ମୂଲ କିଏ କାହାର ଲାଗୁଛି ।

ସମସ୍ତେ କରୁଅଛନ୍ତି ପ୍ରଭୁଙ୍କର କାର୍ଯ୍ୟ ।

ମାୟାସଂସାରରେ ରହି, କପଁ।ତା ନ ବୁଝ ?

ତୁମ୍ଭ ମାତା ଦୀନବନ୍ଧୁ, ମୋର ମାତା ସେହି ।

ଏବେ ନ ଚିହ୍ନିଲେ, ବେଳେ ଚିହ୍ନିହୁ, କହଇ ।୯।

କା’ ରବ ଯଦି କୁହୁ ରବରେ ମିଶିବ ।

କେ’ ରବ ଘରେ ମିଶି କୀ’ କି ଧରିବ ।୧୦।

ତେବେ ତୁମ୍ଭ ମାତା, ଆମ୍ଭ ମାତା ଭିନ୍ନ ନାହିଁ ।

ସାର ବାଛି କର କହି ଯାଉଅଛି ମୁହିଁ ।୧୧।

ଯେଉଁ କର୍ମେ ନାରାୟଣ ହୋଇବେ ସନ୍ତୁଷ୍ଟ ।

ତୁମ୍ଭର ଆମ୍ଭର ସେହି କର୍ମ କର ଇଷ୍ଟ ।୧୨।

କହେ ଅଭିରାମ ବାଇ, କାକ ମାୟା ଚେଜି ।

କୋଇଲିର ପଥେ ଗଲା ନିଜ ଇଷ୍ଟ ହେଜି ।୧୩।

କୋଇଲିର ପଥେ କାକ ମାୟା କାଟି ଗଲା ।

ଯାହା ଅନୁଭବ କଥା ସେ ସିନା ଜାଣିଲା ।୧୪।

କହେ ଅଭିରାମ ବାକ ପିକର ଚରିତ ।

କୃପାନେତ୍ର ଚାହିଁଥାଅ, ଅହେ ଲକ୍ଷ୍ମୀକାନ୍ତ ! ।୧୫।

ସମାପ୍ତ